କଟକ: ରାଜ୍ୟରେ ୮୬ଟି ଥାନା ପାଇଁ କିଣାଯାଇଥିବା ପ୍ରାୟ ୬୦ ଲକ୍ଷ ଟଙ୍କାର ସିସି କ୍ୟାମେରା ଓ ଅନ୍ୟ ଉପକରଣ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ଖତ ଖାଉଛି। କରୋନା ମହାମାରୀ ଆରମ୍ଭରୁ ଏହି କ୍ୟାମେରାଗୁଡ଼ିକ ମୁଖ୍ୟାଳୟରେ ପଡ଼ିରହିଛି। ତିନି ବର୍ଷ ପରେ ମୁଖ୍ୟାଳୟ ପକ୍ଷରୁ କ୍ୟାମେରା ଯୋଗାଣ କରିଥିବା ଘରୋଇ ସଂସ୍ଥାକୁ କ୍ୟାମେରା ଫେରସ୍ତ ପାଇଁ ଚିଠି ଲେଖାଯିବା ଘଟଣା ବିଚିତ୍ର ସ୍ଥିତି ସୃଷ୍ଟି କରିଛି। 

Advertisment

ଓଡ଼ିଶା ପୁଲିସ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ଥାନାରେ ସିସି କ୍ୟାମେରା ଲଗାଇବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପରେ ଏକ ଘରୋଇ କମ୍ପାନିକୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ୨୦୨୦ ମାର୍ଚ୍ଚ ୨୫ ସୁଦ୍ଧା ୮୬ଟି ସିସି କ୍ୟାମେରା ସେଟ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚୁକ୍ତି ମୁତାବକ ପ୍ରତି ସେଟ୍‌ରେ ୪ଟି ସିସି କ୍ୟାମେରା, ଗୋଟିଏ ଲେଖାଏଁ ଏନ୍‌ଭିଆର୍, ମନିଟର, ଲ୍ୟାନ୍ ସୁଇଚ୍, ହାର୍ଡଡିସ୍କ ଯୋଗାଇବାକୁ ସର୍ତ୍ତ ହୋଇଥିଲା। ଅର୍ଥାତ୍‌ ମୋଟ ୩୪୪ ସିସି କ୍ୟାମେରା, ଏନ୍‌ଭିଆର୍ ୮୬ଟି, ୮୬ଟି ମନିଟର, ଲ୍ୟାନ୍ ସୁଇଚ୍ ୮୬ଟି, ହାର୍ଡ ଡିସ୍କ ୮୬ଟି ଥିଲା। ଇନଷ୍ଟଲେସନ୍ ଦେୟ ସହିତ ଗୋଟିଏ କ୍ୟାମେରା ସେଟ୍ ପିଛା ୫୮ ହଜାର ୯୮୦ ଟଙ୍କା ଦର ସ୍ଥିର ହୋଇଥିଲା। ଅର୍ଥାତ ମୋଟ ୫୦ ଲକ୍ଷ ୭୨ ହଜାର ୨୮୦ ଟଙ୍କା ଖର୍ଚ୍ଚ ସହ ୧୮ ପ୍ରତିଶତ ଜିଏସ୍‌ଟି ମିଶି ହାରାହାରି ୬୦ ଲକ୍ଷ ଟଙ୍କାର ସାମଗ୍ରୀ ହୋଇଥିଲା। ଯେହେତୁ ସେତେବେଳେ କରୋନା ମହାମାରୀ ଆରମ୍ଭ ହୋଇଯାଇଥିଲା, ସାମଗ୍ରୀ ଦେବାରେ କମ୍ପାନି ପକ୍ଷରୁ ସମସ୍ୟା ଦୃଷ୍ଟିରୁ ସେହି ବର୍ଷ ଏପ୍ରିଲ ୨୮ରେ ଓଡ଼ିଶା ପୁଲିସ ମୁଖ୍ୟାଳୟକୁ ଉକ୍ତ କମ୍ପାନି ଚିଠି ଲେଖି କ୍ୟାମେରା ଯୋଗାଇବା ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ଓଡ଼ିଶା ପୁଲିସ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା। ଏଭଳି ସ୍ଥିତିରେ ଟେଣ୍ଡର ହାତେଇଥିବା ଉକ୍ତ ଘରୋଇ ସଂସ୍ଥା ୨୦୨୦ ଜୁନ୍‌ ୮ ତାରିଖରେ ସାମଗ୍ରୀଗୁଡ଼ିକ ଓଡ଼ିଶା ପୁଲିସ ମୁଖ୍ୟାଳୟରେ ଦାଖଲ କରିଥିଲେ।

ଘରୋଇ କମ୍ପାନି ପାଇନି ୬୦ ଲକ୍ଷ ଟଙ୍କା
୮୬ ଥାନା ପାଇଁ ଆସିଥିଲା କ୍ୟାମେରା

ଏହି କ୍ୟାମେରା ସେଟ୍ ପୁଲିସ ମୁଖ୍ୟାଳୟ ପକ୍ଷରୁ ଗ୍ରହଣ ବି କରାଯାଇଥିଲା। ଅଗଷ୍ଟ ୭ରେ ପୁଲିସ ମୁଖ୍ୟାଳୟ ତରଫରୁ ଉକ୍ତ କମ୍ପାନିକୁ ଏକ ଚିଠି ଲେଖାଯାଇଥିଲା। ସେଥିରେ ତାରିଖ ଘୁଞ୍ଚାଇବାକୁ ଯେଉଁ ଆବେଦନ କରାଯାଇଥିଲା ତାହାକୁ ପୁଲିସ ମୁଖ୍ୟାଳୟ ଖାରଜ କରିଥିବା ସଂକ୍ରାନ୍ତରେ ଚିଠିରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ସାମଗ୍ରୀ ଫେରସ୍ତ ସଂକ୍ରାନ୍ତରେ ଚିଠିରେ ଉଲ୍ଲେଖ କରି ନ ଥିଲେ। ଏହି ଘଟଣାକୁ ନେଇ କମ୍ପାନି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା। ତିନି ବର୍ଷ ପରେ ଏବେ କମ୍ପାନି ପକ୍ଷରୁ ସାମଗ୍ରୀ ବାବଦ ଟଙ୍କା ପାଇଁ ଚଳିତ ବର୍ଷ ଏପ୍ରିଲରେ କଟକ ସିନିୟର ସିଭିଲ ଜଜ୍‌(କମରସିଆଲ୍ କୋର୍ଟ)ରେ ଆବେଦନ କରିଥିଲେ। କୋର୍ଟରେ ମାମଲା ଚାଲିଥିବା ବେଳେ ଚଳିତ ବର୍ଷ ଜୁଲାଇ ୧୧ ତାରିଖରେ ପୁଲିସ ମୁଖ୍ୟାଳୟ ପକ୍ଷରୁ କମ୍ପାନି କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖାଯାଇଥିଲା।

ପୁଲିସ ମୁଖ୍ୟାଳୟରେ ଥିବା ସିସି କ୍ୟାମେରା ଫେରସ୍ତ ନେଇଯିବାକୁ ଏଆଇଜି ପ୍ରଭିଜନିଂ ପକ୍ଷରୁ ଚିଠି ଲେଖାଯାଇଛି। କିନ୍ତୁ ତିନି ବର୍ଷ ପରେ ଏହି ସିସି କ୍ୟାମେରା ଓ ଅନ୍ୟ ଉପକରଣର ବଜାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଏବେ ଏହାକୁ କମ୍ପାନି ନେବାକୁ ମନା କରିଦେଇଛି। ମାମଲା ବିଚାରାଧୀନ ଥିବା ବେଳେ ପୁଲିସ ମୁଖ୍ୟାଳୟ କିଭଳି ଏ ପ୍ରକାର ଚିଠି ଲେଖିଛି, ଏ ନେଇ କମ୍ପାନି କର୍ତ୍ତୃପକ୍ଷ ପାଲଟା କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ମୁଖ୍ୟାଳୟର ଅପରିଣାମଦର୍ଶୀ ନିଷ୍ପତ୍ତି ପାଇଁ ମୂଲ୍ୟବାନ କ୍ୟାମେରାଗୁଡ଼ିକ ଥାନାଗୁଡ଼ିକରେ ନଲାଗି ଏବେ ମୁଖ୍ୟାଳୟରେ ପଡ଼ିରହିବା ଘଟଣା ଉଦ୍‌ବେଗର କାରଣ ହୋଇଛି।