ଓଡ଼ଗାଁ : କିଡ୍‌ନି ରୋଗରେ ବାପା ଆରପାରିକୁ ଚାଲିଯିବା ପରେ ମା’ ଏବେ ଶଯ୍ୟାଶାୟୀ। ଘର ସମ୍ଭାଳୁଛନ୍ତି ୧୨ ବର୍ଷର ଝିଅ ଈଶ୍ବରୀ ନାହାକ। ଦୁନିଆ ବିଷୟରେ ଜାଣିବା ପୂର୍ବରୁ ତାଙ୍କ ଉପରେ ରୋଗଗ୍ରସ୍ତ ମା’ ଏବଂ କୁନିଝିଅର ବୋଝ। ତଥାପି ସେ ସବୁ ଦୁଃଖକଷ୍ଟକୁ ଭୁଲି ଘରର ସବୁକାମ କରି ପାଠ ପଢ଼ିବାକୁ ଯାଇଥାନ୍ତି। ଏହା ତାଙ୍କର ନିତିଦିନିଆ ଘଟଣା ବୋଲି ଈଶ୍ବରୀ କହିଛନ୍ତି। ଏଭଳି ଘଟଣା ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ହରିଜନ ସାହିରେ ଦେଖିବାକୁ ମିଳିଛି।

Advertisment

ସୂଚନାଯୋଗ୍ୟ, ଜାମୁସାହି ଗ୍ରାମର ଅମର ନାହାକ (୪୦)ଙ୍କ ୩ ବର୍ଷ ତଳେ କିଡ୍‌ନି ରୋଗରେ ମୃତ୍ୟୁ ଘଟିବା ପରେ ପରେ ତାଙ୍କ ସ୍ତ୍ରୀ ବୁଧେଇ ନାହାକ ଶ୍ବେତପ୍ରଦର ରୋଗରେ ଶଯ୍ୟାଶାୟୀ ହୋଇପଡ଼ିଲେ। ୨ ବର୍ଷ ହେବ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ପାଖରେ ଅର୍ଥ ନ ଥିବାରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ସେ ଚାଲବୁଲ ମଧ୍ୟ କରିପାରୁନାହାନ୍ତି। ଫଳରେ ତାଙ୍କ ବଡ଼ ଝିଅ ଈଶ୍ବରୀ ଘର ସମ୍ଭାଳୁଛନ୍ତି। ରୋଷେଇବାସଠାରୁ ଆରମ୍ଭ କରି ପାଣି ବୋହିବା, ଦୋକାନରୁ ସଉଦା ଆଣିବା, କାଠ ଯୋଗାଡ଼ କରିବା ଏବଂ ମା’କୁ ଗାଧୋଇ ଦେବା କାର୍ଯ୍ୟ କରି ନିକଟସ୍ଥ ସ୍କୁଲକୁ ପାଠପଢ଼ିବାକୁ ଯାଆନ୍ତି। ସ୍କୁଲରୁ ଆସିବା ପରେ ଘରର ବାକି କାମଦାମ କରିଥାନ୍ତି ବୋଲି କହିଛନ୍ତି। ଏଥି ସହିତ ସାନଭଉଣୀ ସୁଲୋଚନାର ଦେଖାଶୁଣା କରିଥାନ୍ତି।

ଅଭାବ ହେତୁ ଭଲ ପୋଷାକ ମଧ୍ୟ ନାହିଁ। ମାସକୁ ରାସନ ଚାଉଳ ୧୦ କେଜି ଓ ବିଧବା ଭତ୍ତା ବାବଦକୁ ୫ ଶହ ଟଙ୍କାରେ ପରିବାର ଚଳିଥାଏ। ଏଥିରେ ଚଳିବା ସମ୍ଭବ ହେଉନଥିବାରୁ ସାହିପଡ଼ିଶା ଲୋକେ ଦିନେ ଦିନେ ଖାଇବାକୁ ଦେଇଥାନ୍ତି। ଖେଳିବା ବୁଲିବା ବୟସରେ ପରିବାର ବୋଝ ତାଙ୍କୁ ଅଣନିଶ୍ବାସୀ କରିଦେଇଛି। ରୋଗଶଯ୍ୟାରେ ଦିନ କାଟୁଥିବା ବୁଧେଇ ନାହାକଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ସହାୟତା ପ୍ରଦାନ କଲେ ସେ ଭଲ ହୋଇଯାନ୍ତେ ବୋଲି ଜାମୁସାହି ଗ୍ରାମବାସୀ କହିଛନ୍ତି। ଏହା ସହିତ ଦୁଇ ନାବାଳିକା ଝିଅଙ୍କ ଶିକ୍ଷା ଦିଗରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।