ସୋର: ଆମ ଜୀବନ ଜୀବିକା କ୍ଷେତ୍ରରେ ଗୋରୁଗାଈଙ୍କ ଅନେକ ଯୋଗଦାନ ରହିଛି। କେବଳ କୃଷିକ୍ଷେତ୍ର ନୁହେଁ, ଗୋରୁଗାଈଙ୍କଠାରୁ ଆମେ ଶରୀର ପାଇଁ ଆବଶ୍ୟକ କରୁଥିବା କ୍ଷୀର ଏବଂ କ୍ଷୀରରୁ ପ୍ରସ୍ତୁତ ଅନ୍ୟାନ୍ୟ ଦ୍ରବ୍ୟ ପାଇଥାଉ। କେବଳ ସେତିକି ନୁହେଁ, ଗାଈର ଗୋବର ବିଭିନ୍ନ କାର୍ଯ୍ୟରେ ଲାଗିଥାଏ। ଗୋମୂତ୍ରରେ ଔଷଧୀୟ ଗୁଣ ବି ରହିଛି। ଗୋରୁଗାଈ ଆମ ପରମ୍ପରାର ଏକ ଅଂଶବିଶେଷ। ଗାଈକୁ ଆମେ ଗୋମାତା ରୂପରେ ପୂଜା କରିଥାଉ। ସେହିପରି ବଳଦକୁ ମଧ୍ୟ ଅନ୍ନଦାତା ଭାବେ ପୂଜା କରୁ। ହେଲେ ଏବେ ଗୋରୁଗାଈମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଯେଉଁ ଗୋଶାଳାଗୁଡ଼ିକ ନିର୍ମାଣ କରାଯାଇଛି, ସେଗୁଡ଼ିକ ଠିକ୍ ଭାବେ ପରିଚାଳିତ ହେଉନାହିଁ। ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଗୋଶାଳାରେ।
ରାଜ୍ୟର ସର୍ବପୁରାତନ ଗୋଶାଳାଗୁଡ଼ିକ ମଧ୍ୟରେ ସୋର ଗୋଶାଳା ଅନ୍ୟତମ। ଯାହା ୧୯୨୪ ମସିହାରେ ମୂଳିସିଂ ଗ୍ରାମରେ ପ୍ରତିଷ୍ଠା ହୋଇଥିଲା। ଏଥିପାଇଁ ଛତ୍ରପୁରର ଜମିଦାର ମଦନମୋହନ କର ଜମି ଦାନ କରିଥିଲେ। ପରବର୍ତ୍ତୀ ସମୟରେ ସୋର ଷ୍ଟେସନ୍ ନିକଟ ଚକରାଇପୁର ଗ୍ରାମକୁ ଉକ୍ତ ଗୋଶାଳାକୁ ସ୍ଥାନାନ୍ତର କରାଯାଇଥିଲା। ୧୯୭୭ ମସିହାରେ ପଞ୍ଜିକୃତ ହୋଇଥିଲା ଏହି ଗୋଶାଳା। ଏଠାରେ ଦାନ ପରେ ଏବଂ ଗୋଚାଲାଣ ବେଳେ ଉଦ୍ଧାର ହେଉଥିବା ଗୋରୁ ତଥା ଦୁର୍ଘଟଣାର ଶିକାର ହେଉଥିବା ମାଲିକବିହୀନ ଗୋରୁମାନଙ୍କୁ ସେବା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଏଠି ୭୧ଟି ଗୋରୁ ଅଛନ୍ତି। ଯେଉଁମାନଙ୍କ ଖାଦ୍ୟ ଓ ସେବା ବାବଦରେ ମାସକୁ ପ୍ରାୟ ୯୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଲୋକଙ୍କ ଦାନ ଅର୍ଥରେ ଗୋଶାଳାଟି ୯୮ ବର୍ଷ ହେଲା ପରିଚାଳିତ ହେଉଛି। ହେଲେ ଏହି ଗୋଶାଳା ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିନାହିଁ। ଗୋଶାଳାର ଉନ୍ନତୀକରଣ ପାଇଁ ଗୋଶାଳା କମିଟି ପକ୍ଷରୁ ସରକାରଙ୍କଠାରେ ଆବେଦନ କରାଯାଇଥିଲା। ଏ ବାବଦରେ ବିଭାଗୀୟ ଅନୁମୋଦନ ମଧ୍ୟ ମିଳିଥିଲା। ହେଲେ ଦୁର୍ଭାଗ୍ୟ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଗୋଶାଳାଟି ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।
ତେବେ ଏପରି ସମୟରେ ତୁରନ୍ତ ଗୋଶାଳାର ଉନ୍ନତୀକରଣ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି। ଗୋଶାଳା ପରିସରରେ କିପରି ଉନ୍ନତମାନର ଘର, ଘାସଚାଷ, ଗୋରୁଗାଈମାନଙ୍କ ଚରାବୁଲା ପାଇଁ ପଡ଼ିଆ ଏବଂ କଂକ୍ରିଟ୍ ରାସ୍ତା ନିର୍ମାଣ ହୋଇପାରିବ; ସେ ନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। କେବଳ ସୋର ଗୋଶାଳା ନୁହେଁ, ରାଜ୍ୟର ଅନ୍ୟ ଗୋଶାଳାଗୁଡ଼ିକର ଉନ୍ନତୀକରଣ ପାଇଁ ସରକାର ପଦକ୍ଷେପ ନେଲେ ଆସନ୍ତାକାଲି ସାରା ରାଜ୍ୟରେ ପାଳିତ ହେଉଥିବା ଗୋଷ୍ଠାଷ୍ଟମୀର ମହତ୍ବକୁ ବଢ଼ାଇବ ନିଶ୍ଚୟ।