ଜୟପୁର: ୧୯୮୦ ମସିହାରେ ଉଡ଼ୁଥିଲା ୧୯ ସିଟ୍ ବିମାନ। ସେବା ଯୋଗାଉଥିଲା ବାୟୁଦୂତ। ଏବେ ବିମାନ ବନ୍ଦର ଭିତ୍ତିଭୂମିରେ ବ୍ୟାପକ ଅଗ୍ରଗତି ହୋଇଛି। ରନ୍ୱେଠାରୁ ଆରମ୍ଭ କରି ସିଗନାଲ୍, ଏୟାର ଟ୍ରାଫିକ୍ ବ୍ୟବସ୍ଥାର ହୋଇଛି ଆଧୁନିକୀକରଣ। ତଥାପି ଭିତ୍ତିଭୂମି ଅଭାବ ଥିବା ଦର୍ଶାଇ କେବଳ ୯ ସିଟ୍ ବିମାନ ଉଡ଼ାଣକୁ ମିଳିଛି ଅନୁମତି। ବାରମ୍ବାର ଦାବି ସତ୍ତ୍ବେ ୪୨ ସିଟ୍ ବିମାନ ଉଡ଼ାଣ କ୍ଷେତ୍ରରେ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି ସରକାର। ଫଳରେ ଜରୁରି କାମରେ ଲୋକଙ୍କ ସେବା ଯୋଗାଇବାରେ ବିଫଳ ହୋଇଛି ଜୟପୁର ବିମାନ ବନ୍ଦର।
୨୦୨୨ରେ ଉଡ଼ାନ୍ ଯୋଜନାରେ କାର୍ଯ୍ୟକାରୀ ହୋଇଥିଲା ଜୟପୁର ବିମାନ ବନ୍ଦର। ପରିଚାଳନା ଦାୟିତ୍ବ ନେଇଥିଲେ ରାଜ୍ୟ ସରକାର। ପ୍ରଥମେ ଚଳାଚଳ କରିଥିଲା ୯ ସିଟ୍ ବିଶିଷ୍ଟ ବିମାନ। ଯାତ୍ରୀ ସଂଖ୍ୟା ବୃଦ୍ଧି ପରେ ଅଧିକ ସିଟ୍ ସଂଖ୍ୟକ ବିମାନ ଉଡ଼ାଣ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ସରକାର। ବାରମ୍ବାର ଦାବି ସହ ଏ ନେଇ ବିଧାନସଭାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ ଉଠାଇବା ପରେ ଭିତ୍ତିଭୂମିର ବିକାଶ ସହ ରନ୍ୱେ ସମ୍ପ୍ରସାରଣ କାମ ସରିନଥିବାରୁ ଅଧିକ ସିଟ୍ ସଂଖ୍ୟକ ବିମାନ ଉଡ଼ାଣ ଭରିପାରୁନି ବୋଲି ସରକାର କହିଛନ୍ତି। ବିମାନ ବନ୍ଦର ଭିତ୍ତିଭୂମିର ବିକାଶ ସହ ଆବଶ୍ୟକ ୩୦୦ ଏକର ଜମି ଅଧିଗ୍ରହଣ ପାଇଁ ସରକାର ୨୩୮ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ଅନୁଦାନ ରାଶି ପଡ଼ି ରହିଥିବା ବେଳେ ସର୍ଭେରେ ସୀମିତ ରହିଛି ଜମି ଅଧିଗ୍ରହଣ ପ୍ରକ୍ରିୟା। ବିମାନ ବନ୍ଦରର ଦକ୍ଷିଣ ଦିଗକୁ ପାହାଡ଼, ପର୍ବତ ଘେରି ରହିଛି। ଏଣୁ ଉତ୍ତର ଦିଗରେ ରନୱେର ସମ୍ପ୍ରସାରଣ କରିବାକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ବିମାନ ବନ୍ଦରରୁ ବାଙ୍କବିଜା, ଏକମ୍ବା ଗାଁ ଦେଇ ରେଳ ଷ୍ଟେସନ ପର୍ଯ୍ୟନ୍ତ ଲମ୍ବିବ ରନ୍ୱେ। ଏଥି ସହ ବିମାନ ବନ୍ଦରକୁ ଲାଗିଥିବା ୫ଟି ଗ୍ରାମବାସୀ ଜମି ହରାଉ ଥିବାରୁ ତାହାର ଚିହ୍ନଟୀକରଣ କରିବା ସହ ଖୁଣ୍ଟ ପୋତିଛି ସର୍ଭେ କରୁଥିବା ଦିଲ୍ଲୀର ରାଇଟ୍ସ ସଂସ୍ଥା। ରାଇଟସ୍ ସଂସ୍ଥାକୁ ବିମାନ ବନ୍ଦର ସମ୍ପ୍ରସାରଣ ଲାଗି ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିପିଆର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦାଖଲ ପରେ ସମ୍ପ୍ରସାରଣ କାମ ଆରମ୍ଭ ହେବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।
ରନ୍ୱେ ସମ୍ପ୍ରସାରଣ ହେଲେ ୪୨ ସିଟ୍ ବିମାନ ସହ ସର୍ବାଧିକ ୮୦ ସିଟ୍ ବିଶିଷ୍ଟ ବିମାନ ଜୟପୁରରୁ ଉଡ଼ାଣ ଭରିପାରିବ। ଫଳରେ କୋଲକାତା, ଭୁବନେଶ୍ବର, ଜୟପୁର, ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ବିଶାଖାପାଟଣା ଆକାଶ ପଥରେ ଯୋଡ଼ିହେବ। ଅଧିକ ବିମାନ ଚଳାଚଳ କରିବ। ବର୍ତ୍ତମାନ ଚଳାଚଳ କରୁଥିବା ୯ ସିଟ୍ ବିଶିଷ୍ଟ ବିମାନରେ ଯାତ୍ରା କରିବା ପାଇଁ ମାସକ ଆଗରୁ ଟିକେଟ୍ ବୁକିଂ କରିବାକୁ ପଡ଼ୁଛି। ଫଳରେ ଜରୁରି କାର୍ଯ୍ୟ ସହିତ ମେଡ଼ିକାଲ୍ କାମରେ ଭୁବନେଶ୍ବର, ବିଶାଖାପାଟଣା ଯିବାକୁ ଚାହୁଥିବା ଯାତ୍ରୀ ନିରାଶ ହେଉଛନ୍ତି।