ପାପ ସଂପର୍କରୁ ବଳିପଡ଼ିଲା ୭ ବର୍ଷର ଝିଅ, ଭାଣିଜୀର ତଣ୍ଟିକାଟି ହତ୍ୟା କରିଥିଲା ମାମୁ

୪ ଦିନ ପରେ ଜଳାଶୟରୁ ମିଳିଲା ମୃତଦେହ, ବାଲିଆପାଳ ସୁନ୍ଦୁରିକୁଲି ଗାଁରେ ଉତ୍ତେଜନା

ବାଲିଆପାଳ/କାଳିପଦା: ଦିଅର-ଭାଉଜ ମଧ୍ୟରେ ପାପ ସମ୍ପର୍କ ଦେଖିବା କାଳ ହେଲା। ଆଉ କଥା ପ୍ରଘଟ ହେବା ଭୟରେ ୭ ବର୍ଷୀୟା ଭାଣିଜୀକୁ ଗଳାକାଟି ନୃଶଂସ ଭାବେ ହତ୍ୟା କଲା ସଂପର୍କୀୟ ମାମୁ। ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଜମ୍ଭୀରାଇ ପଞ୍ଚାୟତ ସୁନ୍ଦୁରିକୁଲି ଗାଁର ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଜିଲ୍ଲାବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଘଟଣାର ୪ ଦିନ ପରେ ଏହା ଉପରୁ ପରଦା ହଟାଇଛି ପୁଲିସ। ଏହି ଘଟଣାରେ ଅଭିଯୁକ୍ତ ଦୀପକ ସାହୁ (୨୩)କୁ ଗିରଫ କରାଯାଇଥିବା ବେଳେ ହତ୍ୟାକାଣ୍ଡରେ ସହଯୋଗ କରିଥିବା ସଂପର୍କୀୟ ଭାଉଜକୁ ଥାନାରେ ଅଟକ ରଖି ଜେରା କରାଯାଉଥିବା ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମୃତକର ମା’ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଆଜି ଦିନତମାମ୍‌ ଉତ୍ତେଜନା ଦେଖାଯିବାରୁ ସୁନ୍ଦୁରିକୁଲି ଗାଁରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା।

ଅଭିଯୁକ୍ତ ଗିରଫ, ୨ ପ୍ଲାଟୁନ୍ ଫୋର୍ସ ମୁତୟନ

ସୁନ୍ଦୁରିକୁଲି ଗାଁର ବଳରାମ ପାତ୍ରଙ୍କ ଝିଅ ବିଷ୍ଣୁପ୍ରିୟା ପାତ୍ର (ନେଉଳି, ୭) ସେହି ଗ୍ରାମରେ ଥିବା ତାଙ୍କ ମାମୁଁଘର ଦୟାନିଧି ସାହୁଙ୍କ ଘରେ ରହି ପାଠ ପଢୁଥିଲେ। ଶୁକ୍ରବାର ଟିଉସନ୍‌ ସାରି ସକାଳେ ୯ଟାରେ ଘରକୁ ଫେରିବା ପରେ ନେଉଳି ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିଲା। ହେଲେ ଅତ୍ୟନ୍ତ ରହସ୍ୟଜନକ ଭାବେ ତା’ର ଆଉ ପତ୍ତା ମିଳିନଥିଲା। ଦିନ ଦି’ପହରୁ ବିଳମ୍ବିତ ରାତି ଯାଏ ପରିବାର ଲୋକେ ଓ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶନିବାର ନେଉଳି ନିଖୋଜ ହେବା ସଂକ୍ରାନ୍ତରେ ତା’ର ଫଟୋଚିତ୍ର ସହ ପାର୍ଶ୍ବବର୍ତ୍ତୀ ୬ଟି ପଞ୍ଚାୟତରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା। ତା’ପରେ ବି କୌଣସି ସନ୍ଧାନ ନ ମିଳିବାରୁ ନେଉଳିର ବାପା ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେସ୍ ନଂ ୨୪୫/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ଛାନଭିନ୍ କରିବା ସହ ସନ୍ଦେହରେ ନେଉଳିର ସଂପର୍କୀୟ ମାମୁଁ ସେହି ଗ୍ରାମର ଦୀପକ ସାହୁ (୨୩)କୁ ଉଠାଇ ଆଣିଥିଲା। ପ୍ରଥମେ କିଛି ଜାଣିନଥିବା କହିଥିଲା ଦୀପକ। ହେଲେ ପୁଲିସର ଘନଘନ ପ୍ରଶ୍ନବାଣରେ ସତକଥା ଓଗାଳିଥିଲା।

ଦୀପକର ସ୍ବୀକାରୋକ୍ତି ଅନୁଯାୟୀ, ଜଣେ ସମ୍ପର୍କୀୟ ଭାଉଜ ସହ ତାର ଅନୈତିକ ସମ୍ପର୍କ ରହିଥିବାବେଳେ ନେଉଳି ଏହାକୁ ଦେଖିଦେଇଥିଲା। କାଳେ ଏ ବିଷୟରେ ନେଉଳି କାହାକୁ କହିଦେବ, ସେ ଆଶଙ୍କାରେ ସମ୍ପର୍କୀୟ ମାମୁ ଦୀପକ ଓ ମାଇଁ ମିଳିତ ଭାବେ ନେଉଳିକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଗତ ୧୧ ତାରିଖରେ ଅଭିଯୁକ୍ତ ଦୀପକ ନେଉଳିକୁ ଡାକିନେଇ ଏକ ନିଛାଟିଆ ସ୍ଥାନରେ ତା’ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ପରେ ଏକ ପରିତ୍ୟକ୍ତ ଜଳାଶୟରେ ପକାଇ ଦେଇଥିବା ପୁଲିସ ଆଗରେ ସ୍ବୀକାର କରିଥିଲା। ଆଜି ସକାଳେ ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି, ବାଲିଆପାଳ ଥାନା ଆଇଆଇସି ବିମଳ କୁମାର ନାୟକ ଅଭିଯୁକ୍ତ ଦୀପକକୁ ନେଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ପରିତ୍ୟକ୍ତ ଜଳାଶୟ ମଧ୍ୟରେ ଲୁଚାଇ ରଖିଥିବା ନେଉଳିର ମୃତଦେହକୁ ବାହାର କରିଥିଲା ଅଭିଯୁକ୍ତ। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଦାଆ ଓ ଦାଉଲିକୁ ଜବତ କରିଥିଲା ପୁଲିସ। ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିବା ବେଳେ ଅଭିଯୁକ୍ତର କଳା କାରନାମା ଜାଣିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମାଜିଷ୍ଟ୍ରେଟ୍‌ ତଥା ବାଲିଆପାଳ ତହସିଲଦାର ଦୀପକ କୁମାର ଦାସଙ୍କ ସମେତ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରିବାର ଲୋକେ ଓ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର