ବାଗଦାଦ: ଇରାକରେ ଝିଅମାନଙ୍କ ବିବାହର ଆଇନଗତ ବୟସ ୯ ବର୍ଷକୁ ହ୍ରାସ କରିବା ପାଇଁ ଇରାକ ସଂସଦରେ ଏକ ବିଲ୍‌ ଆଗତ କରାଯାଇଥିବାରୁ ଏହାକୁ ବିଭିନ୍ନ ମହିଳା ସଂଗଠନ ଜୋରଦାର ବିରୋଧ କରିଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ବ୍ୟାପକ ଅସନ୍ତୋଷ ଓ ଉଦ୍‌ବେଗ ପ୍ରକାଶ ପାଇଛି। ଇରାକ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଆଗତ ଏହି ବିବାଦୀୟ ବିଲ୍‌ର ଉଦ୍ଦେଶ୍ୟ ହେଉଛି ଦେଶର ‘ପର୍ସନାଲ ଷ୍ଟାଟସ ଲ’ରେ ସଂଶୋଧନ ଆଣିବା, ଯେଉଁଥିରେ ବର୍ତ୍ତମାନ ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଧାର୍ଯ୍ୟ କରାଯାଇଛି।

Advertisment

ଏହି ବିଲ୍ ଦ୍ୱାରା ନାଗରିକମାନେ ଧାର୍ମିକ କର୍ତ୍ତୃପକ୍ଷ କିମ୍ବା ନାଗରିକ ନ୍ୟାୟପାଳିକା ମଧ୍ୟରୁ କାହାକୁ ପାରିବାରିକ ବ୍ୟାପାର ଉପରେ ନିଷ୍ପତ୍ତି ନେବାକୁ ଚୟନ କରିପାରିବେ। ତେବେ ଏଭଳି ବିଲ୍‌ ଦ୍ବାରା ଛାଡ଼ପତ୍ର ଓ ଶିଶୁ ହେପାଜତ ମାମଲାରେ ଅଧିକାର ହ୍ରାସ ପାଇବ। ଯଦି ଏହି ବିଲ୍ ପାରିତ ହୁଏ, ତେବେ ୯ ବର୍ଷରୁ କମ୍ ବୟସର ଝିଅ ଓ ୧୫ ବର୍ଷରୁ କମ୍ ବୟସର ବାଳକମାନେ ବିବାହ କରିପାରିବେ, ଯାହା ବାଲ୍ୟ ବିବାହ ଓ ଶୋଷଣ ବୃଦ୍ଧି ଆଶଙ୍କା ସୃଷ୍ଟି କରିବ। ସମାଲୋଚକମାନେ ଯୁକ୍ତି ବାଢ଼ିଛନ୍ତି ଯେ ଏହି ପଛୁଆ ପଦକ୍ଷେପ ମହିଳାଙ୍କ ଅଧିକାର ଓ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଦିଗରେ ଦଶନ୍ଧି ଧରି ଚାଲିଥିବା ପ୍ରୟାସକୁ କ୍ଷୁଣ୍ଣ କରିବ।

ମାନବାଧିକାର ସଂଗଠନ, ମହିଳା ସଙ୍ଗଠନ ଓ ନାଗରିକ ସମାଜର କର୍ମକର୍ତ୍ତାମାନେ ଏହି ବିଲ୍‌କୁ ତୀବ୍ର ବିରୋଧ କରିବା ସହ ଝିଅମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ଗମ୍ଭୀର ପରିଣାମ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ବାଲ୍ୟ ବିବାହ ଦ୍ୱାରା ଡ୍ରପ୍‌ଆଉଟ୍ ହାର ବୃଦ୍ଧି ପାଇଥାଏ, କମ୍ ବୟସରେ ଗର୍ଭଧାରଣ ହୁଏ ଏବଂ ଘରୋଇ ହିଂସାର ଆଶଙ୍କା ବଢିଯାଏ। ମିଳିତ ଜାତିସଂଘର ଶିଶୁ ଏଜେନ୍ସି ୟୁନିସେଫ ଅନୁଯାୟୀ, ଇରାକରେ ୨୮ ପ୍ରତିଶତ ଝିଅଙ୍କ ବିବାହ ୧୮ ବର୍ଷ ବୟସ ପୂର୍ବରୁ ହୋଇଥାଏ। ଏହି ବିଲ୍‌ର ସମର୍ଥକମାନେ ଦାବି କରିଛନ୍ତି ଯେ ଏହାର ଉଦ୍ଦେଶ୍ୟ ହେଉଛି ଇସଲାମିକ ଆଇନକୁ କାର୍ଯ୍ୟକାରୀ କରିବା ଏବଂ ଯୁବତୀମାନଙ୍କୁ ‘ଅନୈତିକ ସମ୍ପର୍କ’ରୁ ରକ୍ଷା କରିବା।