୩୮ ବର୍ଷର ଧାରା ଭାଙ୍ଗିଲା: ୧୯୮୩ ମସିହାରେ ଶେଷ ଥର ଥିଲେ ଅଣଓଡ଼ିଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ପଦବି ଅର୍ଥାତ୍ ମୁଖ୍ୟଶାସନ ସଚିବ ଭାବେ ସରକାର ମନୋଜ ଆହୁଜାଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିସହିତ ପାଖାପାଖି ଚାରି ଦଶନ୍ଧି ପରେ ଓଡ଼ିଆ ଆଇଏଏସ୍‌ଙ୍କୁ ମୁଖ୍ୟ ଶାସନ ସଚିବ ପଦବିରେ ବସାଇବାର ଧାରା ଭାଙ୍ଗିଛି। ଯେହେତୁ ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ଧରି ବିଜେପି କ୍ଷମତାକୁ ଆସିଛି, ଏଣୁ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଅନେକେ ଗ୍ରହଣ କରିପାରୁନାହାନ୍ତି ଏବଂ ନାକ ଟେକୁଛନ୍ତି। ଅନ୍ୟପକ୍ଷରେ କିଛି ଅବସରପ୍ରାପ୍ତ ପ୍ରଶାସକ ଭିନ୍ନ ମତ ଦେଇ କହିଛନ୍ତି ଯେ ଯେତେବେଳେ ଜଣଙ୍କୁ ମୁଖ୍ୟ ଶାସନ ସଚିବ କରାଯାଏ, ସେତେବେଳେ ସେହି ରାଜ୍ୟ କ୍ୟାଡର୍‌ର ବରିଷ୍ଠତା ଓ ଦକ୍ଷତାକୁ ମାପକାଠି ଭାବେ ନେବା କଥା। ତେଣୁ ଅନ୍ୟ ରାଜ୍ୟରେ ତାଙ୍କ ମୂଳ ଘର ହୋଇଥିଲେ ବି ତାହା ତାଙ୍କ କ୍ୟାରିୟରରେ ବାଧକ ହେବା କଥା ନୁହେଁ। ଓଡ଼ିଆ ଆଇଏଏସ୍‌ ଅଧିକାରୀ ମଧ୍ୟ ଅନ୍ୟ ରାଜ୍ୟରେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ତେଣୁ ଏହାକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ିବା ଯୁକ୍ତିଯୁକ୍ତି ହେବନାହିଁ ବୋଲି ସେମାନେ ମତ ଦେଇଛନ୍ତି।

ଉଲ୍ଲେଖଥାଉକି, ସ୍ବାଧୀନତା ପରେ ୧୯୮୦ ମସିହା ପର୍ଯ୍ୟନ୍ତ ଅଣଓଡ଼ିଆ ଆଇଏଏସ୍‌ ଅଧିକାରୀ ହିଁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଉଥିଲେ। ୧୯୮୦ ମାର୍ଚ୍ଚ ମାସରେ ସୁଧାଂଶୁ ମୋହନ ପଟ୍ଟନାୟକଙ୍କୁ ପ୍ରଥମ ଓଡ଼ିଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ୧୯୮୩ ମସିହାରେ ଏଲ୍‌ଆଇ ପରିଜା ମୁଖ୍ୟ ଶାସନ ସଚିବ ଭାବେ ଏକ ମାସ ପାଇଁ ଦାୟିତ୍ବ ନେଇଥିଲେ। ସେହି ବର୍ଷ ଏପ୍ରିଲ୍‌ ମାସରେ ଶେଷ ଥର ପାଇଁ ଅଣଓଡ଼ିଆ ଆଇଏଏସ୍‌ ଅଧିକାରୀ ଜି ଚାନ୍ଦ (ଜ୍ଞାନ ଚାନ୍ଦ) ମୁଖ୍ୟ ଶାସନ ସଚିବ ହୋଇଥିଲେ। ସେ ୧୯୮୫ ଡିସେମ୍ବର ମାସ ଯାଏ ଏହି ଦାୟିତ୍ବରେ ରହିଥିଲେ। ଏହା ପରଠାରୁ ମୁଖ୍ୟ ସଚିବ ପଦବିଟି ସବୁବେଳେ ଓଡ଼ିଆ ଆଇଏଏସ୍‌ ଅଧିକାରୀଙ୍କ ପାଖରେ ହିଁ ରହିଆସିଛି। ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ବାଳ, ବିଜୁ ପଟ୍ଟନାୟକ, ଗିରିଧର ଗମାଙ୍ଗୋ ଓ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଓଡ଼ିଆ ଆଇଏଏସ୍‌ ଅଧିକାରୀମାନେ ପ୍ରଶାସନର ଏହି ସର୍ବୋଚ୍ଚ ପଦବି ଅଳଙ୍କୃତ କରି ଆସିଛନ୍ତି। ହେଲେ ଚାରି ଦଶନ୍ଧି ଧରି ଚାଲି ଆସିଥିବା ଏହି ପରମ୍ପରାରେ ବ୍ରେକ୍ ଲଗାଇଛନ୍ତି ବିଜେପି ସରକାର।

ଯେହେତୁ ଗତ ନିର୍ବାଚନରେ ଓଡ଼ିଆ ଅସ୍ମିତା ବଡ଼ ପ୍ରସଙ୍ଗ ଥିଲା, ତେଣୁ ସରକାରଙ୍କ ଏହି ନିଯୁକ୍ତିକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଆରମ୍ଭ ହୋଇଛି। ଗତ ସରକାର ସମୟରେ କିଛି ଅଣଓଡ଼ିଆ ଅଧିକାରୀଙ୍କୁ ବଡ଼ ବଡ଼ ବିଭାଗରେ କାହିଁକି ନିଯୁକ୍ତି ଦିଆଯାଉଛି ବୋଲି ବିଜେପି ବାରମ୍ବାର ପ୍ରଶ୍ନ ଉଠାଇଥିଲା। ଏହାକୁ ନିର୍ବାଚନରେ ପ୍ରସଙ୍ଗ କରି ତତ୍‌କାଳୀନ ବିଜେଡି ସରକାରକୁ ଅଡ଼ୁଆରେ ପକାଇଥିଲା ଦଳ। ଏପରିକି ଗୋଟିଏ ସମୟରେ ବରିଷ୍ଠ ଆଇଏଏସ୍‌ ଅନୁ ଗର୍ଗ ଓ ବରିଷ୍ଠ ଆଇପିଏସ୍‌ ଅଧିକାରୀ ବି ରାଧିକାଙ୍କୁ ଯଥାକ୍ରମେ ମୁଖ୍ୟସଚିବ ଓ ପୁଲିସ ମୁଖିଆ (ଡିଜିପି) କରିବାକୁ ସରକାର ଚିନ୍ତା କରୁଥିବା କ୍ଷମତା କରିଡରରେ ଚର୍ଚ୍ଚା ହେଉଥିଲା। ଏହା ମଧ୍ୟ ଅଧାରାସ୍ତାରେ ଅଟକିଯାଇଥିଲା ଓ ସରକାର ଏଭଳି ନିଷ୍ପତ୍ତି ନେବାକୁ ସାହସ କଲେନାହିଁ। ଫଳରେ ପ୍ରଦୀପ ଜେନାଙ୍କୁ ସରକାର ମୁଖ୍ୟସଚିବ କରିବାକୁ ବାଧ୍ୟ ହେଲେ ଓ ପୁଲିସ ମୁଖିଆ ଦାୟିତ୍ବରେ ଅସ୍ଥାୟୀ ଭାବେ ଅରୁଣ ଷଡ଼ଙ୍ଗୀକୁ ରଖିବାକୁ ପଡ଼ିଲା। ଏହା ସତ୍ତ୍ବେ ବିଜେପିର ‘ଓଡ଼ିଆ ଅସ୍ମିତା’ ନାରା ସରକାରକୁ କ୍ଷତବିକ୍ଷତ କରିଦେଲା। ଶ୍ରୀ ଆହୁଜାଙ୍କ ନିଯୁକ୍ତି ପରେ ଆଗକୁ ପୁଲିସ ଡିଜି କିଏ ହେବେ, ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି। କାରଣ ଶ୍ରୀ ଷଡ଼ଙ୍ଗୀ ବର୍ତ୍ତମାନ ପୂର୍ଣ୍ଣକାଳୀନ ଡିଜି ଭାବେ ନିଯୁକ୍ତି ପାଇନାହାନ୍ତି। ଡିଜି ପଦବି ଦୌଡ଼ରେ ମୁଖ୍ୟତଃ ଅଣଓଡ଼ିଆ ଅଧିକାରୀ ଆଗରେ ଥିବାରୁ ସରକାର କି ପଦକ୍ଷେପ ନେବେ ତାହା ଉପରେ ନଜର ରହିଛି।

ସମ୍ବନ୍ଧିତ ଖବର