ଦଶପଲ୍ଲା: ଦଶପଲ୍ଲାବାସୀଙ୍କ ଆଜି ଦୀର୍ଘ ୭୮ ବର୍ଷର ସ୍ବପ୍ନ ସାକାର ହୋଇଛି। ନୂଆଗାଁ ରୋଡ୍‌ରୁ ଦଶପଲ୍ଲାକୁ ରେଳ ସଂଯୋଗ ହେବା ସହ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଆଉପାଦେ ଆଗକୁ ବଢ଼ିଛି। କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ୩ ଦିନିଆ ଓଡ଼ିଶାଗସ୍ତ ଅବସରରେ ଆଜି ପୂର୍ବାହ୍ଣରେ ସ୍ବତନ୍ତ୍ର ଟ୍ରେନ ଯୋଗେ ଦଶପଲ୍ଲାରେ ପହଞ୍ଚି ଏହି ରେଳସେବାର ଶୁଭ ଉଦ୍‌ଘାଟନ କରିଛନ୍ତି। ଅତ୍ୟତମ ଅତିଥି ଭାବେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଏବଂ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ତଥା ଜିଏମ୍ ମନୋଜ ଶର୍ମା, ଖୋର୍ଦ୍ଧା ଡିଆର୍‌ଏମ୍ ଏଚ୍.ଏସ୍‌ ବାଜୱାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଉଦ୍‌ଘାଟନ ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସାରା ଭାରତ ବର୍ଷରେ ଏକ ଐତିହାସିକ ପ୍ରକଳ୍ପ। ୩୦ରୁ ୪୦ ବର୍ଷ ପୂର୍ବେ ଏହି ପ୍ରକଳ୍ପ ହେବହେବ ବୋଲି ଶୁଣୁଥିଲେ। ହେଲେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ ଏହି ପ୍ରକଳ୍ପକୁ ଗୁରୁତ୍ବ ଦିଆଯାଇଛି। ଯାହାକି ଏହି ପ୍ରକଳ୍ପର ଶ୍ରେୟ ମୋଦୀଙ୍କ ଗ୍ୟାରେଣ୍ଟି। ଭାରତ ବର୍ଷରେ ଓଡ଼ିଶାକୁ ସମୃଦ୍ଧ ଓ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରେଳ ପ୍ରକଳ୍ପରେ ଯେଭଳି କୌଣସି ବାଧା ସୃଷ୍ଟି ନହେବ ସେଥିପାଇଁ ଜଙ୍ଗଲ ଓ ପରିବେଶ ଅନୁମତି ମିଳିବା ପରେ ବିନା ବାଧାରେ ଏବେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି। ଯାହାକି ଏହି ପ୍ରକଳ୍ପର ଅଗ୍ରଗତି ପାଇଁ ଏବେ କୌଣସି ବାଧା ଅଟକାଇ ପାରିବ ନାହିଁ।

Advertisment

ଉତ୍ସାହ, ଉଦ୍ଦୀପନାର ସହ ଖୁସି ମନାଇଲେ ଅଞ୍ଚଳବାସୀ
ଫୁଲବାଣୀକୁ ଗଡ଼ିବ ରେଳ
କଣ୍ଟିଲୋ ଓ ଖଣ୍ତପଡ଼ାକୁ ସଂଯୋଗର ସମ୍ଭାବନା
ଦଶପଲ୍ଲାରେ ଟିକେଟ୍ ରିଜର୍ଭେସନ ଘୋଷଣା

ସେହିଭଳି କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ହେବା ପାଇଁ ଘୋଷଣା କରିଛନ୍ତି। ଓରିଡିଏଲ୍ ସଂସ୍ଥା ଏହାର ସର୍ଭେ ଦାୟିତ୍ବ ନେଇଛି। ହେଲେ ଡିପିଆର୍‌ରୁ କନ୍ଧମାଳ ବାଦ୍‌ ପଡ଼ିଥିବା ବେଳେ ଏହାକୁ ସଂଯୋଗ କରି ଫାଇଲ୍ ଦେବାକୁ କୁହାଯାଇଥିବା ସେ କହିଛନ୍ତି। ଯାହାକି କନ୍ଧମାଳକୁ ରେଳ ସଂଯୋଗ ହେବା ଆଶା ଉଜ୍ଜ୍ବଳ ହୋଇଛି। କଣ୍ଟିଲୋ ଏବଂ ଖଣ୍ତପଡ଼ାକୁ ରେଳ ସଂଯୋଗୀକରଣ ନିମନ୍ତେ ସମ୍ଭାବ୍ୟ ଅନୁସନ୍ଧାନ କରାଯିବ ବୋଲି କହିଥିଲେ। ସେହିଭଳି ଦଶପଲ୍ଲା ଷ୍ଟେସନକୁ ଆଜିଠାରୁ ଟିକେଟ ରିଜର୍ଭେସନ ପାଇଁ ଘୋଷଣା କରିଛନ୍ତି। ଯାହାକି ଏହିଠାରୁ ଲୋକମାନେ ଯେକୌଣସି ସ୍ଥାନ ପାଇଁ ରିଜର୍ଭେସନ କରିପାରିବେ। ଓଡ଼ିଶାକୁ ରେଳ ପ୍ରକଳ୍ପ ପାଇଁ ରହିଥିବା କେନ୍ଦ୍ରର ଅବଦାନ ସମ୍ପର୍କରେ ପ୍ରକାଶ କରିଥିଲେ। ୨୦୧୫ ପୂର୍ବରୁ ଓଡ଼ିଶାକୁ ୮ ଶହ କୋଟି ଟଙ୍କା ଆସୁଥିଲା। ମୋଦୀ ସରକାର ଆସିବା ପରଠାରୁ ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ଅନୁଦାନ ଆସୁଛି। ସେହିଭଳି ପୂର୍ବରୁ ବର୍ଷକୁ ଓଡ଼ିଶାରେ ମାତ୍ର ୫୦ କିମି ରେଳ ରାସ୍ତା ନିର୍ମାଣ ହେଉଥିଲା। ଏବେ ପ୍ରତିବର୍ଷ ୪ ଶହ ୫୦ କିମି ରାସ୍ତା ନିର୍ମାଣ ହେଉଛି। ପ୍ରତିବର୍ଷ ଓଡ଼ିଶାର ଗୋଟିଏ ଗୋଟିଏ ଷ୍ଟେସନକୁ ମଡେଲ୍ ଷ୍ଟେସନ କରାଯାଉଛି, ଯାହାକି ଆମେରିକା, ଜାପାନରେ ନିର୍ମାଣ ହୋଇନଥିବ। ଏଭଳି ଷ୍ଟେସନ ହେବ ଯାହାକୁ ଇଂରେଜମାନେ ଆସି ଦେଖିବେ ବୋଲି କହିଥିଲେ। ସେହିଭଳି ବିଧାୟକ ଶ୍ରୀ ବେହେରା ରେଳ ପ୍ରକଳ୍ପ ନିର୍ମାଣ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏମ୍ଏୟୁ ସ୍ବାକ୍ଷର ହୋଇଥିବା କହିଛନ୍ତି। ଏହି ସ୍ବାକ୍ଷର ଦ୍ବାରା ରାଜ୍ୟ ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି। ଏହି ପ୍ରକଳ୍ପ ନୟାଗଡ଼ ଜିଲ୍ଲାର ସମୁଦାୟ ୯୩.୬୪ କିମି ରାସ୍ତା ଅତିକ୍ରମ କରୁଛି। ବର୍ତ୍ତମାନ ଦଶପଲ୍ଲା ପର୍ଯ୍ୟନ୍ତ ୫୬.୩୧ କିମି ପହଞ୍ଚିଥିବା ବେଳେ ଅବଶିଷ୍ଟ ୩୭.୩୩ କିମି ରାସ୍ତା ଅତିକ୍ରମ କରିବାକୁ ବାକି ଅଛି।

କନ୍ଧମାଳ ସାଂସଦ ଶ୍ରୀ ସାମନ୍ତ ନିଜର ସଂସଦୀୟ କ୍ଷେତ୍ର ଦଶପଲ୍ଲାକୁ ରେଳ ଚଳାଚଳ କରିଥିବା ନେଇ ଖୁସି ବ୍ୟକ୍ତ କରିଥିବା ବେଳେ ଖଣିଖାଦନ ବିହୀନ ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଅଞ୍ଚଳ କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ଦାବି କରିଥିଲେ। ଦଶପଲ୍ଲାରେ ଟିକେଟ୍ ରିଜର୍ଭେସନ କାଉଣ୍ଟର ସାଙ୍ଗକୁ ପୁରୁଣା ଦଶପଲ୍ଲା ଏବଂ ମାଳିସାହି କିମ୍ବା ଢେଙ୍କେଣାଠାରେ ୨ଟି ସବ୍‌ଷ୍ଟେସନ ଦାବି କରିଥିଲେ। ଏହା ପରେ ଆନୁଷ୍ଠାନିକ ଭାବେ ଷ୍ଟେସନ ବିଲ୍‌ଡିଂ ଉଦ୍‌ଘାଟନ କରିବା ସହ ସବୁଜ ପତାକା ଦେଖାଇ ରେଳସେବାର ଶୁଭାରମ୍ଭ କରି କଣ୍ଟିଲୋ ଅଭିମୁଖେ ଯାତ୍ରା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ନୟାଗଡ଼ ଜିଲ୍ଲା ସଭାପତି ତାପସ ମାର୍ଥା, ରାଘବ ମଲ୍ଲିକ ଏବଂ ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ।