ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୨ଶହ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ

ଟାଟା ମେମୋରିଆଲ ସେଣ୍ଟର ଓ ସ୍ବାସ୍ଥ୍ୟ ବିଭାଗ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ବର : ରାଜଧାନୀରେ ପ୍ରତିଷ୍ଠା ହେବ ଆଉ ଏକ ଷ୍ଟେଟ୍‌ ଅଫ୍ ଦି ଆର୍ଟ କ୍ୟାନସର ହସ୍ପିଟାଲ। ଭୁବନେଶ୍ବର ଉପକଣ୍ଠ ଜଟଣୀସ୍ଥିତ ନାଇଜରରେ ଏହି କ୍ୟାନସର ହସ୍ପିଟାଲ ଖୋଲିବ। କେନ୍ଦ୍ର ଆଣବିକ ଶକ୍ତି ବିଭାଗ ଅଧୀନରେ ଥିବା ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ସେଣ୍ଟର(ଟିଏମ୍‌ସି) ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପ୍ରତିଷ୍ଠା ହେଉଛି। ଏଥିପାଇଁ ୬୫୦ କୋଟି ଟଙ୍କା ଖର୍ଚ ହେବ। ତହିଁରୁ ଆଣବିକ ଶକ୍ତି ବିଭାଗ ୪ଶହ କୋଟି ଟଙ୍କା ଓ ଟାଟା ଟ୍ରଷ୍ଟ ପକ୍ଷରୁ ୨୫୦ କୋଟି ଟଙ୍କା ଖର୍ଚ କରିବ। ନାଇଜର ପକ୍ଷରୁ ଏଥିପାଇଁ ୧୭ ଏକର ଜମି ଯୋଗାଇ ଦିଆଯାଇଥିବା ବେଳେ ରାଜ୍ୟ ସରକାର ଆହୁରି ୪୦ ଏକର ଜାଗା ଯୋଗାଇଦେବେ। ପରବର୍ତୀ ସମୟରେ ଏଠାରେ ୩୦ ଏମ୍‌ଇଭିର ସାଇକ୍ଲୋଟ୍ରନ୍, ଷ୍ଟାଫ କ୍ବାର୍ଟର, ଏକାଡେମିକ ବ୍ଲକ୍, ରୋଗୀ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମସ୍ଥଳ ଓ ଧର୍ମଶାଳା ପ୍ରତିଷ୍ଠା ହୋଇପାରିବ। ଆଜି ଲୋକସେବା ଭବନରେ ଟାଟା ମେମୋରିଆଲ ସେଣ୍ଟର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ଏ ସଂକ୍ରାନ୍ତୀୟ ଏକ ବୁଝାମଣପାତ୍ର ସ୍ବାକ୍ଷରିତ ହୋଇଛି।

ଏହି ପ୍ରକଳ୍ପର ୩ଟି ପ୍ରମୁଖ ନୀତି ଉପରେ ପର୍ଯ୍ୟବେସିତ। ସେବା, ଶିକ୍ଷା ଓ ଗବେଷଣା। ହସ୍ପିଟାଲରେ ଅତ୍ୟାଧୁନିକ କ୍ୟାନସର ସେବା ଉପଲବ୍ଧ ହେବ। ସର୍ଜିକାଲ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ରେଡିଏସନ୍ ଅଙ୍କୋଲୋଜି, ରେଡିଓଲୋଜି, ପାଥୋଲୋଜି, ମାଇକ୍ରୋବାଇଓଲୋଜି, ବାଇଓକେମିଷ୍ଟ୍ରି, ପ୍ରିଭେଣ୍ଟିଭ୍ ଅଙ୍କୋଲୋଜି ଏବଂ ପାଲିଆଟିଭ୍ ମେଡିସିନ୍ ଓ ନ୍ୟୁକ୍ଲିୟର ମେଡିସିନ୍ ଭଳି ସୁବିଧା ରହିଛି। ନାଇଜର ସହାୟତାରେ କିଛି ସ୍ବତନ୍ତ୍ର କ୍ୟାନସରର ଗବେଷଣା କରାଯିବ। ହସ୍ପିଟାଲ ପକ୍ଷରୁ ରାଜ୍ୟ ସରକାରଙ୍କ ସହାୟତାରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ପଦକ୍ଷେପ ନିଆଯିବ। ସେହିପରି ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ କ୍ୟାନସର କେୟାର ୱିଙ୍ଗର ସୁଦୃଢ଼ୀକରଣରେ ମଧ୍ୟ ହସ୍ପିଟାଲ ସହାୟତା କରିବ। ଏପରିକି ମୁମ୍ବାଇରେ ଥିବା ଏହି ହସ୍ପିଟାଲର କ୍ୟାନସର ଗ୍ରିଡ୍‌ ସହିତ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଥିବା ହସ୍ପିଟାଲର ଏକତ୍ରୀକରଣ କରାଯିବ।

୪୦ ଏକର ଜାଗା ଯୋଗ‌ାଇବେ ରାଜ୍ୟ ସରକାର
ରେଡିଓ ଆଇସୋଟୋପ୍ ପାଇଁ ଜରୁରୀ ସାଇକ୍ଲୋଟ୍ରନ୍ ଯୋଗାଇବ ଓଡ଼ିଶା : ମୁଖ୍ୟମନ୍ତ୍ରୀ

ସେହିପରି ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହିତ ଏହି କ୍ୟାନସର ହସ୍ପିଟାଲ ଯୋଡ଼ି ହେବ। ରାଜ୍ୟ ସରକାର ମଧ୍ୟ ହସ୍ପିଟାଲ କ୍ୟାମ୍ପସରେ ଏକ ଆହାର କେନ୍ଦ୍ର ପ୍ରତିଷ୍ଠା କରିବେ। ଟାଟା ମେମୋରିଆଲ ପକ୍ଷରୁ ଖୋର୍ଧା ଜିଲ୍ଲାରେ ଜନସଂଖ୍ୟା ଆଧାରିତ କ୍ୟାନସର ରେଜିଷ୍ଟ୍ରି ପ୍ରତିଷ୍ଠା କରାଯିବ। ରାଜ୍ୟରେ ପ୍ରତିବର୍ଷ ୪୦ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଥିବା ବେଳେ ୧୮ହଜାରଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆ‌ଣବିକ ଶକ୍ତି ବିଭାଗ ଓ ଟାଟା ମେମୋରିଆଲ ସେଣ୍ଟରକୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ କେବଳ ଓଡ଼ିଶା ନୁହେଁ, ପୂର୍ବ ଭାରତର ‌ଲୋକଙ୍କ ପାଇଁ ବେଶ୍ ଫଳପ୍ରଦ ହେବ। ଟିଏମ୍‌ସିର ଚାହିଦା ମୁତାବକ ରାଜ୍ୟ ସରକାର ଏକ ସାଇକ୍ଲୋଟ୍ରନ୍ ମେସିନ୍ ଯୋଗାଇଦେବେ। ହସ୍ପିଟାଲର ସଂପ୍ରସାରଣ ପାଇଁ ରାଜ୍ୟ ସରକାର ନାଇଜର ନିକଟରେ ଆହୁରି ୪୦ ଏକର ଜାଗା ପ୍ରଦାନ କରିବେ। ଏହି ହସ୍ପିଟାଲ କେନ୍ଦ୍ର, ରାଜ୍ୟ, ଘରୋଇ ଓ ଗବେଷଣା ପ୍ରତିଷ୍ଠାନର ଏକ ସମନ୍ବୟର ବଳିଷ୍ଠ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଟିଏମ୍‌ସି, ମୁମ୍ବାଇ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଧନ୍ୟବାଦ ଜଣାଇବା ସହିତ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଉପରେ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଟିଏମ୍‌ସି ମୁମ୍ବାଇ ନିର୍ଦେଶକ ଡା.ରାଜେନ୍ଦ୍ର ବାଦ୍ବି କହିଥିଲେ, ରାଜ୍ୟରେ କ୍ୟାନସର ସମସ୍ୟା ସଂପର୍କରେ ଜାଣିବା ଲାଗି ଜନସଂଖ୍ୟା ଆଧାରିତ ରେଜିଷ୍ଟ୍ରି ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି କେ ଜେନା, ନାଇଜର ନିର୍ଦେଶକ, ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖ ଯେ ରାଜ୍ୟ ସରକାର ଓ ରାଜ୍ୟ ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ସହାୟତାରେ ରାଜଧାନୀ ଉପକଣ୍ଠରେ ମଧ୍ୟ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି। ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ।

ସମ୍ବନ୍ଧିତ ଖବର