କଟକ: କୋଭିଡ ପରିସ୍ଥିତିର ମୁକାବିଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଚୁକ୍ତିଭିତ୍ତିକ ସ୍ବାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟ, ନର୍ସ, ଲାବୋରେଟୋରି ଟେକନିସିଆନ ଓ ଅନ୍ୟମାନଙ୍କୁ ଚାକିରି କ୍ଷେତ୍ରରେ ଅଣଦେଖା କରାଯିବା ଅଭିଯୋଗକୁ ନେଇ ଦାୟର ମାମଲା ଗୁଡିକର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦ୍ୟୁମ୍ନ କୁମାର ସ୍ବାଇଁ ଓ ଅନ୍ୟମାନଙ୍କ ଆବେଦନର ଏକତ୍ର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ରାୟ ପ୍ରକାଶ ପର୍ଯ୍ୟନ୍ତ ପୂର୍ବରୁ ମେ' ୧ରେ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ କରୋନା ସଂକ୍ରମଣ ଗୁରୁତର ସ୍ଥିତିରେ ଥିବା ବେଳେ ଆବେଦନକାରୀଙ୍କୁ ବିଭିନ୍ନ ପଦରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। ପରିସ୍ଥିତିରେ ସୁଧାର ଆସିବା ପରେ ଆବେଦନକାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ୨୦୨୧, ମେ' ୩ରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କରୋନା ସଂକ୍ରମଣ ବେଳେ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଆଧାରରେ ନିୟମିତ ନିଯୁକ୍ତି ଦିଆଯିବା କଥା। କେନ୍ଦ୍ର ସରକାରଙ୍କ ଏହି ବିଜ୍ଞପ୍ତି ଆଧାରରେ ନିୟମିତ ନିଯୁକ୍ତି ପାଇଁ ଆବେଦନକାରୀ କରିଥିବା ଦରଖାସ୍ତକୁ ମୁଖ୍ୟ ସଚିବ ଖାରଜ କରିଥିଲେ। ଅନ୍ୟପକ୍ଷରେ ଷ୍ଟାଫ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ପଦବିରେ ସିଧାସଳଖ ନିଯୁକ୍ତି ପାଇଁ ୨୦୨୨ ଓ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
୭୪୮୩ ନର୍ସ ଓ ୧୮୯ ଅନ୍ୟ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ନିୟମିତ ନିଯୁକ୍ତି ପ୍ରସଂଗ ନେଇ କରୋନା ସମୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରିଥିବା ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରକ୍ରିୟା ଚୂଡାନ୍ତ କରାଯିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ରହିଥିବା ମାମଲାର ରାୟକୁ ପ୍ରାର୍ଥୀମାନେ ଅପେକ୍ଷା କରି ରହିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ, ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଏଏସସି ଟି.ପଟ୍ଟନାୟକ ଓ ଇଣ୍ଟରଭେନରଙ୍କ ତରଫରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/judgement.jpg)