ରାଜନଗର: ବିଶ୍ବ ପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ଏ ବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷଠାରୁ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀ ଭିଡ ଜମାଇଥିବା ବେଳେ ଏ ବର୍ଷ ଏହି ସଂଖ୍ୟା ୧,୨୩,୮୬୭କୁ ବୃଦ୍ଧି ପାଇଛି। ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ସୂଚନା ମୁତାବକ, ଚଳିତ ମାସ ୩ ତାରିଖରୁ ୭ ତାରିଖ ଯାଏ ଭିତରକନିକାର ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆ ସମେତ ରାଜନଗର ରେଂଜ୍ର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ବାଲିଡିଆ ଦ୍ବୀପରେ ପକ୍ଷୀ ଗଣନା କରାଯାଇଥିଲା। ଭିତରକନିକା ଇତିହାସରେ ପ୍ରଥମଥର ପାଇଁ ଜାତୀୟ ଉଦ୍ୟାନ ବାହାରେ ଦେଶୀୟ ପକ୍ଷୀଙ୍କ ଠିକଣା ଠାବ କରାଯିବା ସହ ତାର ଗଣନା କରାଯାଇଛି। ଏ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୦ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଛି।
ତେବେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନର ପ୍ରଭାବ ଯୋଗୁଁ ଭିତରକନିକାର ଜୈବ ବିବିଧତା ପ୍ରଭାବିତ ହୋଇଥିବାରୁ କ୍ରମାଗତ ଭାବେ ଭିତରକନିକା ଦେଶୀୟ ପକ୍ଷୀ ଠିକଣା ବଦଳାଇବାରେ ଲାଗିଛନ୍ତି। ୧୯୭୨ରେ କାଳିଭଂଜଡିଆରେ ଦେଶୀୟ ପକ୍ଷୀ ଭିଡ ଜମାଉଥିଲେ। ୧୯୮୧ରେ କାଳିଭଂଜଡିଆ ପରିବର୍ତ୍ତେ ଶୁଆଯୋରରେ ବସା ବାନ୍ଧିଥିଲେ। ୧୯୮୮ରେ ଶୁଆଯୋରରୁ ଠିକଣା ବଦଳାଇ ବଗଗହନକୁ ସ୍ଥାୟୀ ଠିକଣା କରିଥିଲେ। ୧୯୮୮ରୁ ୨୦୧୬ ମସିହା ଯାଏ ଦୀର୍ଘ ୨୮ ବର୍ଷ ଧରି ଦେଶୀୟ ପକ୍ଷୀଙ୍କ ସ୍ଥାୟୀ ଠିକଣା ହୋଇଥିଲା ବଗଗହନ। ୨୦୧୫ରେ ବଗଗହନରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା କମିଥିଲା। ୨୦୧୬ରେ କେବଳ ଗେଣ୍ତାଳିଆ ବସା ବାନ୍ଧିଥିଲେ। ୨୦୧୬ ପରଠୁ ବଗଗହନ ବଦଳରେ ମଠଆଡିଆରେ ଦେଶୀୟ ପକ୍ଷୀ ଭିଡ ଜମାଇଥିଲେ। ଗତ ୩ବର୍ଷ ହେଲା ମଠଆଡିଆ ସହିତ ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ବସା ବାନ୍ଧୁଛନ୍ତି।