ଭୁବନେଶ୍ବର: ବିଦ୍ୟାଳୟ କ୍ୟାମ୍ପସରେ ରହିଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ଦଣ୍ଡାୟମାନ ଅବସ୍ଥାରେ ଥିବା ମହାତ୍ମାଙ୍କ ଡାହାଣ ହାତ ଭାଙ୍ଗିଗଲାଣି। ଆଖିରେ ଚଷମା ଅଛି। ହେଲେ କାଚ ନାହିଁ। ପ୍ରତିମୂର୍ତ୍ତୀରୁ ରଙ୍ଗ ଛାଡ଼ିଗଲାଣି। ଆଖିରୁ ଡୋଳା ତାଡ଼ି ନେଲେଣି ଅସାମାଜିକ। କେବଳ ସେତିକି ନୁହେଁ, ଛାତ୍ରଛାତ୍ରୀଙ୍କ ଜାଣିବା ପାଇଁ ସ୍କୁଲ କାନ୍ଥରେ ଓଡ଼ିଶା ମାନଚିତ୍ର ଅଙ୍କାଯାଇଥିଲେ ମଧ୍ୟ ତାହା ଦେଖିବା ଅବସ୍ଥାରେ ନାହିଁ। ‘ସୁନ୍ଦରଗଡ଼’ ଏଠାରେ ‘ସୁନ୍ଦର’ ହୋଇଥିବା ବେଳେ ‘ମାଲକାନଗିରି’ରେ କେବଳ ‘କାନ’ ପଢ଼ିବା ଅବସ୍ଥାରେ ରହିଛି। ‘କେନ୍ଦ୍ରାପଡ଼ା’ ଏବେ ‘କେପଡ଼ା’ ହୋଇଯାଇଛି। କ୍ୟାମ୍ପସରେ ଏକାଧିକ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ରୂପ ନେଇପାରୁ ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଗରଦପୁର ଗ୍ରାମପଞ୍ଚାୟତରେ ଥିବା ଜଗନ୍ନାଥ ନୋଡାଲ ଉପ୍ରା ବିଦ୍ୟାଳୟର ଅବସ୍ଥା ଏମିତି। ବ୍ଲକ୍ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏହି ବିଦ୍ୟାଳୟରେ ୨୦୧୨ ଜାନୁଆରି ୩୦ରେ ନିର୍ମାଣ ହୋଇଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତିର ବିକଳ ଚିତ୍ର ଦେଖିଲେ ଏଠାରେ ପିଲାମାନଙ୍କୁ କିଭଳି ଶିକ୍ଷା ଦିଆଯାଉଥିବ ତାହା ସ୍ପଷ୍ଟ ଅନୁମେୟ।
କେନ୍ଦ୍ରାପଡ଼ା କାହିଁକି; ଖୋଦ୍ ରାଜଧାନୀର ନୀଳାଦ୍ରିବିହାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବରପୁତ୍ରମାନଙ୍କୁ କିଭଳି ସମ୍ମାନ ପ୍ରଦାନ କରାଯାଉଛି ତାହା ନ କହିବା ଭଲ। ଏଠାରେ ପଢ଼ୁଥିବା ଛୋଟ ପିଲାଙ୍କୁ ଓଡ଼ିଶାର ପଞ୍ଚସଖାଙ୍କ ସମ୍ପର୍କରେ ଅବଗତ କରିବାକୁ କାନ୍ଥରେ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର ଓ ଆଚାର୍ଯ୍ୟ ହରିହରଙ୍କ ଚିତ୍ର ଅଙ୍କା ଯାଇଛି। ହେଲେ ଏବେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି। ନୀଳକଣ୍ଠ ଦାସଙ୍କ ମୁହଁ ଦେଖିବା ଯୋଗ୍ୟ ନାହିଁ। ନାଁ ମଧ୍ୟ ଲିଭିଗଲାଣି। ଯେଉଁଠାରେ ପଞ୍ଚସଖା ଲେଖାଯାଇଛି ତାହା ଉପରେ ସିମେଣ୍ଟ ପ୍ଲାଷ୍ଟର ଏମିତି ଲଗାଯାଇଛି ଯେ ଠିକ୍ ଭାବେ ଦୃଶ୍ୟମାନ ହେଉ ନାହିଁ। ଏଠାରେ ମଧ୍ୟ ‘ସ୍ବଚ୍ଛ ଭାରତ, ସୁସ୍ଥ ଭାରତ’ ବାର୍ତ୍ତା ସହ ମହାତ୍ମା ଗାନ୍ଧୀଙ୍କ ଚିତ୍ର ଅଙ୍କା ହୋଇଛି। ମାତ୍ର ତାହା ପାନଛେପରେ ରଙ୍ଗୀନ ହୋଇଯାଇଛି।
ଏହା ଦୁଇଟି ବିଦ୍ୟାଳୟର ଉଦାହରଣ ମାତ୍ର। ରାଜ୍ୟର କୋଣ ଅନୁକୋଣରେ ଥିବା ବିଦ୍ୟାଳୟଗୁଡ଼ିକରୁ ଏବେ ଏଭଳି ଦୃଶ୍ୟ ସାମ୍ନାକୁ ଆସୁଛି। ପିଲାଙ୍କ ଜାଣିବା ଲାଗି ବିଦ୍ୟାଳୟ କ୍ୟାମ୍ପସରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତୀ ତିଆରି କରାଯାଉଛି, ହେଲେ ତାହାର ଠିକ୍ ଭାବେ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ପରିସ୍ଥିତି ଖରାପ ହେଉଛି। ଶିକ୍ଷାବର୍ଷ ଆରମ୍ଭରୁ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଲମ୍ବା ଚଉଡ଼ା ଚିଠି ଲେଖି ପିଲାଙ୍କ ଜାଣିବାକୁ କ୍ୟାମ୍ପସ କାନ୍ଥରେ ଓଡ଼ିଶା ମାନଚିତ୍ର, ଜିଲ୍ଲା ମାନଚିତ୍ର, ହେଲ୍ପଲାଇନ୍ ନମ୍ବର, ମଧ୍ୟାହ୍ନଭୋଜନ ତଥ୍ୟ, ବିଦ୍ୟାଳୟ କ୍ୟାବିନେଟ୍ ଆଦି ବିଷୟରେ ଲେଖିବାକୁ କହୁଛନ୍ତି। ମାତ୍ର ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ସେନେଇ କେହି ତଦାରଖ କରୁନାହାନ୍ତି। ଶିକ୍ଷା ବିଭାଗର ଅଧିକାରୀମାନେ ନିୟମିତ ବ୍ୟବଧାନରେ ସ୍କୁଲ ହତା ମାଡ଼ୁ ନ ଥିବାରୁ ଏଭଳି ଚିତ୍ର ସାମ୍ନାକୁ ଆସୁଛି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ ବରପୁତ୍ରଙ୍କୁ ଅସମ୍ମାନ ଦ୍ବାରା ତାହାର ପ୍ରଭାବ ପିଲାଙ୍କ ଉପରେ ପଡ଼ିବ। ପ୍ରତିମୂର୍ତ୍ତୀ ଭଙ୍ଗାଯିବା, ସେମାନଙ୍କ ଜନ୍ମ ଓ ତିରୋଧାନ ବିଷୟ ଲେଖା ନ ଯିବା ଦ୍ବାରା ପିଲାମାନେ ବରପୁତ୍ର କିମ୍ବା ସେମାନଙ୍କ କୃତୀ ବିଷୟରେ ଜାଣିପାରିବେ ନାହିଁ। ଯେଉଁମାନେ ବରପୁତ୍ରମାନଙ୍କୁ ଅସମ୍ମାନ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି।
ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରତିବର୍ଷ ସ୍କୁଲ ଡେଭଲପ୍ମେଣ୍ଟ ବାବଦରେ ଶିକ୍ଷାବର୍ଷ ଆରମ୍ଭରୁ ଅର୍ଥ ପ୍ରଦାନ କରାଯାଉଛି। ସେଥିରେ ସେମାନେ ସ୍କୁଲର ବିକାଶ କରିପାରିବେ। ପ୍ରତିମୂର୍ତ୍ତି ମରାମତି, କାନ୍ଥରେ ମାନଚିତ୍ର ସମେତ ମଧ୍ୟାହ୍ନଭୋଜନ ବିଷୟରେ ଉଲ୍ଲେଖ କରିବାକୁ କୁହାଯାଇଛି। ମାତ୍ର ଅଧିକାଂଶ ବିଦ୍ୟାଳୟ ତାହାକୁ ଠିକ୍ ଭାବେ ଖର୍ଚ୍ଚ କରୁ ନ ଥିବା ନଜରକୁ ଆସିଛି। ଖୁବ୍ଶୀଘ୍ର ଏନେଇ ସମୀକ୍ଷା କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ।