ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ୧ ନମ୍ବର ୱାର୍ଡ ନାଲଦା ଅଞ୍ଚଳରେ ମୁକୁଳା ଡ୍ରେନ୍‌ରେ ପଡ଼ି ତିନିବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ନାଲଦାର ରାଜ ରୱାନୀଙ୍କ ପୁଅ ଆୟନ। ଆଜି ପୂର୍ବାହ୍ନ ୧୧ଟାବେଳେ ଆୟନ ଘରପାଖରେ ଖେଳୁଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନିକଟସ୍ଥ ଡ୍ରେନ୍‌ରେ ଆୟନ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଡ୍ରେନ୍‌ରେ ପାଣି କମ୍‌ ଥିବାବେଳେ ପଙ୍କ ଅଧିକ ଥିଲା। ଶିଶୁଟି ପଙ୍କରେ ଫସି ଯାଇଥିଲା।

Advertisment

ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ବଡ଼ବିଲ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବଡ଼ବିଲ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନା‌ଯୋଗ୍ୟ, ପୂର୍ବରୁ ନଭେମ୍ବର ୧୦ରେ ତେଲକୋଇ ବ୍ଲକ୍‌ ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁବାହାଳ ଗ୍ରାମରେ ମୁକୁଳା ଡ୍ରେନ୍‌ରେ ପଡ଼ି ଗଙ୍ଗା ଜୁଆଙ୍ଗ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ନଭେମ୍ବର ୨୫ରେ ଘସିପୁରା ବ୍ଲକ୍‌ ପୁରୁଣାବାନ୍ଧଗୋଡ଼ା ଗ୍ରାମରେ ଡ୍ରେନ୍‌ରେ ପଡ଼ି ବରୁଣ ମଲିକ ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ। ବିଭିନ୍ନ ପଞ୍ଚାୟତ ଏବଂ ପୌରାଞ୍ଚଳରେ ଡ୍ରେନ୍‌ ନିର୍ମାଣ ପରେ ଉପରେ କଂକ୍ରିଟ୍‌ ସ୍ଲାବ୍‌ ପକାଯାଉନି। ଫଳରେ ବାରମ୍ବାର ମୁକୁଳା ଡ୍ରେନ୍‌ରେ ପଡ଼ି ଲୋକେ ମୃତାହତ ହେଉଛନ୍ତି।