ଭୁବନ: ଚାରିଆଡ଼େ ଟାଇଁ ଟାଇଁ ଖରା। ଭୂଇଁ ଫାଟି ଆଁ କରିଛି। ଚାଷୀ ବିହନ ଧରି ବସିଛି, ହେଲେ ଆକାଶରେ ମେଘର ଦେଖା ନାହିଁ। ଏମିତି ସ୍ଥିତିରେ ଭୁବନ ବ୍ଲକ୍ ମୁରୁଗା ଗାଁରେ ଥିବା ଏକମାତ୍ର ଜଳଉତ୍ସ ବି ଶେଷରେ ଶୁଖିଗଲା। ଫଳରେ ୩୦ ଏକରରୁ ଅଧିକ ଜମିରେ ଖରାଟିଆ ଧାନଚାଷ ପ୍ରଭାବିତ ହୋଇଛି। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ି ଯାଇଛି।
୨୮ବର୍ଷ ତଳେ ମୁରୁଗା ଗାଁ ପାତ୍ରସାହିରେ ତତ୍କାଳୀନ ବ୍ଲକ୍ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର ଏକ ନଳକୂଅ ଖୋଳିଥିଲେ। ଗାଁର ଜଳସେଚନ ସମସ୍ୟା ଦୂର କରିବା ପାଇଁ ସେତେବେଳେ ଏହି ନଳକୂଅ ଖୋଳାଯାଇଥିଲା। ୪୦ଫୁଟ୍ ଗଭୀରରେ ପାଣି ପଡ଼ିଥିଲା। ଜଳଉତ୍ସରୁ ଏତେ ପରିମାଣର ପାଣି ବାହାରିଥିଲା ଯେ ସେଥିରେ ହ୍ୟାଣ୍ଡେଲ ଲଗାଇବାର ଆବଶ୍ୟକତା ପଡ଼ିନଥିଲା। ପରେ ଜଳଯୋଗାଣ ବିଭାଗୀୟ କର୍ମଚାରୀଙ୍କ ପରାମର୍ଶରେ
ଏଥିରେ ପାଇପ୍ ସଂଯୋଗ ହୋଇ ସ୍ବତନ୍ତ୍ର କ୍ୟାପ୍ ଲଗାଯାଇଥିଲା। ପରେ ୨୦୦୦ ମସିହାରେ ତତ୍କାଳୀନ ବ୍ଲକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନର କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଉକ୍ତ ପାଣିର ସଦୁପଯୋଗ ପାଇଁ ଏଠାରେ ଡ୍ରେନ୍ ନିର୍ମାଣ କରି ଜଳସେଚନର ସୁବନ୍ଦୋବସ୍ତ କରିଥିଲେ। ଧୀରେ ଧୀରେ ଏହି ଜଳଉତ୍ସ ଗାଁ ଲୋକଙ୍କ ଜୀବନରେଖା ପାଲଟି ଯାଇଥିଲା। ୨୮ବର୍ଷ କାଳ ଲୋକଙ୍କ ଜଳସେଚନ ସମସ୍ୟାର ସମାଧାନ କରୁଥିବା ଏହି ଜଳଉତ୍ସ କିନ୍ତୁ ଚଳିତ ଖରାରେ ଶୁଖି ଯାଇଛି। କିଛିଦିନ ହେଲା ଏଥିରୁ ଆଉ ପାଣି ବାହାରୁନି। ଏହି ପାଣିକୁ ବ୍ୟବହାର କରି ୩୦ ଏକରରୁ ଅଧିକ ଜମିରେ ଖରାଟିଆ ଧାନ ଚାଷ ହେଉଥିଲା ବେଳେ ତାହା ଏବେ ପ୍ରଭାବିତ ହୋଇଛି। ଫଳରେ ଚାଷବାସ ବନ୍ଦ ହୋଇଯାଇଛି।
ଏତେ ଟାଣ ଖରାରେ ଜଳସ୍ତର ତଳକୁ ଖସିଯିବା ଦ୍ବାରା ଉକ୍ତ ଜଳଉତ୍ସ ଶୁଖି ଯାଇଥିବା ଗାଁ ଲୋକେ କହିଛନ୍ତି। ତୁରନ୍ତ ଏହାର ପୁନରୁଦ୍ଧାର କିମ୍ବା ବିକଳ୍ପ ବ୍ୟବସ୍ଥା କରା ନଗଲେ ଚାଷୀମାନେ ଘୋର ସଂକଟରେ ପଡ଼ିଯିବାର ସମ୍ଭାବନା ଦେଖା ଦେଇଥିବା ଗ୍ରାମର ମଧୁସୂଦନ ପାତ୍ର କହିଛନ୍ତି। ପ୍ରକୃତିର ନିୟମ ବଦଳିଛି। ତେଣୁ ଏହି ଜଳଉତ୍ସ ଶୁଖିଯିବା ଦ୍ବାରା ଖାଲି ଚାଷୀ ନୁହନ୍ତି ବରଂ ଅଞ୍ଚଳବାସୀ ହନ୍ତସନ୍ତ ହେବେ ବୋଲି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ଜେନା କହିଛନ୍ତି। ଭୁବନ ଅଞ୍ଚଳରେ ଜଳସ୍ତର କମିଯିବା ଦ୍ବାରା ଏହା ହୋଇଥାଇପାରେ ଓ ଏହାର ଅନୁଧ୍ୟାନ କରାଯିବ ବୋଲି ଉପଖଣ୍ଡ ପାନୀୟ ଜଳଯୋଗାଣ ଦାୟିତ୍ୱରେ ଥିବା ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ନାୟକ କହିଛନ୍ତି। ସେହିପରି ଖରାଟିଆ ଚାଷ ପ୍ରଭାବିତ ହେବା ଆଶଙ୍କାରେ ବିକଳ୍ପ ଯୋଜନା କରାଯିବ ବୋଲି ବ୍ଲକ୍ କୃଷି ଅଧିକାରୀ ଭାଗ୍ୟଧର ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/hfssfhsfh.jpg)