ବୁର୍ଲା: ହୀରାକୁଦ ନଦୀବନ୍ଧ ଓ ଏହା ସଂଲଗ୍ନ ଅଞ୍ଚଳ ଭୂକମ୍ପପ୍ରବଣ ‘ସେସ୍ମିକ ଜୋନ୍-୩’ରେ ରହିଥିବା ପୂର୍ବରୁ ଚିହ୍ନଟ ହୋଇଛି। ସମ୍ଭାବ୍ୟ ଭୂକମ୍ପ ସ୍ଥିତି ଉପୁଜିଲେ ନଦୀବନ୍ଧ କେତେ ପ୍ରଭାବିତ ହେବ, ସେ ନେଇ ଏକ କେନ୍ଦ୍ରୀୟ ଦଳ ହୀରାକୁଦ ନଦୀବନ୍ଧ ପରିଦର୍ଶନ କରିଛନ୍ତି। ଦଳରେ ସାମିଲ ହୋଇଥିବା ୬ ଜଣ ବିଶେଷଜ୍ଞଙ୍କ ମଧ୍ୟରେ ୪ଜଣ ପ୍ରଫେସର, ଆଇଆଇଟି ଚେନ୍ନାଇର ଜଣେ ପ୍ରଫେସର, ସିଏସ୍ଏମ୍ଆରଏସ୍ର ଜଣେ ବରିଷ୍ଠ ବୈଜ୍ଞାନିକ ଓ ଜଣେ ଜଳଶକ୍ତି ମିସନ୍ର ଅଧିକାରୀ ରହିଥିଲେ।
ବିଶେଷଜ୍ଞ ଦଳ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅଶୋକ ନିବାସରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଅଧିକାରୀଙ୍କ ସହ ସମଗ୍ର ଡ୍ୟାମ୍ ପରିସର ବୁଲି ଅନୁଧ୍ୟାନ କରିଥିବା ଜଣାଯାଇଛି। ନଦୀବନ୍ଧ ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୁଧୀର ସାହୁ ବିଶେଷଜ୍ଞ ଦଳଙ୍କ ସହ ଉପସ୍ଥିତ ରହିଥିଲେ। ନଦୀବନ୍ଧର ଡାହାଣ ପାର୍ଶ୍ୱ ସ୍ପିଲ୍ୱେ, ବାମପାର୍ଶ୍ୱ ସ୍ପିଲ୍ୱେ, ଅପରେସନ୍ ଗ୍ୟାଲେରି, ଫାଉଣ୍ଡେସନ୍ ଗ୍ୟାଲେରି ଓ ଡାଇକ୍ ଅଞ୍ଚଳ ବୁଲି ବିଶେଷଜ୍ଞ ଦଳ ତଥ୍ୟ ସଂଗ୍ରହ କରିବା ସହ ରାତିରେ ଫେରି ଯାଇଥିବା ଜଣାଯାଇଛି।