ରରୁଆଁ/ଶୁକୃଳି/କରଞ୍ଜିଆଗୋଲେଇ/ସିଙ୍ଗଡ଼ା: କରଞ୍ଜିଆ ବନଖଣ୍ଡ ରରୁଆଁ ସେକ୍ସନ୍‌ ଜାମୁତି ଗାଁ ମୁଣ୍ଡାସାହି ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଥିବା ହାତୀ ଶାବକର ଆଜି ସକାଳେ ମୃତ୍ୟୁ ଘଟିଛି। ଗତକାଲି ବଡି ଭୋର୍‌ରେ ହାତୀପଲ ଶାବକଟିକୁ ଛାଡ଼ି ଚାଲି ଯାଇଥିବା ବେଳେ ଗ୍ରାମବାସୀଙ୍କଠାରୁ ଖବର ପାଇ ବନ କର୍ମଚାରୀ ଶାବକକୁ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ହାତୀ ଶାବକକୁ ଜାମୁତି ଅଙ୍ଗନବାଡ଼ି କେନ୍ଦ୍ରକୁ ଅଣାଯିବା ପରେ ସହକାରୀ ବନ ସଂରକ୍ଷକ ଫାଲଗୁନି ବେହେରା, କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରବୀର କୁମାର ମୁର୍ମୁ, ବନପାଳ ଜୟସିଂହ ମହାନ୍ତ, ରରୁଆଁ ପ୍ରାଣୀ ଚିକିତ୍ସକ ପ୍ରମୁଖ ସେଠାରେ ପହଞ୍ଚି ଅସୁସ୍ଥ ହାତୀଛୁଆର ଚିକିତ୍ସା କରିଥିଲେ। ତେବେ ଆଜି ସକାଳେ ହାତୀ ଶାବକର ମୃତ୍ୟୁ ହୋଇଥିଲା। ଅତ୍ୟଧିକ ବର୍ଷାରେ ଭିଜିବାରୁ (ହାଇପୋଥାମିଆ) ଯୋଗୁଁ ତାର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶାବକ ସନ୍ଧାନରେ ହାତୀପଲ ପୁଣି ଫେରି ଆସିପାରନ୍ତି ବୋଲି ଆଶଙ୍କା କରି ଅଞ୍ଚଳବାସୀ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି।