କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଗନ୍ଧମାର୍ଦ୍ଧନ ଓଏମ୍ସି ଖଣିରେ ଗାଡ଼ି ଲଗାଣରେ ବ୍ୟାପକ ଅନିୟମିତତା ହୋଇଛି। ୬ ବର୍ଷ ପୁରୁଣା ଗାଡ଼ିକୁ ୩ ବର୍ଷର ଦେଖାଇ ଓଏମ୍ସି କାମରେ ଲଗାଯାଇଥିବା ବେଳେ ବାଇକ୍ରେ ନିୟମିତ ପାଣି ବୁହାଯାଉଥିବା ଦର୍ଶାଯାଇଛି। ଏଭଳି ଘଟଣା ସାମନାକୁ ଆସିବା ପରେ ଓଏମ୍ସି ଅଧିକାରୀ ଓ ଗାଡ଼ି ମାଲିକଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ପଦାରେ ପଡ଼ିଛି।
ଓଏମ୍ସିରୁ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏଠାରୁ ପ୍ରତିଦିନ ଟ୍ରକ୍ରେ ଲୁହାପଥର ପରିବହନ କରାଯାଉଛି। ଧୂଳି ନଉଡ଼ିବା ପାଇଁ ପାଣି ସିଞ୍ଚନ କରାଯାଇଥାଏ। ଏଥିପାଇଁ ଓଏମ୍ସି ପକ୍ଷରୁ ୬ଟି ପାଣି ଗାଡ଼ି ନିୟୋଜିତ କରାଯାଇଛି। ଏସବୁ ଗାଡ଼ିରେ ପ୍ରତିଦିନ ୧୭୧ କିଲୋଲିଟର ପାଣି ସିଞ୍ଚନ କରାଯାଉଛି। ପାଣି ବୋହିବା ପାଇଁ ନିୟୋଜିତ ୬ ଗାଡ଼ି ମଧ୍ୟରେ ରହିଛି (ଓଡି-୩୩ ଏଚ୍-୯୩୮୫) ନମ୍ବର ବିଶିଷ୍ଟ ଏକ ବାଇକ୍। ଏଥିରେ ଦୈନିକ ୨୫ କିଲୋଲିଟର ଅର୍ଥାତ ୨୫ ହଜାର ଲିଟର ପାଣି ବୁହାଯାଉଥିବା ଦର୍ଶାଯାଇଛି। ସରକାରୀ ପୋର୍ଟାଲରୁ ମଳିଥିବା ସୂଚନା ଅନୁସାରେ, ଏହି ଗାଡ଼ି ହେଉଛି ଏକ ହିରୋ ଗ୍ଲାମର ଏବଂ ଏହା ମଙ୍ଗୁଳି ପ୍ରଧାନଙ୍କ ନାମରେ ଅଛି। ବାଇକ୍ରେ କିଭଳି ଏତେ ପରିମାଣରେ ପାଣି ବୁହାଗଲା ତାହା ସମସ୍ତଙ୍କୁ ଚକିତ କରିଛି।
ଓଏମ୍ସିରେ ଗାଡ଼ି ନିୟୋଜିତ କରିବା ପାଇଁ ଟେଣ୍ଡର ହୋଇଥିଲା। ଏଠାରେ ତିନିବର୍ଷରୁ କମ୍ ଗାଡ଼ିକୁ ଲଗାଇବାର ନିୟମ ଥିଲା। ଉଦ୍ଦେଶ୍ୟମୂଳକ ଭାବେ ସମସ୍ତ ପୁରୁଣା ଗାଡ଼ିକୁ ଓଏମ୍ସିରେ ଲଗାଯାଇଛି। ଅଧିକାଂଶ ଗାଡ଼ିର ପଞ୍ଜୀକରଣ ୩ ବର୍ଷରୁ ଅଧିକ ହୋଇଥିବା ଜଣାପଡ଼ିଛି। ଓଏମ୍ସି ଆଞ୍ଚଳିକ ପ୍ରବନ୍ଧକ ନିଜେ ଚଢ଼ୁଥିବା ସ୍କର୍ପିଓ ନମ୍ବର ହେଉଛି (ଓଡି-୦୯ବି-୯୭୪୦)। ଏହି ଗାଡ଼ି ଗନ୍ଧମାର୍ଦ୍ଧନ ଟ୍ରାଭେଲ୍ସ ନାମକ ଏକ ସଂସ୍ଥା ଲଗାଇଛି। ଗାଡ଼ିଟି ୬ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, ମୋନାଲିସା ବେହେରାଙ୍କ ନାମରେ ଥିବା ଏହି ଗାଡ଼ି ୨୦୧୪ ମସିହା ମେ ୨୬ ତାରିଖରେ ପଞ୍ଜିକୃତ ହୋଇଛି। ସେହିପରି ଏଠାକାର ଏକ ଆମ୍ବୁଲାନ୍ସର ନମ୍ବର ହେଉଛି (ଓଡି-୦୯ଡି-୩୯୭୪)। ଏହା ୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ପଞ୍ଜିକୃତ ହୋଇଛି। ଏଠାରେ ଲାଗିଥିବା (ଓଡି-୦୯ବି-୯୧୭୩) କ୍ୟାମ୍ପର ଗାଡ଼ି ମଧ୍ୟ ୬ ବର୍ଷ ୫ ମାସ ତଳର ବୋଲି ଜଣାପଡ଼ିଛି। ଏଠାରେ ଚାଲୁଥିବା ଏକ ବସ୍ (ଓଡି-୦୯-୭୮୭୨) ୭ ବର୍ଷ ୫ ମାସ ତଳୁ ପଞ୍ଜିକୃତ ହୋଇଥିବା ବେଳେ (ଓଡି-୦୯ଏଲ-୦୦୭୨) ନମ୍ବରବିଶିଷ୍ଟ ଏକ ୱାଟର ଟ୍ୟାଙ୍କର ୩ ବର୍ଷ ଏକ ମାସ ପୁରୁଣା। (ଓଡି-୦୯ଜେ-୨୪୫୭) ନମ୍ବର ବିଶିଷ୍ଟ ବୋଲେରୋ ୩ ବର୍ଷ ୨ ମାସ ପୁରୁଣା। ଏହି ଗାଡ଼ିଗୁଡ଼ିକ ମଧ୍ୟ ମୋନାଲିସା ବେହେରାଙ୍କ ନାମରେ ଅଛି। ସେହିପରି ସୁଜାତା ନାୟକଙ୍କ ନାମରେ ଥିବା (ଓଡି-୦୯ଜେ-୦୬୬୯) ନମ୍ବରର ବୋଲେରୋଟି ୩ ବର୍ଷ ୩ ମାସ ତଳର ବୋଲି ଜଣାପଡ଼ିଛି। (ଓଡି-୦୯ବି-୯୮୨୨) ନମ୍ବରବିଶିଷ୍ଟ ମାକ୍ସିମା ଗାଡ଼ିର ଫିଟ୍ନେସ ନାହିଁ।
ଏ ସମ୍ପର୍କରେ ଓଏମ୍ସିର ଆଞ୍ଚଳିକ ପ୍ରବନ୍ଧକ ଅନୁରାଗ ଓଝାଙ୍କୁ ପଚାରିବାରୁ କହିଥିଲେ, ପୁରୁଣା ଗାଡ଼ି ଲଗାଯିବା ସମ୍ପର୍କରେ ସେ ଅବଗତ ଅଛନ୍ତି। ଏହାକୁ ତୁରନ୍ତ ବଦଳାଯିବ। ସେହିପରି ବାଇକ୍ରେ ପାଣି ବୁହାଯିବା ପ୍ରସଙ୍ଗରେ ଶ୍ରୀ ଓଝା କହିଛନ୍ତି, ଯେଉଁ ଗାଡ଼ି ନମ୍ବରକୁ ନେଇ ବିଭ୍ରାନ୍ତି ସୃଷ୍ଟି ହୋଇଛି ତାହା ସମ୍ପୂର୍ଣ୍ଣ ଭୁଲ ସୂଚନା ଉପରେ ଆଧାରିତ। ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁସାରେ ଦିଆଯାଇଥିବା ତଥ୍ୟରେ ଭୁଲକ୍ରମେ (ଓଡି-୩୩ ଏଚ୍-୯୩୫୦) ବଦଳରେ (ଓଡି-୩୩ଏଚ୍-୯୩୮୫) ହୋଇଯାଇଥିଲା ବୋଲି ଶ୍ରୀ ଓଝା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/omc.jpg)