ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ରିମାଣ୍ଡ ଶେଷ, ଜେଲ୍‌କୁ ଫେରିଲେ ଆକାଶ

ଆଜି କୋର୍ଟରେ ହାଜର ହେବେ ପ୍ରଦୀପ, କ୍ରାଇମବ୍ରାଞ୍ଚ ହାତରେ ଠକେଇ ଦସ୍ତାବିଜ୍

ଭୁବନେଶ୍ବର: ଟାଟା ମୋଟର୍ସ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଅପରାହ୍ନରେ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ଏହା ପରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ରିମାଣ୍ଡ ସମୟରେ ଆକାଶଙ୍କୁ ମାରାଥନ୍ ଜେରା କରି ବହୁ ତଥ୍ୟ ପ୍ରମାଣ ସଂଗ୍ରହ କରିଛି ତଦନ୍ତକାରୀ ଟିମ୍। ସେହିପରି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ଅନ୍ୟତମ ଅଭିଯୁକ୍ତ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଗତକାଲି ଆକାଶଙ୍କୁ ପ୍ରାୟ ୭ ଘଣ୍ଟା ଧରି ମୁହାଁମୁହିଁ ଜେରା କରାଯାଇଛି। ଏହି ସମୟରେ ଠକେଇ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଲାଗିଛି। ସେହି ତଥ୍ୟ ଆଧାରରେ ଏକ ଟିମ୍ ବ୍ରହ୍ମପୁରରେ ଖୋଳତାଡ଼ ଜାରି ରଖିଛି। ଠକାମିର ଶିକାର ହୋଇଥିବା ବିଭିନ୍ନ ବ୍ୟକ୍ତିଙ୍କ ବୟାନ ମଧ୍ୟ ରେକର୍ଡ କରୁଛି। ଆକାଶଙ୍କ ଦସ୍ତଖତ ରହିଥିବା କିଛି କାଗଜପତ୍ର ଜବତ କରାଯାଇଛି। ରିମାଣ୍ଡ ସମୟରେ ଆକାଶଙ୍କର ମଧ୍ୟ ଦସ୍ତଖତ ସଂଗ୍ରହ କରାଯାଇଛି। ଏହି ଦସ୍ତଖତକୁ ମେଳ କରିବା ପାଇଁ ରାଜ୍ୟ ଫରେନସିକ୍ ଲାବରେଟୋରିକୁ ପଠାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିପରି ପ୍ରଦୀପଙ୍କଠାରୁ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୫୦ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି। ଚାକିରି ନାଁରେ ଠକେଇ ପାଇଁ ଆଦାୟ ହୋଇଥିବା ଅର୍ଥ ଟ୍ରାନ୍ସଫର କରାଯାଇଥିବା ସନ୍ଦେହ କରି କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି।

କ୍ରାଇମବ୍ରାଞ୍ଚ ପାଇଁ ସର୍ବେଶ୍ବର ଅପହଞ୍ଚ

ଏହି ଠକେଇ ସିଣ୍ଡିକେଟର ମଧ୍ୟସ୍ଥ ତଥା ପୂର୍ବତନ କଲେଜ ଅଧ୍ୟକ୍ଷ ଭି. ସର୍ବେଶ୍ବର ରାଓଙ୍କ ପତ୍ତା ମିଳୁନି। ବ୍ରହ୍ମପୁରରେ ତାଙ୍କର ଓ ସମ୍ପର୍କୀୟଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନିରାଶ ହୋଇଛି କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ଟିମ୍ ପାଇଁ ସର୍ବେଶ୍ବର ଏବେ ଅପହଞ୍ଚ ହୋଇ ପଡ଼ିଛନ୍ତି। ସର୍ବେଶ୍ବର ଗିରଫ ହେଲେ ପୂରା ଘଟଣାର ଗୁମର ଖୋଲିବ ବୋଲି କୁହାଯାଉଛି। କାରଣ ସେ ପ୍ରଦୀପ ଓ ଆକାଶଙ୍କ ଭିତରେ ମଧ୍ୟସ୍ଥ ଭାବେ କାମ କରୁଥିଲେ। ପ୍ରାର୍ଥୀଙ୍କ ଠାରୁ ଟଙ୍କା ମଧ୍ୟ ଆଦାୟ କରୁଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ସେ ପ୍ରଦୀପଙ୍କର ଘନିଷ୍ଠ ସହଯୋଗୀ ହୋଇଥିବା ବେଳେ ଯଦି ଧରା ନ ପଡ଼ନ୍ତି ତା’ହେଲେ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ରହିଛି। ଆଜି ପ୍ରଦୀପ ପାଣିଗ୍ରାହୀଙ୍କର ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ। ସୂଚନାଯୋଗ୍ୟ, ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗତ ୩ ତାରିଖରେ ପ୍ରଦୀପଙ୍କୁ ଗିରଫ କରା ଯାଇଥିଲା। ଗତକାଲି ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନିଆ ଯାଇଥିଲା। ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ନଭେମ୍ବର ୨୭ ତାରିଖରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ସହ ଆକାଶ ଗିରଫ ହୋଇଥିଲେ। ଠକେଇ ମାମଲାର ଅଧିକ ଖୋଳତାଡ଼ କରିବା ଲାଗି ଗତ ୧୧ ତାରିଖରେ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଗତକାଲି ତାଙ୍କର ରିମାଣ୍ଡ ଅବଧି ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର