କେନ୍ଦ୍ରାପଡ଼ା: ଘରର ସୁନା ଝିଅର ମୃତ୍ୟୁ ହେବା ପରେ ଏବେ ଘରେ ପଡ଼ିଛି କାନ୍ଦ ବୋବାଳି। ୪ବର୍ଷର ଶିଶୁକନ୍ୟାର ଅକାଳ ମୃତ୍ୟୁ ପରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼। ଗୋଟିଏ ପଟେ ଝିଅକୁ ହରାଇବାର ଦୁଃଖ ଆଉ ଅନ୍ୟପଟେ ଆମ ବ୍ୟବସ୍ଥାର ପାଇଁ ସାରା ପରିବାର ପେଶି ହେବାର ଦୁଃଖ। ପାଣିରେ ବୁଡିଯାଇଥିବା କୁନି ଝିଅକୁ ବଂଚାଇବା ପାଇଁ ପରିବାର ଲୋକ ପ୍ରଥମେ ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନାକୁ ବୁଲି ନିରାଶ ହୋଇଥିଲେ। ବେଳେ ଶିଶୁର ମୃତ୍ୟୁ ହେବାରୁ ଲିଖିତ ଅଭିଯୋଗ କରିବା ପାଇଁ ଥାନା ପରେ ଥାନା ଘୁରି ନୟାନ୍ତ ହୋଇଛନ୍ତି ପରିବାର ଲୋକେ।

Advertisment

ସୂଚନା ମୁତାବକ, ଶନିବାର ସକାଳେ ଦାନ୍ତ ଘଷୁଥିବା ସମୟରେ ପୋଖରୀରେ ଖସିପଡ଼ିଲେ ସୁବ୍ରତ ଗିରିଙ୍କ ୪ବର୍ଷର ଝିଅ ଶୁଭଲକ୍ଷ୍ମୀ। ପୋଖରୀ ଭିତରୁ ତାଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରିଥିଲେ ପରିବାର ଲୋକ। ଝିଅର ଏପରି ଅବସ୍ଥା ଦେଖି ନିକଟସ୍ଥ ଡାଙ୍ଗମାଳ ଡାକ୍ତରଖାନାକୁ ତୁରନ୍ତ ନେଇ ଯାଇଥିଲେ ପରିବାର ଲୋକେ। ହେଲେ ସେଠାରେ ଡାକ୍ତର ନଥିଲେ, ଡାକ୍ତରଖାନାରେ ତାଲା ଝୁଲୁଥିଲା। ଏଏନଏମ୍‌ ଦିଦିଙ୍କ ପରାମର୍ଶରେ ଜଣେ କ୍ୱାକ୍‌ ନିକଟକୁ ନେଇ ଯାଇଥିଲେ ଘର ଲୋକ।

ତେବେ ଅନ୍ୟ କିଛି ଉପାୟ ନପାଇ ୪୦କିଲେମିଟର ଦୂର ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର। କିନ୍ତୁ ସେଠାରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ଡାକ୍ତର। ଝିଅର ମୃତ୍ୟୁ ହୋଇଥିବା ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ। ଏ ନେଇ ରାଜନଗର ଥାନାକୁ ଅବଗତ କରିଥିଲେ ଡାକ୍ତରଖାନା କର୍ତୃପକ୍ଷ। ଆଉ ଲିଖିତ ଭାବେ ଅଭିଯୋଗ କରିବା ପାଇଁ ରାଜନଗର ଥାନାରେ ପହଁଚିଥିଲେ ମୃତ ଶୁଭଲକ୍ଷ୍ମୀଙ୍କ ସଂପର୍କୀୟ। ହେଲେ ଅଭିଯୋଗ ରଖିବା ପାଇଁ ରାଜି ହୋଇନଥିଲେ ଥାନା ଅଧିକାରୀ। ରାଜନଗର ଥାନା ଅଂଚଳରେ ଆସୁନାହିଁ, ତାଳଚୁଆ ଥାନାରେ ଜଣାଇବାକୁ ପରିବାର ଲୋକଙ୍କୁ କହିଥିଲା ପୁଲିସ ବାବୁ। ଝିଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିବା ପରିବାର ପ୍ରତି ସମ୍ବେଦନଶୀଳ ବ୍ୟବହାର ମଧ୍ୟ କରୁନାହାନ୍ତି ଥାନା ଅଧିକାରୀ।

ପ୍ରଥମେ ଚିକିତ୍ସା ପାଇଁ ଡାକ୍ତରଖାନାରୁ ଡାକ୍ତରଖାନାକୁ ବୁଲିବା ପରେ ଝିଅର ମୃତ ଦେହ ଧରି ଏ ଥାନାରୁ ସେ ଥାନାକୁ ବୁଲିଥିଲେ ଘରଲୋକ୧ ପୁଣି ୪୦କିଲୋମିଟର ଆସି ତାଳଚୁଆ ଥାନାରେ ପହଁଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ।

ତେବେ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୫ଟି ଜରିଆରେ ଥାନା ଓ ଡାକ୍ତରଖାନାରେ ଚାଲିଥିବା ସେବାର ତଦାରଖ କରାଯାଉଛି। ହେଲେ ଗ୍ରାମାଂଚଳର ଏପରି ସ୍ଥିତି, ଆମ ବ୍ୟବସ୍ଥାର ବିକଳ ଚିତ୍ରକୁ ସ୍ପଷ୍ଟ ଭାବେ ବୟାନ କରୁଛି।