ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ମାମଲା: ସରକାରଙ୍କ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୁଷ୍ଟ

ସାନି ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ: କରୋନା ସ୍ଥିତିରେ ରାସନ କାର୍ଡ ନଥିବା ଗରିବ ପରିବାରକୁ ମାଗଣା ଖାଦ୍ୟଶସ୍ୟ ସହିତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ପ୍ରସଂଗରେ ସରକାରଙ୍କ ପକ୍ଷରୁ ଦାଖଲ ଜବାବକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫୁଲ୍ଲ ସାମନ୍ତରାଙ୍କ ଆବେଦନର ଶୁଣାଣି କରି ଅକ୍ଟୋବର ୧୨ ସୁଦ୍ଧା ସାନି ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାସନ କାର୍ଡ ନଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ପ୍ରଦାନ କରାଯାଇଥିବା ଖାଦ୍ୟଶସ୍ୟ ସଂପର୍କିତ ପ୍ରତି ଜିଲ୍ଲାର ନିର୍ଦ୍ଦିଷ୍ଟ ତଥ୍ୟ ପ୍ରଦାନ ପାଇଁ ୨୦୨୦, ଅଗଷ୍ଟ ୧୮ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ କ’ଣ ସ୍ବତନ୍ତ୍ର ‌ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ସବିଶେଷ ତଥ୍ୟ ଦେବା ପାଇଁ ସରକାରଙ୍କୁ କୁହାଯାଇଥିଲା। କିନ୍ତୁ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ହାଇକୋର୍ଟଙ୍କ ଅଗଷ୍ଟ ୧୮ର ନି‌‌ର୍ଦ୍ଦେଶ ଅନୁସାରେ ତଥ୍ୟ ପ୍ରଦାନ କରାଯାଇନଥିଲା। ସତ୍ୟପାଠରେ ୨୦୧୧ର ଜନଗଣନା ତଥ୍ୟକୁ ଆଧାର କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ରେ କେତେ ପ୍ରତିଶତ ରାଜ୍ୟବାସୀଙ୍କୁ ସାମିଲ କରାଯାଇଛି, ତା’ ଉପରେ ଆଲୋକପାତ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ୨୦୧୫, ନଭେମ୍ବର/ଡିସେମ୍ବରରୁ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଯିବା ସହିତ ୨୦୧୧ ଜନଗଣନାର ଜନସଂଖ୍ୟା ଅନୁସାରେ ୭୭.୪ ପ୍ରତିଶତଙ୍କୁ ଏଥିରେ ସାମିଲ କରାଯାଇଛି। କୋଭିଡ-୧୯ ପରିସ୍ଥିତିରେ ରାସନକାର୍ଡ ନଥିବା ୨ ଲକ୍ଷ ୧୮ ହଜାର ୯୫୨ ପରିବାରର ୫ଲକ୍ଷ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କୁ ନୂଆ ରାସନ କାର୍ଡ ଦିଆଯାଇ ୨୦୨୦, ଏପ୍ରିଲରୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୫୩,୦୦୦ ପରିବାରର ୧୧ ଲକ୍ଷ ୧୦ ହଜାର ୭ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ ପ୍ରତି ଜିଲ୍ଲାରେ ରାସନ କାର୍ଡ ନଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବା ମାଗଣା ଖାଦ୍ୟଶସ୍ୟ ସଂପର୍କିତ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇ ନଥିବାରୁ ଏ ନେଇ ସାନି ସତ୍ୟପାଠ ଦାଖଲ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ରାସନ କାର୍ଡ ନଥିବା ପରିବାର ଗୁଡିକୁ ୨୦୨୦, ଜୁନ୍ ପରେ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରାଯାଇଛି କି ନାହିଁ, ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ସରକାରଙ୍କୁ କୁହାଯାଇଛି। ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ବୌଦ୍ଧ, ବରଗଡ଼, କନ୍ଧମାଳ, କେନ୍ଦୁଝର ଓ ମାଲକାନଗିରି ଜିଲ୍ଲାରେ ଶିଶୁ ଓ ଗର୍ଭବତୀ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ କ’ଣ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ସତ୍ୟପାଠରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରିବାକୁ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କୁ ଏ ସଂପର୍କିତ ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଫୁଲ୍ଲ ସାମନ୍ତରାଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିବା ବେଳେ ଆଇନଜୀବୀ ଈଶ୍ବର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର