ନୟାଗଡ଼/ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ପଦ୍ମାବତୀ ନିକଟସ୍ଥ ଦେଇ ବହିଯାଇଥିବା ମହାନଦୀରେ ପ୍ରାୟ ୫୦୦ ବର୍ଷ ତଳର ଏକ ଗୋପୀନାଥ ମନ୍ଦିର (ରାଧାକୃଷ୍ଣ/ବିଷ୍ଣୁ)କୁ ନେଇ ଏବେ ସବୁଠି ଚର୍ଚ୍ଚା। କିଛି ବର୍ଷ ତଳେ ଏହି ମନ୍ଦିରର ଅଗ୍ରଭାଗ ନଦୀ ପାଣି କମ୍ ଥିବାରୁ ଦେଖାଯାଇଥିଲା, ଚଳିତବର୍ଷ ପୁଣି ଏହା ଦୃଶ୍ୟମାନ ହେବା ସହ ‘ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ୍ କଲଚରାଲ୍ ହେରିଟେଜ୍’(ଇନଟାକ୍)ର ‘ଡକ୍ୟୁମେଣ୍ଟେସେନ୍ ଅଫ୍ ଦ ହେରିଟେଜ୍ ଅଫ୍ ଦ ମହାନଦୀ ଭ୍ୟାଲି’ ପ୍ରକଳ୍ପ ଅଧୀନରେ ଆସିଥିବାରୁ ଏହା ସମଗ୍ର ରାଜ୍ୟର ଦୃଷ୍ଟି ଆକର୍ଷଣ କରିଛି। ଦୁଇ-ତିନି ଦିନ ହେବ ଏହି ସ୍ଥାନକୁ ଯିବାକୁ ଲୋକଙ୍କର ପ୍ରବଳ ଗହଳି ଜମୁଛି। ପଦ୍ମାବତୀ ଗ୍ରାମବାସୀ ତଥା ଐତିହାସିକଙ୍କ ମତରେ ପୂର୍ବରୁ ପଦ୍ମାବତୀ ଗ୍ରାମଟି ଏହି ସ୍ଥାନରେ ଥିଲା। ଏହା ପଦ୍ମାବତୀ ଗ୍ରାମର ମନ୍ଦିର। ସମୟ କ୍ରମେ ମହାନଦୀ ତା’ର ଗତିପଥ ବଦଳାଇବା ସହିତ ବନ୍ୟା ଆଦି କାରଣ ପାଇଁ ୧୯୩୩ ମସିହା ବେଳକୁ ପଦ୍ମାବତୀ ଗ୍ରାମଟି ସଂପୂର୍ଣ୍ଣ ଭାବେ ମହାନଦୀ ଗର୍ଭରେ ଲୀନ ହୋଇ ଯାଇଥିଲା। ନଦୀ ଗତପଥ ବଦଳାଇ ପଦ୍ମାବତୀକୁ ଗ୍ରାସ କରିବାକୁ ପ୍ରାୟ ୩୦ରୁ ୪୦ ବର୍ଷ ଲାଗି ଯାଇଥିଲା। ଧୀରେ ଧୀରେ ପଦ୍ମାବତୀ ଗ୍ରାମ ଗଭୀର ଜଳରାଶିରେ ସମାଧି ନେଇଥିଲା। ଫଳରେ ପଦ୍ମାବତୀ ଗ୍ରାମବାସୀ ସେଠାରୁ ସ୍ଥାନାନ୍ତରିତ ହୋଇଆସି ରଗଡ଼ିପଡ଼ା, ଟିକିରିପଡ଼ା, ବିଜିପୁର, ହେମନ୍ତପାଟଣ, ପଦ୍ମାବତୀ (ନୂଆ କରି ଗଢ଼ିଉଠିଲା) ଆଦି ଗ୍ରାମରେ ବସତି ସ୍ଥାପନ କରିଥିଲେ। ପଦ୍ମାବତୀ ଗ୍ରାମବାସୀ ହସ୍ତତନ୍ତ, କୁଟୀର ଶିଳ୍ପ ସାମଗ୍ରୀ ନିର୍ମାଣ ସହ କୈବର୍ତ୍ତ ଭାବେ କାର୍ଯ୍ୟ କରୁଥିଲେ। ନିଜର ସାମଗ୍ରୀ ସେମାନେ ପଶ୍ଚିମାଞ୍ଚଳକୁ ପଠାଉଥିଲେ। ସେତେବେଳେ ପରିବହନ ପାଇଁ ଜଳପଥର ବ୍ୟାପକ ବ୍ୟବହାର ହେଉଥିବାରୁ ପଦ୍ମାବତୀ ଗ୍ରାମବାସୀ ନଦୀକୂଳେ ବସତି ସ୍ଥାପନ କରିଥିଲେ।
ଏହି ଗ୍ରାମ ଓ ମନ୍ଦିର ନଦୀରେ ଲୀନ ହେବାକୁ ଶହେରୁ ଦେଢ଼ଶହ ବର୍ଷ ଲାଗିଥିବ ବୋଲି ଗବେଷକ ଅନିଲ୍ ଧୀର ମତ ପ୍ରକାଶ କରିଛନ୍ତି। ମନ୍ଦିରର ନିର୍ମାଣ ଶୈଳୀ ଆଦିରୁ ଏହା ୪୦୦ରୁ ୫୦୦ ବର୍ଷ ତଳେ ନିର୍ମାଣ କରାଯାଇଥିଲା ବୋଲି ଶ୍ରୀ ଧୀର କହିଛନ୍ତି। ନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏହି ମନ୍ଦିରର ପ୍ରତିମା ବର୍ତ୍ତମାନର ପଦ୍ମାବତୀ ଗ୍ରାମର କୈବର୍ତ୍ତସାହି ନିକଟରେ ନିର୍ମାଣ କରାଯାଇଥିବା ମନ୍ଦିରରେ ସ୍ଥାପନ କରାଯାଇଥିବା ଶୁଣାଯାଏ। ସେହିଭଳି ନଦୀଗର୍ଭରେ ଲୀନ ହୋଇଯାଇଥିବା ପଦ୍ମାବତୀର ଜଗନ୍ନାଥ ମନ୍ଦିରର ପ୍ରତିମା ଟିକିରିପଡ଼ାରେ ଦଧିବାମନଜିଉ ମନ୍ଦିରରେ, ପଦ୍ମାବତୀ ଗ୍ରାମର ପଦ୍ମନାଭ ସାଆନ୍ତରାଙ୍କ ଦ୍ବାରା ପ୍ରତିଷ୍ଠିତ ରାସବିହାରୀ ଦେବ ମନ୍ଦିରର ପ୍ରତିମା ଏବେ ଏବେ ପଦ୍ମାବତୀରେ ସ୍ଥାନ ପାଇଛି। ମୂଳ ପଦ୍ମାବତୀ ଗ୍ରାମ ନଦୀ ଗର୍ଭରେ ଲୀନ ହୋଇଯିବା ପରେ ଏହିପରି ଅନେକ ମନ୍ଦିରର ପ୍ରତିମା ସବୁକୁ ପୂର୍ବସ୍ଥାନରୁ ଉଠାଇ ଆଣି ଏବର ପଦ୍ମାବତୀ ଗ୍ରାମରେ ସ୍ଥାପନ କରାଯାଇଛି। ଏହି ଗ୍ରାମରେ ଆହୁରି ଅନେକ ମନ୍ଦିର ରହିଥିବା ଗ୍ରାମବାସୀ କହିଥିବା ବେଳେ, ନଦୀର ପାଣି କମିଲେ ବି ସବୁ ମନ୍ଦିର ସ୍ପଷ୍ଟ ରୂପେ ଦେଖାଯାଇନଥାଏ। ବୋଧହୁଏ ଗୋପୀନାଥ ମନ୍ଦିର ଅଧିକ ଉଚ୍ଚ ହୋଇଥିବାରୁ ଦେଖାଯାଏ ବୋଲି ୪୦ ବର୍ଷ ହେଲା ମହାନଦୀରେ ନାଉରିଆ ଭାବେ ବୃତ୍ତି ନିର୍ବାହ କରୁଥିବା ଆନନ୍ଦ ବେହେରା କହିଛନ୍ତି।
ଇନ୍ଟାକ୍ର ଏହା ଅଭିନବ ପ୍ରୟାସ
ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ୍ କଲଚରାଲ୍ ହେରିଟେଜ୍ (ଇନଟାକ୍) ପକ୍ଷରୁ ‘ଡକ୍ୟୁମେଣ୍ଟେସେନ୍ ଅଫ୍ ଦି ହେରିଟେଜ୍ ଅଫ୍ ଦ ମହାନଦୀ ରିଭର୍ ଭ୍ୟାଲି’ ପ୍ରକଳ୍ପ ଆରମ୍ଭ କରାଯାଇଛି। ଛତିଶଗଡ଼ରୁ ମହାନଦୀ ବାହାରିଥିବା ସ୍ଥାନରୁ ଜଗତସିଂହପୁର ଜିଲ୍ଲାର ପାରାଦୀପ ପର୍ଯ୍ୟନ୍ତ, ୧୭୦୦ କିମି (ଉଭୟ ପାର୍ଶ୍ବ) କୂଳଠାରୁ ୫ ରୁ ୭ କିମି ମଧ୍ୟରେ ଥିବା ସମସ୍ତ ପୁରାତନ କୀର୍ତ୍ତିର ଚିହ୍ନଟ କରାଯିବ। ଏହି ସମସ୍ତ ଜିନିଷର ରେକର୍ଡିଂ କରାଯାଉଛି, ଫେବ୍ରୁଆରିରେ ଏହାର ତାଲିକା ପ୍ରକାଶ ପାଇବ।
-ଅନୀଲ ଧୀର, ଗବେଷକ
ଆମ ଗାଁ ନଦୀରେ ବୁଡ଼ିବା ବେଳକୁ ୬ ବର୍ଷର ହୋଇଥିଲି
୧୯୩୩ ମସିହା ବେଳକୁ ଆମ ଗ୍ରାମ ସଂପୂର୍ଣ୍ଣ ଭାବେ ମହାନଦୀରେ ମିଶିଯାଇଥିଲା। ମୋତେ ସେତେବେଳକୁ ୬ ବର୍ଷ ବୟସ ହୋଇଥିଲା। ଆମେ ପାଞ୍ଚ ଭାଇ, ଭଉଣୀ ଆସି ପଦ୍ମାବତୀ ୟୁପି ସ୍କୁଲ୍ରେ ଆଶ୍ରୟ ନେଇଥିଲୁ। ସେ ବର୍ଷ ବନ୍ୟା ସାଙ୍ଗକୁ ନଦୀ ଗତିପଥ ବଦଳାଇବା ଆମ ପାଇଁ କାଳ ସାଜିଥିଲା।
-ସନାତନ ସାହୁ, ପଦ୍ମାବତୀ ଗ୍ରାମବାସୀ
ଏଏସ୍ଆଇ ଏହି ମନ୍ଦିରରୁ ଅନେକ ତଥ୍ୟ ପାଇପାରିବ
ପଦ୍ମାବତୀ ଏକ ଐତିହ୍ୟସମ୍ପନ୍ନ ଗ୍ରାମ ଥିଲା। ସେ ସମୟରେ ସେଠାରେ ବ୍ୟବସାୟୀ ଗୋଷ୍ଠୀର ଲୋକ ବସବାସ କରୁଥିଲେ। ଏବେକାର ପଦ୍ମାବତୀରେ ମଧ୍ୟ ସମସ୍ତେ ବ୍ୟବସାୟ, ଚାକିରି ଉପରେ ନିର୍ଭରଶୀଳ। ନଦୀରେ ବୁଡ଼ିରହିଥିବା ଗୋପୀନାଥ ମନ୍ଦିରକୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ହାତକୁ ନେବା ଦରକାର। ଗବେଷଣା କଲେ, ଏଠାରୁ ଅନେକ ତଥ୍ୟ ମିଳିପାରିବ।
ଡ. ପବିତ୍ର କୁମାର ସୁବୁଦ୍ଧି, ପ୍ରାଧ୍ୟାପକ