ଶିଶୁ ଦେ‌ହରେ ଏକ୍‌ମୋ ଲଗାଇ ଫୁସ୍‌ଫୁସ୍‌ ସଫା କରିବା ଦେଶରେ ପ୍ରଥମ
ଏତେ କମ୍‌ ବୟସରେ ଶିଶୁ କ୍ଷେତ୍ରରେ ସଫଳ ଏକ୍‌ମୋ ଚିକିତ୍ସା ରାଜ୍ୟରେ ପ୍ରଥମ

Advertisment

ଭୁବନେଶ୍ବର : ଚିକିତ୍ସା କ୍ଷେତ୍ର‌‌‌ରେ ଓଡ଼ିଶା ତଥା ଭୁବନେଶ୍ବର ଏମ୍‌ସ ଏକ ନୂତନ ଅଧ୍ୟାୟ ଯୋଡ଼ିଛି। ଏକ୍‌ମୋ ଚିକିତ୍ସା ଦ୍ବାରା ୨୨ ମାସର ଏକ ଶିଶୁକନ୍ୟା ଅର୍ପିତାର ଫୁସ୍‌ଫୁସ୍‌କୁ ସଫା କରାଯାଇଛି। ଅର୍ପିତା ବର୍ତ୍ତମାନ ସୁସ୍ଥ ଅଛି ଓ ତାକୁ ଡିସ୍‌ଚାର୍ଜ କରି ଦିଆଯାଇଛି ବୋଲି ଏମ୍‌ସ ଶିଶୁ ରୋଗ ବିଭାଗ ଡାକ୍ତର କ୍ରିଷ୍ଣା ଗୁଲା କହିଛନ୍ତି। କୌଣସି ଶିଶୁ ଶରୀରରେ ଏକ୍‌ମୋ ଲଗାଇ ଫୁସ୍‌ଫୁସ୍‌ ସଫା କରାଯିବା ଘଟଣା ଦେଶରେ ପ୍ରଥମ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଦିଲ୍ଲୀ ଏମ୍‌ସରେ ୩ ବର୍ଷର ଏକ ଶିଶୁକୁ ଏହିଭଳି ଚିକିତ୍ସା କରାଯାଇଥିଲା ବୋଲି ଡାକ୍ତର ଗୁଲା କହିଛନ୍ତି। ଅପରପକ୍ଷରେ ଶିଶୁଙ୍କ କ୍ଷେତ୍ରରେ ଏଭଳି ସଫଳ ଏକ୍‌ମୋ ଚିକିତ୍ସା ରାଜ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ୨ଦିନର ଶିଶୁଙ୍କ ଦେହରେ ଏକ୍‌ମୋ ମେସିନ୍‌ ଲଗାଯିବାର ନଜିର ରହିଥିବା ଡାକ୍ତର ଗୁଲା କହିଛନ୍ତି।

publive-image

ଢେଙ୍କାନାଳର ଏହି ଶିଶୁକନ୍ୟା ଅର୍ପିତାର ବାପା ସୁନୀଲଙ୍କ କହିବା ଅନୁଯାୟୀ, ଝିଅକୁ ଜ୍ବର ହେବାରୁ ଜୁଲାଇ ୨୧ ତାରିଖରେ ସେ ତାକୁ କଟକ ଏସ୍‌ସିବିରେ ଭର୍ତ୍ତି କରାଇଥିଲେ। ଅର୍ପିତାକୁ କୋଭିଡ୍‌ ହୋଇଥିବା ସନ୍ଦେହ କରାଯାଇଥିଲା। କିନ୍ତୁ ପରେ ସେ ଫୁସଫୁସ୍‌ ସଂକ୍ରାନ୍ତୀୟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଆବଶ୍ୟକ ଚିକିତ୍ସା ପରେ ତାକୁ ୩ ତାରିଖରେ ଡିସ୍‌ଚାର୍ଜ କରି ଦିଆଯାଇଥିଲା। ଘରକୁ ଆସିବା ପରେ ପୁଣି ସମସ୍ୟା ଦେଖାଦେଇଥିଲା। ତେଣୁ ପରିବାରଲୋକ ତାକୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ ତାକୁ ଏମ୍‌ସ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥି‌ଲେ। ସେତେବେଳେ ଅର୍ପିତାକୁ ନିଶ୍ବାସପ୍ରଶ୍ବାସ ନେବାରେ ପ୍ରବଳ କଷ୍ଟ ହେଉଥିଲା। ଏମ୍‌ସ ଶିଶୁ ରୋଗ ବିଭାଗ ଆଇସିୟୁରେ ତାକୁ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା। ପରୀକ୍ଷଣ ପରେ ଶିଶୁଟିକୁ ପଲମୋନାରି ଏଲଭୋଲାର ପ୍ରୋଟେନ୍ସି ହୋଇଥିବା ଚିହ୍ନଟ କରାଯାଇଥିଲା। ତେବେ ଏହି ରୋଗର କାରଣ ଅସ୍ପଷ୍ଟ ହୋଇଥିବ‌ାବେଳେ ଜିନ୍‌ଗତ କାରଣରୁ ମଧ୍ୟ ହୋଇପାରେ ବୋଲି ଡାକ୍ତରମାନେ କହିଥିଲେ। ଏଭଳି ରୋଗୀ କ୍ଷେତ୍ରରେ ଫୁସ୍‌ଫୁସ୍‌ରେ କ୍ଷୀର ଭଳି କିଛି ଉପାଦାନ ରହିଯାଇଥିବାରୁ ରୋଗୀକୁ ନିଶ୍ବାସ ନେବାରେ ସମସ୍ୟା ହୋଇଥାଏ। ତେଣୁ ଫୁସଫୁସ୍‌କୁ ସଫା କରିବା ଏହାର ଏକମାତ୍ର ଉପଚାର।

ତେବେ ଏତେ ଛୋଟ ଶିଶୁର ଫୁସଫୁସ୍‌ ସଫା କରିବା ଏକ ଆହ୍ବାନ ଥିଲା। ଏଥିପାଇଁ ଶିଶୁରୋଗ ବିଭାଗର ଡାକ୍ତର କ୍ରିଷ୍ଣାଙ୍କ ସହ ଡାକ୍ତର ରଶ୍ମିରଂଜନ ଦାସ, ଡା. ଅମିତ ଶତପଥୀ, ନିଶ୍ଚେତକ ବିଭାଗର ଡା. ସତ୍ୟଜିତ ମିଶ୍ର, ଡା. ବିକ୍ରମ ବେହେରା, କାର୍ଡିଓଥେରାସିସ ବିଭାଗର ଡା. ସିଦ୍ଧାର୍ଥ ସାଠିଆ, ଡା. ସତ୍ୟପ୍ରିୟ ମହାନ୍ତି, ଶିଶୁ ଅସ୍ତ୍ରୋପଚାର ବିଭାଗର ଡା. ମନୋଜ ମହାନ୍ତିଙ୍କୁ ନେଇ ଏକ ବିଶେଷଜ୍ଞ ଟିମ୍‌ ଗଠନ ହୋଇଥିଲା। ଅର୍ପିତାକୁ ଏକ୍‌ମୋ ଲଗାଯିବା ସହ ଫୁସଫୁସ୍‌ ସଫା ପାଇଁ ଗୋଟିଏ ଦିନରୁ ଅଧିକ ସମୟ ଲାଗିଥିଲା। ସେପ୍ଟେମ୍ବର ୧୩ ତାରିଖରେ ଦ୍ବିତୀୟଥର ପାଇଁ ଫୁସଫୁସ୍‌ ସଫା କରାଯାଇଥିଲେ ମଧ୍ୟ ଏକ୍‌ମୋ ଲଗାଯିବାର ଆବଶ୍ୟକତା ପଡ଼ିନଥିଲା। ଏହାପରେ ଅର୍ପିତା ସୁସ୍ଥ ହୋଇଯିବାରୁ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ତେବେ ବିଭିନ୍ନ ସମୟରେ ଅର୍ପିତାଙ୍କ ଫୁସ୍‌ଫୁସ୍‌ ସଫା କରାଯିବାର ଆବଶ୍ୟକତା ରହିଛି। ତେଣୁ ତାଙ୍କୁ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ରଖାଯିବା ସହ ଡାକ୍ତରଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ଅର୍ପିତାର ଅଭିଭାବକଙ୍କୁ କୁହାଯାଇଥିବା ଡାକ୍ତର କ୍ରିଷ୍ଣା କହିଛନ୍ତି।