ମୟୂରଭଞ୍ଜ ବାଲିଘାଟ ନିଲାମକୁ ବିରୋଧ କରି ଏନ୍‌ଜିଟିରେ ମାମଲା: ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ/ବାରିପଦା: ମୟୂରଭଞ୍ଜ ଜ଼ିଲ୍ଲାରେ ବାଲି ଖନନ/ଉତ୍ତୋଳନ ପାଇଁ ପ୍ରସ୍ତୁତ କରାଯାଇଇଥିବା ଜ଼ିଲ୍ଲା ସର୍ଭେ ରିପୋର୍ଟ (ଡିଏସଆର)କୁ ବେଆଇନ ଦର୍ଶାଇ ଦାୟର ମାମଲାକୁ ଜାତୀୟ ଗ୍ରିନ ଟ୍ରିବୁନାଲ (ଏନ୍‌ଜିଟି) ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ଶୁଣାଣି ଏପ୍ରିଲ ୨୬କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ଜବାବ ରଖିବାକୁ ସରକାରଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏକ ଅନ୍ତରୀଣ ଜିଲ୍ଲା ସର୍ଭେ ରିପୋର୍ଟ ଆଧାରରେ କେମିତି ବଡସାହି ତହସିଲଦାର ୨୦୨୨, ମାର୍ଚ୍ଚ ୧୫ରେ ବାଲିଘାଟ ନିଲାମ ପାଇଁ ବିଜ୍ଞପ୍ତି ଜାରି କଲେ ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ ଏନଜିଟି କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୮କୁ ଧାର୍ଯ୍ୟ କରାଯାଇଛି। ବାରିପଦାର ବିଶିଷ୍ଟ ପରିବେଶବିତ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ବିବେକାନନ୍ଦ ପଟ୍ଟନାୟକଙ୍କ ଆବେଦନର ଶୁଣାଣି କରି ଏନଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଲଘୁ ଖଣିଜ୍ୟ ଦ୍ରବ୍ୟର ପରିଚାଳନା ପାଇଁ ୨୦୧୯ରେ ମୟୂରଭଞ୍ଜ ଜିଲ୍ଲାରେ ଏକ ଡିଏସଆର ପ୍ରସ୍ତୁତ କରାଯାଇଥିଲା। ଏହା ଏକ ଅନ୍ତରୀଣ ରିପୋର୍ଟ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରାଯିବା ପୂର୍ବରୁ କୌଣସି ପ୍ରକାର କ୍ଷେତ୍ର ପରିଦର୍ଶନ ବା ସରଜମିନ ଯାଞ୍ଚ୍ କରାଯାଇ ନଥିଲା ବୋଲି ଆବେଦନକାରୀ ଦର୍ଶାଯାଇଛନ୍ତି। ଅନ୍ୟପକ୍ଷରେ ଏହି ଅନ୍ତରୀଣ ରିପୋର୍ଟ ଆଧାରରେ ବଡ଼ସାହି ତହସିଲ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ଚାରିଟି ବାଲିଘାଟ ନିଲାମ ପାଇଁ ତହସିଲଦାର ନୋଟିସ୍ ଜାରି କରିଥିଲେ। ନିଲାମ ପାଇଁ ନୋଟିସରେ ଥିବା ଚ‌ାରିଟି ବାଲି ଘାଟକୁ ୫ ହେକ୍ଟରରୁ କମ କରି ଦିଆଯାଇଛି, କିନ୍ତୁ ଡିଏସଆରରେ ତାହା ୫ ହେକ୍ଟରରୁ ଅଧିକ ରହିଛି। ନଦୀର ଯେଉଁ ସ୍ଥାନରେ ବାଲି ଜମା ହୋଇଥାଏ ସେଠାରେ ବାଲି ଉତ୍ତୋଳନ ପାଇଁ ଅନୁମତି ଦିଆଯିବା କଥା। ଏଥି ପାଇଁ ଉପଯୁକ୍ତ କ୍ଷେତ୍ର ପରିଦର୍ଶନ ଓ ସରଜମିନ ତଦନ୍ତ ପରେ ଡିଏସଆର ପ୍ରସ୍ତିୁତି ଆବଶ୍ୟକ। କିନ୍ତୁ ପ୍ରସ୍ତୁତ ଅନ୍ତରୀଣ ଡିଏସଆରରେ ଏହି ପ୍ରସଂଗ ସବୁ ଅଣଦେଖା କରାଯାଇଛି। କାରଣ ଘଟଣାସ୍ଥଳକୁ ନ ଆସି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପ୍ରସ୍ତାବିତ ବାଲିଘାଟ ଅଞ୍ଚଳ ଭିତରେ ପୋଲ ଥିଲା ବେଳେ ତାହାକୁ ଅଣଦେଖା କରାଯାଇଛି।

ଏହି ରିପୋର୍ଟ ପ୍ରସ୍ତୁତ ବେଳେ ସହନଶୀଳ ବାଲି ଖନନ ନିୟମାବଳୀ, ୨୦୧୬ ଓ ୨୦୨୦ର ଅନୁପାଳନ କରାଯାଇ ନାହିଁ। ବାଲେଶ୍ୱର ଡିଏସଆର ଓ ମୟୂରଭଞ୍ଜର ଡିଏସଆର ରିପୋର୍ଟ ପୂରା ଏକ ପ୍ରକାରର ଓ ଜଣେ ଲୋକ ଦ୍ବାରା ପ୍ରସ୍ତୁତ ବୋଲି ଏନଜିଟିଙ୍କ ନିକଟରେ ଦାଖଲ ଆବେଦନରେ ଉଲ୍ଲେଖ କରାଯାଇଛି। ମୟୂରଭଞ୍ଜ ଡିଏସଆରକୁ ରଦ୍ଦ କରାଯିବା ସହିତ ବୁଢାବଳଙ୍ଗ ନଦୀରେ ବାଲିଘାଟ ନିଲାମ ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ସରକାର, ମୟୂରଭଞ୍ଜ ଜିଲ୍ଲାପାଳ, ବଡସାହି ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର