ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ସେରାମିକ୍‌ ଇଞ୍ଜିନିଅରିଂ ବିଭାଗ ପକ୍ଷରୁ ବାଂଲାଦେଶର ବୈଜ୍ଞାନିକମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏଥିରେ ‘ବାଲାଂଦେଶ କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ‌୍(ବିସିଏସ୍‌ଆଇଆର୍‌)ର ମୋଟ୍‌ ୧୧ ଜଣ ବୈଜ୍ଞାନିକ ସାମିଲ ହୋଇଛନ୍ତି। ବିସିଏସ୍‌ଆଇଆର୍‌ର ମୁଖ୍ୟ ସାଇଣ୍ଟିଫିକ୍‌ ଅଫିସର ଡ. ସିରିନ ଅଖତର ଜାହାନଙ୍କ ନେତୃତ୍ବରେ ଏହି ଦଳ ମାସେ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେବେ।

Advertisment

ଏହି ପ୍ରତିନିଧି ଦଳଙ୍କୁ ସେରାମିକ୍‌ର ମୌଳିକ ଦିଗ, ପ୍ରୟୋଗିକ ଦିଗ, ସାମଗ୍ରୀ ପ୍ରକ୍ରିୟାକରଣ ପ୍ରଣାଳୀ, ବର୍ଜ୍ୟ ପରିଚାଳନା ଆଦି ଉପରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ତାଲିମ ଦିଆଯିବ। ଏହିଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ କେ. ଉମାମହେଶ୍ବର ରାଓ କହିଲେ, ଗବେଷଣା ତଥା ଉନ୍ନତମାନର ଶିକ୍ଷାଦାନ କ୍ଷେତ୍ରରେ ରାଉରକେଲା ଏନ୍‌ଆଇଟି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଯଦ୍ବାରା ବିଦେଶରୁ ମଧ୍ୟ ବିଭିନ୍ନ ପ୍ରତିଷ୍ଠାନ ଅନୁଷ୍ଠାନ ବିଭିନ୍ନ ସମୟରେ ଏଠାକୁ ଆସି ସ୍ବତନ୍ତ୍ର ପ୍ରଶିକ୍ଷଣ ନେଉଛି। ଆଗାମୀ ଦିନରେ ଏହି ଧାରା ଅବ୍ୟାହତ ରଖିବାକୁ ଆହ୍ବାନ କରିଥିଲେ। ସେରାମିକ୍‌ ଇଞ୍ଜିନିଅରିଂ ବିଭାଗ ମୁଖ୍ୟ ପ୍ରଫେସର ଦେବାଶିଷ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି।