ଜଗତସିଂହପୁର: ପ୍ରାୟ ୪ ଶହ ବର୍ଷ ତଳର ଶ୍ରୀକୃଷ୍ଣ ଏକାଡେମି ହାଇସ୍କୁଲ୍ ପଡ଼ିଆରେ ଥିବା ଐତିହାସିକ ବାମ୍ଫୀ ଏବେ ସମାଧି ନେବାକୁ ବସିଛି। ଏ ସଂପର୍କରେ ବୁଦ୍ଧିଜୀବୀଙ୍କ ପକ୍ଷରୁ ଜିଲ୍ଲାପାଳ ଓ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲେ ବି ପୌରପାଳିକା କିମ୍ବା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁ ନାହିଁ। ପ୍ରାୟ ୪୦ ଫୁଟ୍ ଗଭୀର ବାମ୍ଫୀ ପୋତିହେବାକୁ ଆଉ ମାତ୍ର ଅଳ୍ପ ବାକି ରହିଛି। ଅଳିଆ, ଆବର୍ଜନା, ଗୋଡ଼ି, ମାଟିରେ ପୋତି ହୋଇ ଧୀରେ ଧୀରେ ସମାଧି ନେବାକୁ ବସିଛି। ଐତିହାସିକ ବାମ୍ଫୀକୁ ପୁନରୁଦ୍ଧାର କରାଗଲେ ନିଶ୍ଚିତ ଭାବେ ଏହା ଭବିଷ୍ୟତ ପିଢ଼ି ପାଇଁ ଜାଣିବାର ବିଷୟ ହୋଇ ରହିବ ବୋଲି କୁହାଯାଉଛି।
ଏହି ବାମ୍ଫୀ ପାଖପାଖି ୪୦୦ ବର୍ଷର ପୁରୁଣା ବୋଲି ଗବେଷକମାନେ ଅନୁମାନ କରୁଛନ୍ତି। ୧୬୩୦ରେ ଇଂରେଜ ନାବିକ ବ୍ରୁଟନ୍ଙ୍କ ସହ ୭ ଜଣ ସମୁଦ୍ର ପଥ ଦେଇ ମାଛଗାଁ ନିକଟ ସମୁଦ୍ର ସହ ସଂଯୋଗ ପାଟୁଆ ନଦୀ ବାଟେ ମରିଚପୁରରେ ପହଞ୍ଚିଥିଲେ। ସେଠାରେ ରାଜାଙ୍କ ଶାସନ ଥିଲା। ତେବେ ନାବିକମାନେ ବ୍ୟବସାୟ କରିବା ଲକ୍ଷ୍ୟ ନେଇ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଥିବା ପର୍ତ୍ତୁଗୀଜଙ୍କ ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହେବା ପରେ ରାଜାଙ୍କ ଅନୁମତି ନେଇ ବାଲିକୁଦା ଆସିଥିଲେ। ବ୍ରୁଟନଙ୍କ ଲିଖିତ ବହି ଅନୁସାରେ, ସେତେବେଳେ ବାଲିକୁଦା ଏକ ପୁରୁଣା ସହର ଥିଲା। ସେମାନେ ବାଲିକୁଦାରୁ ଅଳକା ନଦୀ ଦେଇ ଜଗତସିଂହପୁରରେ ପହଞ୍ଚିଥିଲେ। ବର୍ତ୍ତମାନ ଯେଉଁଠି ଶ୍ରୀକୃଷ୍ଣ ଏକାଡେମୀ ରହିଛି ସେହି ଜାଗାକୁ ସେମାନେ ଚିହ୍ନଟ କରି ରହିଥିଲେ। ନିକଟରେ ଅଳକା ନଦୀ ଥିବା ବେଳେ ସେହି ସ୍ଥାନଟି ଉଚ୍ଚା ଥିଲା।
ସେତେବେଳେ ସୁବେଦାର ଥିବା ଆଗା ଜମିନଙ୍କ ଠାରୁ ଅନୁମତି ନେଇ ସେଠାରେ ସେମାନେ ରହି ଏକ ସୂତାକଳ ତିଆରି କରିଥିଲେ। ପ୍ରାୟ ୫/୭ ବର୍ଷ ସୂତାକଳ ଚାଲିବା ପରେ ତାହା ବନ୍ଦ ହୋଇ ଯାଇଥିଲେ। ବ୍ୟବସାୟ କରିବାକୁ ଆସିଥିବା ଇଂରେଜମାନେ ଫେରି ଯାଇଥିଲେ। ୧୮୦୩ରେ ଇଂରେଜ ଓଡ଼ିଶାକୁ ସମ୍ପୂର୍ଣ୍ଣ କବଜା କରି ଶାସନ କରିବାର ୧୭୦ ବର୍ଷ ପୂର୍ବରୁ ସେଠାକୁ ବ୍ୟବସାୟ କରିବାକୁ ଆସିଥିଲେ। ତେବେ ନିତ୍ୟ ବ୍ୟବହାର ପାଇଁ ସେହି ସମୟରେ ବାମ୍ଫୀ ତିଆରି ହୋଇଥିବା ଅନୁମାନ କରାଯାଏ ବୋଲି ଗବେଷକ ମତ ରଖିଛନ୍ତି। କିମ୍ବଦନ୍ତୀ ଅନୁସାରେ ସେହି ବାମ୍ଫୀକୁ 'ଘୋଡ଼ାଡିଆଁ' ବୋଲି କୁହାଯାଏ।