ସରକାର ଚୁପ୍! ଓଇଆର୍‌ସିଙ୍କ ନିଷ୍ପତ୍ତି ବି ବିଚିତ୍ର, ଉପଭୋକ୍ତାଙ୍କୁ ୩୦୦୦ କୋଟିର ବୋଝ

ସଂସ୍କାରର କଷଣ ଗ୍ରାହକଙ୍କ ମୁଣ୍ଡରେ, ଅପାରଗତାରୁ କମିପାରୁନି ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି

ଭୁବନେଶ୍ବର: ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ସୁଲଭ ମୂଲ୍ୟରେ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ଯୋଗାଇବା ଥିଲା ସଂସ୍କାରର ମୁଖ୍ୟ ଆଭିମୁଖ୍ୟ। ଇତିମଧ୍ୟରେ ୨୫ବର୍ଷ ବିତିଲାଣି। ହେଲେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ତ ସାତସପନ, ଓଲଟା ଉପଭୋକ୍ତାଙ୍କ ମୁଣ୍ଡରେ ବିଦ୍ୟୁତ ବୋଝ ବଢ଼ିଚାଲିଛି। ସବୁଠାରୁ ବଡ଼ କଥା ହେଲା, ପରିଚାଳନାଗତ ବିଭ୍ରାଟ ଏଭଳି ସ୍ତରକୁ ଛୁଇଁଲାଣି ଯେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି ଜରିଆରେ କୋଟିଏ କି ଦୁଇକୋଟି ନୁହେଁ, ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କାର ଆର୍ଥିକ ବୋଝ ଗ୍ରାହକଙ୍କ ଉପରେ ଲଦି ଦିଆଯାଉଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଏ କ୍ଷେତ୍ରରେ ଗ୍ରାହକଙ୍କୁ ସୁରକ୍ଷା ଦେଇପାରିନାହାନ୍ତି, ବରଂ ଆବଣ୍ଟନ କଂପାନିମାନଙ୍କୁ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରାଯାଇଛି। ଏପରିକି ପୂର୍ବତନ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ବଣ୍ଟନ କଂପାନିମାନଙ୍କୁ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିକୁ ୧୫%କୁ କମାଇବା ଲାଗି ଯେଉଁ ନିର୍ଦେଶ ଦେଇଥିଲେ, ତାହା ବି ପାଣିର ଗାର ସଦୃଶ ହୋଇଛି।

କ୍ବଚିତ୍ ଉପଭୋକ୍ତା ଜାଣିଥିବେ ଯେ ୧% ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ (ଏଟି ଆଣ୍ଡ ସି) କ୍ଷତିର ପରିମାଣ ପାଖାପାଖି ୧୪୨ କୋଟି ଟଙ୍କା ହେବ ବୋଲି ଶକ୍ତି ସମୀକ୍ଷକମାନେ ଆକଳନ କରୁଛନ୍ତି। ଦେଶର ପାଖାପାଖି ୨୦ରୁ ଅଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏ କ୍ଷେତ୍ରରେ ଜାତୀୟ ହାର (୨୦.୯୩) ଠାରୁ ତଳେ ଅଛନ୍ତି। ଅର୍ଥାତ୍ ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ ଦିଗରେ ସେମାନଙ୍କର ପ୍ରଦର୍ଶନ ଉଲ୍ଲେଖଯୋଗ୍ୟ।
ପାଵାର ଫାଇନାନ୍ସ କର୍ପୋରେସନ୍ ରିପୋର୍ଟ (୨୦୧୯-୨୦) କହୁଛି ଯେ ଦିଲ୍ଲୀ (୮.୧୯%), ଆନ୍ଧ୍ରପ୍ରଦେଶ (୧୦.୭୭%), ଗୁଜୁରାଟ (୧୧.୧%), ହିମାଚଳ ପ୍ରଦେଶ (୧୧.୬୮%), ପଞ୍ଜାବ (୧୪.୩୫%), କେରଳ (୧୪.୪୭%), ତାମିଲନାଡୁ ( ୧୫%), କର୍ଣ୍ଣାଟକ (୧୭.୫୯%), ପଶ୍ଚିମବଙ୍ଗ (୧୭.୭୧%), ମହାରାଷ୍ଟ୍ର (୧୯.୦୬%) ଭଳି ରାଜ୍ୟଗୁଡିକର ପ୍ରଦର୍ଶନ ଓଡ଼ିଶା ତୁଳନାରେ ବେଶ ଭଲ। ଏମିତିକି ଚଣ୍ଡିଗଡ ଏହି କ୍ଷତିକୁ ପାଖାପାଖି ୪ ପ୍ରତିଶତରେ ସୀମିତ ରଖିପାରିଛନ୍ତି। ମାତ୍ର ଦେଶର ପ୍ରଥମ ରାଜ୍ୟ ଭାବେ ବିଦ୍ୟୁତ ସଂସ୍କାରକୁ ଆପଣାଇଥିବା ଓଡ଼ିଶାରେ ୨୦୧୯-୨୦ ବେଳକୁ ଏଟି ଆଣ୍ଡ ସି କ୍ଷତି ୨୮.୯୪% ଥିବା ଏହି ରିପୋର୍ଟ କହୁଛି। ଶକ୍ତି ସମୀକ୍ଷକଙ୍କ ହିସାବ କହୁଛି ଯେ ୨୦୧୯-୨୦ ବର୍ଷରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ସୂଚାଇଛନ୍ତି ଯେ ଏଟି ଆଣ୍ଡ ସି କ୍ଷତିର ପରିମାଣ ପାଖାପାଖି ୨୯.୯୫%। ତେବେ ଆୟୋଗ ସେବର୍ଷ ଉପଭୋକ୍ତାଙ୍କ ଲାଗି ବାର୍ଷିକ ବିଦ୍ୟୁତ ଦର ନିର୍ଧାରଣ ବେଳେ ୨୨.୧୫% ଏଟି ଆଣ୍ଡ ସି କ୍ଷତିକୁ
ଅନୁମୋଦନ ଦେଇଛନ୍ତି। ଅର୍ଥାତ୍ ଏହି ଗୋଟିଏ ବର୍ଷରେ ୩ ହଜାର ୧୪୨କୋଟି ୫୩ଲକ୍ଷ ଟଙ୍କା ଗ୍ରାହକଙ୍କ ମୁଣ୍ଡକୁ ଠେଲି ଦିଆଯାଇଛି। ଯେତେବେଳେ କି ଏହାର ପାଖାପାଖି ତିନି ଭାଗରୁ ଭାଗେ ଅର୍ଥର ଚାପ ବଣ୍ଟନ କଂପାନିଙ୍କ ମୁଣ୍ଡକୁ ଯାଇଛି। ବଣ୍ଟନ କଂପାନିମାନେ ୭.୮% ଅର୍ଥାତ୍ ୧୧୦୭ କୋଟି ଟଙ୍କାର ଚାପ ନେଇଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଯେ କ୍ଷତି କମାଇବା ଲାଗି ଆୟୋଗ ପ୍ରତିବର୍ଷ ନିର୍ଦେଶ ଦେଉଛନ୍ତି। କଂପାନିମାନେ ଏହାକୁ ଆଦୌ ଖାତିର୍ କରୁନାହାନ୍ତି। ହେଲେ ସେମାନଙ୍କୁ ଆକଟ କରିବା କିମ୍ବା ସେମାନଙ୍କ ଅପରାଗତାରୁ ହେଉଥିବା କ୍ଷତିକୁ କଂପାନିମାନଙ୍କ ଉପରେ ସମ୍ପୂର୍ଣ୍ଣ ଲଦିବା ପରିବର୍ତ୍ତେ ଖାଉଟି ବାପୁ଼ଡା ମୁଣ୍ଡକୁ ଓଇଆରସି କାହିଁକି ଆଖିବୁଜା ଠେଲି ଦେଉଛନ୍ତି ତାହା ବୁଝାପଡୁନାହିଁ। ଶକ୍ତି ସମୀକ୍ଷକ ଯେଉଁ ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥାଟି କହୁଛନ୍ତି, ତାହା ଆହୁରି ସାଂଘାତିକ। ୨୦୧୯-୨୦ ଆର୍ଥିକ ବର୍ଷରେ ଆୟୋଗ ପରିବହନ ଓ ବଣ୍ଟନ କ୍ଷତିର ପରିମାଣ ୧୯.୭୮% ବୋଲି ଆକଳନ କରିଛନ୍ତି। ଯଦିଓ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିକୁ ଧରି ବାର୍ଷିକ ବିଦ୍ୟୁତ ଦେୟ ନିର୍ଧାରଣ କରାଯାଉଛି, ତଥାପି ଏହି ରିପୋର୍ଟ ପ୍ରସ୍ତୁତ ବେଳେ ଆୟୋଗ ପରିବହନ ଓ ବଣ୍ଟନ କ୍ଷତିର ପରିମାଣ ୨୧.୨୩% ରହିବ ଧାର୍ଯ୍ୟ କରିଛନ୍ତି। ଯାହା ବାସ୍ତବତା ଠାରୁ ୧.୪୫% ଅଧିକ। ଆହୁରି ସରଳ ଭାବେ କହିଲେ କଂପାନି ମୁଣ୍ଡରୁ ୨୧୩ କୋଟି ୧୫ଲକ୍ଷ ଟଙ୍କା ରିହାତି କାଢ଼ି ଓଲଟା ଗ୍ରାହକଙ୍କ ମୁଣ୍ଡରେ ଲଦି ଦିଆଯାଇଛି। ଏମିତି କେମିତି ହେଲା, ତାହା ଏକ ଜଟିଳ ପ୍ରଶ୍ନ।

ଗତବର୍ଷ ପୂର୍ବତନ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ସମୀକ୍ଷା ବୈଠକରେ ଏହି କ୍ଷତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ସେବେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ସାମଗ୍ରିକ ବୈଷୟିକ ଏବଂ ବାଣିଜ୍ୟିକ (ଏଟି ଆଣ୍ଡ ସି) କ୍ଷତି କମାଅ। ଏହି ବୈଠକରେ ଆହୁରି ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ବିଗତ ବର୍ଷମାନଙ୍କରେ ଏହି କ୍ଷତି ଶତକଡା ୫୭ ରୁ ଶତକଡା ୩୦ ଭାଗକୁ କମାଯାଇପାରିଛି। ଆକଳନ ଅନୁସାରେ ଶତକଡା ୧% ଏଟି ଆଣ୍ଡ ସି କ୍ଷତି କମିଲେ ୧୩୦ କୋଟି ଟଙ୍କା (ସେ ସମୟର ମୂଲ୍ୟ)ର ରାଜସ୍ୱ ଅଧିକ ମିଳିବ। ତେଣୁ ଓପିଟିସିଏଲ୍, ଗ୍ରିଡ୍‌କୋ ଏବଂ ବିତରକ କଂପାନିମାନେ ମିଳିତ ଲକ୍ଷ୍ୟଭେଦୀ କାର୍ଯ୍ୟଯୋଜନା ମାଧ୍ୟମରେ ଏହି କ୍ଷତିକୁ ୧୫% ପର୍ଯ୍ୟନ୍ତ କମାଇବା ପାଇଁ ଶ୍ରୀ ତ୍ରିପାଠୀ ଏହି କଂପାନିମାନଙ୍କୁ ନିର୍ଦେଶ ଦେଇଥିଲେ। ହେଲେ ଏସବୁକୁ ବି ସମସ୍ତେ ମିଳିମିଶି ଫାଙ୍କି ଉଡ଼ାଇ ଦେଇଛନ୍ତି। ଏଠାରେ ଉଲ୍ଲେଖଥାଉକି, ବାର୍ଷିକ ପରିବହନ ଏବଂ ବଣ୍ଟନ କ୍ଷତିର ଦୁଇ ତୃତୀୟାଂଶ ଖାଉଟିଙ୍କ ମୁଣ୍ଡରେ ଏବଂ ଏହାଠାରୁ କମ୍ ଅବଶିଷ୍ଟ ଏକ ତୃତୀୟାଂଶ ବୋଝ ଆବଣ୍ଟନ କଂପାନିଙ୍କ ମୁଣ୍ଡରେ ଥୋଇବାର ବୈଷୟିକ ଯୁକ୍ତି କଣ, ତାହା କେବଳ ଆୟୋଗଙ୍କୁ ଜଣା।

ସମ୍ବନ୍ଧିତ ଖବର