କରମତଲାଠାରେ ୩୩/୧୧ କେଭି ଗ୍ରିଡ୍‌ ସବ୍‌ଷ୍ଟେସନ ଉଦ୍‌ଘାଟିତ

ସଇନ୍ତଳା : ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ତାଙ୍କ ବଜେଟରୁ ୩୫୧୦ କୋଟି ଟଙ୍କା ବ୍ୟୟରେ ୫୫୦ ଗୋଟି ବିଦ୍ୟୁତ ଗ୍ରିଡ୍‌ ସବ୍‌ଷ୍ଟେସନ ପ୍ରତିଷ୍ଠା ପାଇଁ ବେସରକାରୀ ସଂସ୍ଥାକୁ ଦାୟିତ୍ବ ଦେଇଛନ୍ତି। ଏ ସଂପର୍କରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ ସୋମବାର ସଇନ୍ତଳା ବ୍ଲକ୍‌ କରମତଲାଠାରେ ଟାଟା ପାୱାର ଓ ସରକାରଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ୩୩/୧୧ କେଭି ଗ୍ରିଡ୍‌ ସବ୍‌ଷ୍ଟେସନର ଉଦ୍‌ଘାଟନ ଅବସରରେ କହିଥିଲେ।

ଶ୍ରୀ ତ୍ରିପାଠୀ ଆହୁରି କହିଥିଲେ, ଗଛ କାଟିବା ଓ ଲୋକଙ୍କ ଅସହଯୋଗ ପାଇଁ ବଲାଙ୍ଗୀରରୁ କେସିଙ୍ଗାକୁ ହେବାକୁ ଥିବା ୨୨୦ କେଭି ସବ୍‌ଷ୍ଟେସନ କାର୍ଯ୍ୟ ହୋଇପାରୁ ନାହିଁ। ଏହା କାର୍ଯ୍ୟକାରୀ ହେଲେ ଟିଟିଲାଗଡ଼, ଧର୍ମଗଡ଼ ଓ ଖଡ଼ିଆଳ ଉପଖଣ୍ତ ଅଂଚଳର ବିଦ୍ୟୁତ ସମସ୍ୟା ଦୂର ହୋଇପାରିବ। କରମତଲାଠାରେ ପ୍ରତିଷ୍ଠା ହୋଇଥିବା ୩୩/୧୧କେଭି ଗ୍ରିଡ ଯୋଗୁଁ ସଇନ୍ତଳା ବ୍ଲକ୍‌ର କୁମ୍ଭାରୀ, କରମତଲା, ତାଲବାହାଲ, ଗଣ୍ତପତ୍ରାପାଲି, କୁଇକେଡ଼ା ଓ ଧରପଗଡ଼ ପଂଚାୟତ ଅଂଚଳର ସାତ ହଜାରରୁ ଅଧିକ ବିଦ୍ୟୁତ୍‌ ଉପଭୋକ୍ତା ଲୋ-ଭୋଲଟେଜ ଓ ବିଦ୍ୟୁତ ବିଭ୍ରାଟରୁ ମୁକ୍ତି ପାଇବେ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ସ୍ବାଇଁ ସୂଚନା ଦେଇଥିଲେ।

ରାଜ୍ୟ ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଛନଛଡ଼ା-ଧରପଗଡ଼ ଓ ଡେଙ୍ଗ- କମରଲଗା ଅଂଚଳକୁ ଗମନାଗମନ ପାଇଁ ଲାନ୍ଥ ନଦୀ ଉପରେ ଖୁବ୍‌ ଶୀଘ୍ର ପୋଲ କାମ ଆରମ୍ଭ ହେବ ବୋଲି କହିଥିଲେ। ଡିଆଇପିଆର୍‌ଓ ଜୟଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ଓ ଉପଜିଲ୍ଲାପାଳ ସତ୍ୟକାନ୍ତ ମନୋଜ ମହାଜନ ମଂଚାସୀନ ଥିଲେ। ବିଦ୍ୟୁତ ବିଭାଗର ଏସ୍‌ଇ ରଂଜନ ନାଏକ, ଏସଡିଓ ଏନ୍‌.ପୃଷ୍ଟି, ଇଏସ୍‌ଓ ସୁଶାନ୍ତ ମହାନନ୍ଦ, ସାଇଟ୍‌ ଇନଚାର୍ଜ ଅଶୋକ ମହନ୍ତ, ବିଧାୟିକାଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ରାଜକିଶୋର ଡାଙ୍ଗ, ସୁରେନ୍ଦ୍ର ସାହୁ, ପରମେଶ୍ବର କର୍ମୀ, ସରପଂଚ ହିମାଂଚଳ ବୁଡେକ, ସ୍ବର୍ଣ୍ଣଚମ୍ପା ସୁନା, ନିର୍ମଳ ହରପାଲ, ଆଲୋକ ବୁଡେକ, ଦିଲୀପ ରାଜପାଲିଆ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମସ୍ଥଳ ନିକଟରୁ କଂଗ୍ରେସ କର୍ମୀ ସୁବ୍ରତ ବେହେରାଙ୍କୁ ପୁଲିସ ଉଠାଇ ନେଇଥିଲା। ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ଟିକ୍ରାପଡ଼ା ଫାଣ୍ତି ଅଧିକାରୀ ଆଦିତ୍ୟ ସାହୁଙ୍କ ସମେତ ବହୁ ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର