ଦେବଗଡ଼: ମୌସୁମୀ ଆଗମନର ସନ୍ଦେଶ ନେଇ ଆସନ୍ତି ବିରଳ ପକ୍ଷୀ। ପକ୍ଷୀଙ୍କ ଆଗମନ ପରେ ବର୍ଷା ହେବାର ସଙ୍କେତ ପାଇ ଆରମ୍ଭ ହୁଏ ଚାଷକାମ। ଜଳବାୟୁ ପରିବର୍ତ୍ତନ ବିଶ୍ବବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ବର୍ଷାର ସଂକେତ ନେଇ ଆସୁଥିବା ଏହି ପକ୍ଷୀଙ୍କୁ ଦେବଗଡ଼ ଜିଲ୍ଲା ରିଆମାଳ କୁଣ୍ଢେଇଗୋଳା ଗ୍ରାମବାସୀ ଚାହିଁ ରହିଥାନ୍ତି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବହୁସଂଖ୍ୟାରେ ପକ୍ଷୀ ପହଞ୍ଚିସାରିଛନ୍ତି। ସୂଚନା ଅନୁସାରେ, ଏହି ପକ୍ଷୀ ସବୁ ହଂସରାଳି ଓ ଗେଣ୍ଡାଳିଆ ପ୍ରଜାତିର ଅଟନ୍ତି। ଚିଲିକାରେ ଏହି ପକ୍ଷୀ ଦେଖିବାକୁ ମିଳନ୍ତି। ପ୍ରତିବର୍ଷ ଜୁନ୍‌ ମାସରେ ପକ୍ଷୀଙ୍କ ଆଗମନ ହେଉଥିବାବେଳେ ଚାଷୀ ଜମି ପ୍ରସ୍ତୁତ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଯେଉଁବର୍ଷ ଅଧିକ ସଂଖ୍ୟାରେ ପକ୍ଷୀଙ୍କ ଆଗମନ ରହିଥାଏ, ସେହିବର୍ଷ ସ୍ବାଭାବିକ ବର୍ଷା ହେବାର ଆକଳନ କରିଥାନ୍ତି ଗ୍ରାମବାସୀ। ଏହି ପକ୍ଷୀ ଜମିରେ ଥିବା ମାଛ, କୀଟ ଖାଇଥାନ୍ତି।

Advertisment

ଯାହାଫଳରେ ପୋକଜନିତ ଧାନଚାଷ ନଷ୍ଟ ହେବାର ଆଶଂକା ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପରେ ପକ୍ଷୀମାନେ ଏଠାରେ ଅଣ୍ଡା ଦିଅନ୍ତି। ଛୁଆ ହେଲାପରେ ଉଡ଼ିବା ଶିଖାଇବା ପରେ ନଭେମ୍ବର-ଡିସେମ୍ବର ମାସ ବେଳକୁ ଗ୍ରାମ ଛାଡ଼ି ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ଚାଲିଯାଇଥାନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପକ୍ଷୀଙ୍କୁ ବନବିଭାଗର କର୍ମଚାରୀଙ୍କ ସହିତ ଗ୍ରାମବାସୀମାନେ ସୁରକ୍ଷା ଦେଇଥାନ୍ତି। ପକ୍ଷୀ ଶିକାର ପାଇଁ ଗ୍ରାମ କମିଟି ଓ ସ୍ଥାନୀୟ ଭିଏସ୍ଏସ୍ ପକ୍ଷରୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି। ପକ୍ଷୀଙ୍କ ସମ୍ବନ୍ଧରେ ଅଧିକ ଗବେଷଣା କରାଗଲେ ଆହୁରି ଅନେକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।