ଚଳନ୍ତା ଟ୍ରେନ୍‌ରେ ଶିଶୁକନ୍ୟା ଜନ୍ମ

ଝାରସୁଗୁଡ଼ା : ଝାରସୁଗୁଡ଼ାଠାରେ ଏକ ଚଳନ୍ତା ଟ୍ରେନରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣାଯାଇଛି। ଟ୍ରେନରେ ପ୍ରସବ ବେଳେ ଆର୍‌ପିଏଫ ପୁଲିସ ଓ ରେଳ କର୍ମଚାରୀ ସହାୟତା କରିଥିଲେ।

ବୁଧବାର ହଟିଆ- ଯଶବନ୍ତପୁର ସାପ୍ତାହିକ ଟ୍ରେନ ନମ୍ବର ୧୮୬୩୮ର ବି୫ କୋଚର ୧୩ ନମ୍ବର ସିଟ୍‌ରେ ଥିବା ଏହି ମହିଳା ଯାତ୍ରୀ ଝାରଖଣ୍ଡ ରାଞ୍ଚିର ସନ୍ଧ୍ୟା ମୁଣ୍ଡ(୨୬)ଙ୍କ ହଠାତ୍‌ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଫଳରେ ତାଙ୍କ ସ୍ୱାମୀ ସୁନୀଲ ମୁଣ୍ଡ ଓ ସହଯାତ୍ରୀ ବିଚଳିତ ହୋଇ ଯାଇଥିଲେ। ଟ୍ରେନଟି ଝାରସୁଗୁଡ଼ାରେ ସକାଳ ୭.୩୭ ରେ ପହଞ୍ଚିବା ପରେ ଆର୍‌ପିଏଫ୍‌ କନଷ୍ଟେବଳ ଏଲ. ଲଳିତା ଓ ଏମ. ମହାପାତ୍ର ପହଞ୍ଚି ମହିଳାଙ୍କୁ ଡାକ୍ତରଖାନା ନେବାକୁ ଉଦ୍ୟମ କରୁଥିବା ବେଳେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ସାରିଥିଲେ।

ପରେ ରେଳ କର୍ମଚାରୀ ଓ ମହିଳା ପୁଲିସ ଆସି ମା’ ଓ ଶିଶୁଙ୍କୁ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଘଟଣାସ୍ଥଳରେ ରେଳ ଓ ପୁଲିସ ବିଭାଗ ଅଧିକାରୀ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ପାଇଁ ସହଯୋଗ କରିଥିଲେ। ଫଳରେ ଟ୍ରେନ୍‌ଟି ଝାରସୁଗୁଡ଼ାରୁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଛାଡ଼ି ଥିଲା।

ସମ୍ବନ୍ଧିତ ଖବର