ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ନୂଆପଡ଼ା ସହରରେ ୫ ଦିନ ହେଲା ଭାଲୁ ଆତଙ୍କ ଖେଳାଇଛି। ସହରବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ମଙ୍ଗଳବାର ଭାଲୁ ଆକ୍ରମଣରେ ୩ ଜଣ ମହିଳା ଆହତ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଆଜି ବୁଧବାର ଭାଲୁଟି ନୂଆପଡ଼ା ଏନ୍‌ଏସି ୱାର୍ଡ ନଂ ୧୧ର ନୀଳଶୈଳ ନଗର ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଅଫିସ୍‌କୁ ମଧ୍ୟାହ୍ନ ପ୍ରାୟ ୧୨ରୁ ୧ଟା ମଧ୍ୟରେ ପଶିଥିଲା। ଖବର ପାଇ ନୂଆପଡ଼ା ରେଞ୍ଜର ଆଲୋକ ମାଝୀ, ଫରେଷ୍ଟ ଗାର୍ଡ ପ୍ରେମ ତାଣ୍ଡି ଓ ଅନ୍ୟ କର୍ମଚାରୀ ପହଞ୍ଚି ଫଟକା ଫୁଟାଇ ଭାଲୁକୁ ଖୋଜିଥିଲେ। ମାତ୍ର ଭାଲୁକୁ ପାଇ ନଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାଣୀ ଚିକିତ୍ସା କାର୍ଯ୍ୟଳୟରେ ଭାଲୁର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିଲା।

Advertisment

ମଙ୍ଗଳବାର ସକାଳୁ ତେଲିପଡ଼ା ୫୩୫ ନଂ ଜାତୀୟ ରାଜପଥରେ ଭାଲୁଟି ବୁଲୁଥିବା ବେଳେ କିଛି ଲୋକ ଫଟୋ ଉଠାଇବା ସହ ଭିଡିଓ କରିଥିଲେ। ସେହିପରି ୧୬ ତାରିଖ ଭୋର୍‌ରେ ଭାଲୁ ଦୀପକ ହୋଟେଲ ପାଖରେ ବୁଲୁଥବା ସିସିଟିଭରେ କଏଦ ହୋଇଛି। ସେଦିନ ସଂଧ୍ୟାରେ ମାରୁତିନଗରରେ ଭାଲୁକୁ କିଛି ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚି ଭାଲୁକୁ ଘୋଉଡ଼ାଇ ଦେଇଥିଲେ। ଭାଲୁ ଆତଙ୍କରେ ୫ ଦିନ ହେବ ନୂଆପଡ଼ା ସହରବାସୀଙ୍କ ନିଦ ହଜିଯାଇଛି। ଏଥିପାଇଁ ସହରବାସୀ ପ୍ରାତଃଭ୍ରମଣ ଓ ସାନ୍ଧ୍ୟଭ୍ରମଣରେ ଯିବାକୁ ଭୟ କରୁଛନ୍ତି। ହିଂସ୍ର ଭାଲୁକୁ ତୁରନ୍ତ କାବୁ କରିବାକୁ ଲୋକେ ଦାବି କରୁଛନ୍ତି। ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଏହାକୁ ଗୁରୁତ୍ବର ସହ ନେବାକୁ ଲଖନା ପଞ୍ଚାୟତର ପୂର୍ବ ସରପଞ୍ଚ ବିଦ୍ୟାଧର ଶବର ଦାବି କରିଛନ୍ତି। ନୂଆପଡ଼ା ରେଞ୍ଜର ଆଲୋକ ମାଝୀ କହିଛନ୍ତି, କିଛିଦିନ ହେବ ନୂଆପଡ଼ା ସହରର ବିଭିନ୍ନ ୱାର୍ଡରେ ଭାଲୁ ଆତଙ୍କ ଦେଖାଦେଇଛି। ହିଂସ୍ର ଭାଲୁ ରହୁଥିବା ସ୍ଥାନକୁ ନଯିବା ପାଇଁ ଲୋକଙ୍କୁ  ସଚେତନ କରାଯାଇଛି। ବନ କର୍ମଚାରୀମାନେ ୨୪ ଘଣ୍ଟିଆ ପାଟ୍ରୋଲିଂ କରି ଭାଲୁର ଗତିବିଧି ଉପରେ ସତର୍କ ନଜର ରଖିଛନ୍ତି ବୋଲି ସେ କହିଛନ୍ତି।