ବାଲିଅନ୍ତା ବଜାର: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଶିବଶକ୍ତିନଗରସ୍ଥିତ ଏକ ଭଡ଼ା ଘରେ ଜଣେ ବାର୍ ଡ୍ୟାନସର୍ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତା ଯୁବତୀ ହେଲେ ପଞ୍ଜାବ ଚଣ୍ଡୀଗଡ଼ର ଚାରୁ ମାଲହୋତ୍ରା(୨୭)। ଗତକାଲି ବାର୍ରୁ ଫେରିବା ପରେ ସେ ବେକରେ ଓଢ଼ଣି ବାନ୍ଧି ଫ୍ୟାନ୍ରେ ଝୁଲି ପଡ଼ିଥିବା କୁହାଯାଉଛି। ପାହାଳ ଥାନା ପୁଲିସ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲ୍ର ଶବ ସଂରକ୍ଷଣ ଗୃହରେ ରଖିଛି। ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଚାରୁଙ୍କ ମୋବାଇଲ୍ କଲ୍ ରେକର୍ଡ ଯାଞ୍ଚ କରି ଆତ୍ମହତ୍ୟାର କାରଣ ଜାଣିବାକୁ ଚେଷ୍ଟା ଚଳାଇଛି। ସେହିଭଳି ଚାରୁଙ୍କ ସହ ସେହି କୋଠାରେ ରହୁଥିବା ଅନ୍ୟ ବାର୍ ଡ୍ୟାନସର୍ଙ୍କୁ ପୁଲିସ ପଚରାଉଚରା ଚଳାଇଛି। ଅନୈତିକ କାମ ପାଇଁ ବାର୍ ମାଲିକଙ୍କ ବାଧ୍ୟବାଧକତା ହେଉ କି ପ୍ରେମଜନିତ ମାମଲାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଚାରୁଙ୍କ ସାଙ୍ଗରେ କାମ କରୁଥିବା ଅନ୍ୟ ଡ୍ୟାନସର୍ମାନେ ପୁଲିସକୁ କି ସୂଚନା ଦେଇଛନ୍ତି, ତାହା ଗୋପନ ରହିଛି। ପରିବାର ଲୋକେ ଆସିବା ପରେ କିଛି ତଥ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି।
ଚାରୁ ଚଣ୍ଡୀଗଡ଼ରୁ ଆସି ଭୁବନେଶ୍ବରରେ ବାର୍ ଡ୍ୟାନସର୍ ଭାବେ କାମ କରୁଥିଲେ। ବର୍ଷେ ହେଲା ସେ ଲକ୍ଷ୍ମୀସାଗର ଅଞ୍ଚଳର ଏକ ପ୍ରତିଷ୍ଠିତ ଡ୍ୟାନ୍ସ ବାର୍ରେ କାମ କରୁଥିଲେ। ପୂର୍ବରୁ ସେ ମଞ୍ଚେଶ୍ବର ଅଞ୍ଚଳରେ ରହୁଥିଲେ। ୬ ମାସ ହେଲା ସେ ଶିବଶକ୍ତିନଗରସ୍ଥିତ ଏକ ୫ ମହଲା କୋଠାରେ ଅନ୍ୟ ଡ୍ୟାନସର୍ଙ୍କ ସହ ରହୁଥିଲେ। ପ୍ରତିଦିନ ବିଳମ୍ବିତ ରାତିରେ ବାର୍ ସୁରକ୍ଷାକର୍ମୀମାନେ ତାଙ୍କୁ ପାହାଳରେ ଛାଡ଼ିଯାଉଥିଲେ। ଗତକାଲି ରାତିରେ ମଧ୍ୟ ଜଣେ ବାର୍ ସୁରକ୍ଷାକର୍ମୀ ଚାରୁଙ୍କୁ ଗାଡ଼ିରେ ଆଣି ଭଡ଼ା ଘରେ ଛାଡ଼ିଯାଇଥିଲା। କିନ୍ତୁ ସକାଳେ ଅନ୍ତେବାସୀମାନେ ଚାରୁଙ୍କୁ ଫ୍ୟାନ୍ରେ ଝୁଲୁଥିବା ଦେଖିଥିଲେ। ନିଜ ଓଢ଼ଣି ବେକରେ ବାନ୍ଧି ସେ ଫ୍ୟାନ୍ରେ ଝୁଲିପଡ଼ିଥିଲେ। କାଳେ ବଞ୍ଚିଥିବା ଭାବି ଅନ୍ତେବାସୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍କୁ ନେଇଯାଇଥିଲେ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ପାହାଳ ଥାନା ପୁଲିସ ସେଠାରେ ପହଞ୍ଚି ଶବ ଜବତ କରିଥିଲା। ସୂଚନାଯୋଗ୍ୟ ଯେ ଚାରୁ ଜଣେ ପେସାଦାର ବାର୍ ଡ୍ୟାନସର୍ ଥିଲେ। ତେଣୁ କୌଣସି ସାମାନ୍ୟ କଥାରେ ଆତ୍ମହତ୍ୟା କରିନାହାନ୍ତି ବୋଲି କୁହାଯାଉଛି। ବାର୍ରେ କୌଣସି ପ୍ରକାର ବାଧ୍ୟବାଧକତା ଥିବାରୁ ସେ ମାନସିକ ଅଶାନ୍ତିରେ ଥିବା ସୂଚନା ମିଳିଛି। ତେଣୁ ଉପଯୁକ୍ତ ତଦନ୍ତ ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ଆଲୋଚନା ହେଉଛି। ପରିବାର ଲୋକଙ୍କ ଅଭିଯୋଗ ଓ ମୋବାଇଲ୍ କଲ୍ ରେକର୍ଡ ଆଧାରରେ ତଦନ୍ତ ଚାଲିବ ବୋଲି ଥାନା ଅଧିକାରୀ ବିୟୁଟି ମହାନ୍ତି କହିଛନ୍ତି।