ସ୍ବଦେଶ ‌ଫେରିବା ଚିନ୍ତାରେ ବାଂଲାଦେଶୀ ଯୁବତୀ, ଯାଜପୁରରେ ଅଟକି ରହିଛନ୍ତି

ଯାଜପୁରସଦର : ଜଣେ ବାଂଲାଦେଶୀ ଯୁବତୀ ଯାଜପୁରରେ ଫସିଛନ୍ତି। ନିଜ ଦେଶକୁ ଫେରିଯିବା ପାଇଁ ଆକୁଳ ନିବେଦନ କରିଛନ୍ତି। ହେଲେ ତାଙ୍କ ଗୁହାରି କାହାରି ହୃଦୟକୁ ତରଳାଇ ପାରିନାହିଁ। ସଂପୃକ୍ତ ଯୁବତୀଙ୍କୁ ଦଲାଲ ବିଭିନ୍ନ ରାଜ୍ୟ ବୁଲାଇ ଶୋଷଣ କରିଛନ୍ତି। ଧର୍ମଶାଳା ଥାନା ପୁଲିସ ୪ ଦିନ ପୂର୍ବରୁ ଏତଲା ପାଇଥିଲା। ଏହାପରେ ପୁଲିସ ଗୋପନରେ ତନାଘନା ଚଳାଇ ଜଣକୁ ଗିରଫ କରିଛି।

ଧର୍ମଶାଳା ଥାନା କେସ ନମ୍ବର ନମ୍ବର ୩୨୨/୨୧ ଅନୁଯାୟୀ ଯୁବତୀ (୨୨ବର୍ଷ) ଜଣଙ୍କୁ ତାଙ୍କ ମାମୁ ତିନି ବର୍ଷ ପୂର୍ବେ ଆଣି କୋଲକାତାରେ ବିକ୍ରି କରିଦେଇଥିଲେ। ଧର୍ମଶାଳା ଅଞ୍ଚଳର ଅଜୟ ଦା‌ସ ନାମକ ଜଣେ ବ୍ୟକ୍ତି ସଂପୃକ୍ତ ଯୁବତୀଙ୍କୁ କିଣି କୋଲକାତାର ଏକ ହୋଟେଲରେ ଦେହ ବ୍ୟବସାୟରେ ଜୋର୍‌ଜବରଦସ୍ତ ନି‌ୟୋଜିତ କରିଥିଲେ। ତେବେ ସଂପୃକ୍ତ ଯୁବତୀଙ୍କ ସହ ଅଜୟଙ୍କ ପୁଅ ସୁରଜର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସୁରଜ ଯୁବତୀଙ୍କୁ କୋଲକାତାରୁ ନେଇ ବେଙ୍ଗାଲୁରୁ ଚାଲିଯାଇ ସେଠାରେ ପ୍ରାୟ ଏକ ବର୍ଷ ନିଜ ପା‌ଖରେ ରଖିଥିଲେ। ସୁରଜଙ୍କ ବାପା ଅଜୟ ଏ ସଂପର୍କରେ ଜାଣିବାକୁ ପାଇ ଯୁବତୀଙ୍କୁ ତୁରନ୍ତ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ। ଏହାପରେ ଯୁବତୀଜଣକ ସେଠାରୁ ଚାଲିଯାଇ ଗୁଜୁରାଟ‌ରେ କିଛି ମାସ ରହିଥିଲେ। ହେଲେ ସୁରଜ ଚାପ ଓ ଭୟ ଦେଖାଇ ଯୁବତୀଙ୍କୁ ଓଡ଼ିଶା ଆଣିଥିଲେ। ସୁରଜ ଏହି ଯୁବତୀଙ୍କୁ ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ଜଣେ ବିଧବା ମହିଳାଙ୍କ ଘରେ ୫/୬ ଦିନ ହେବ ଭଡ଼ାରେ ରଖିଥିଲେ। ଯୁବତୀ ଜଣକ ନିଜ ଦେଶ ଏବଂ ପରିବାର ପାଖକୁ ଫେରିଯିବାକୁ ଚାହିଁବାରୁ ସୁରଜ ଆଉ ସେଠାକୁ ଗଲେନାହିଁ।

୪ ଦିନ ପୂର୍ବରୁ ଯୁବତୀ ଜଣକ କାନ୍ଦୁଥିବା ଦେଖି ଘର ମାଲିକାଣୀ ସାବିତ୍ରୀ ସାହୁ ପଡ଼ୋଶୀଙ୍କ ସହଯୋଗରେ ତାଙ୍କଠାରୁ ସବୁ କଥା ଶୁଣିଥିଲେ। ଯୁବତୀ କେବଳ ବଙ୍ଗଳା ଭାଷା ବୁଝୁଥିବାରୁ ସଂପୂର୍ଣ୍ଣ ଘଟଣା ଜାଣିବାରେ ଅସୁବିଧା ହୋଇଥିଲା। ତେବେ ଘର ମାଲିକାଣୀ ଯୁବତୀଙ୍କୁ ନ୍ୟାୟ ଦେବା ତଥା ତାଙ୍କ ଦେଶକୁ ପଠାଇବା ଲାଗି ଧର୍ମଶାଳା ପୁଲିସର ସହଯୋଗ ଲୋଡ଼ିଥିଲେ। ଯୁବତୀ ଜଣକ ଘଟଣା ସଂପର୍କରେ ଧର୍ମଶାଳା ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ପୁଲିସ ସଂପୃକ୍ତ ଯୁବତୀଙ୍କୁ ଯାଜପୁର ସଖୀ କେନ୍ଦ୍ରରେ ରଖିଛି। ଏ ନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ଙ୍କୁ ଯୋଗା‌ଯୋଗ କରାଯିବାରୁ ଏହି ମାମଲାରେ ପୁଲିସ ସୁରଜ ଦାସଙ୍କୁ ଗିରଫ କରିଛି। ଯୁବତୀଙ୍କୁ ବାଂଲାଦେଶକୁ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର