ନିଜ ସର୍ଭିସ୍‌ ବନ୍ଧୁକରୁ ଗୁଳିକରି ସିଆର୍‌ପିଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଝାରବନ୍ଧ/ପଦ୍ମପୁର: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ଜଗଦଲପୁର ଥାନାରେ କାର୍ଯ୍ୟରତ ସିଆର୍‌ପିଏଫ୍‌ ଯବାନ ପ୍ରସନ୍ନଜିତ ପାଲ (୩୫ ବର୍ଷ) ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାନୁସାରେ ଜଗଦଲପୁର ଥାନା ପରିସରରେ ସିଆର୍‌ପିଏଫ୍‌ ଯବାନମାନେ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତି ଅଛନ୍ତି। ଘଟଣା ଦିନ ସେ ସୁରକ୍ଷା ଟାୱାରରେ ଡ୍ୟୁଟି କରୁଥିଲେ। ସୋମବାର ବିଳମ୍ବିତ ରାତିରେ ଗୁଳି ଶବ୍ଦ ଶୁଣି ସିଆରପିଏଫ୍‌ କ୍ୟାମ୍ପ୍‌ର ଯବାନମାନେ ଟାୱାର ଉପରକୁ ଧାଇଁ ଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରସନ୍ନଜିତଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟକୁ ନିଆଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯବାନଙ୍କ ଘର ପଶ୍ଚିମବଙ୍ଗ ଶକ୍ତିପୁର ଥାନା ବଚ୍ରା ଗ୍ରାମର ବୋଲି ଜଣାପଡିଛି। ଖବର ପାଇ ଜଗଦଲପୁର ଥାନାଧିକାରୀ ସୁଷମା କୁଅଁର ଚିକିତ୍ସାଳୟକୁ ପହଂଚି ଶବକୁ ଜବତ କରିଥିଲେ। ଅପମୃତ୍ୟୁ କେସ୍ ନଂ ୦୧/୨୦୨୩ରେ ଏକ ମାମଲା ରୁଜୁ କରାଯାଇଛି। ସିଆର୍‌ପିଏଫ୍‌ ନିୟମାନୁସାରେ ଶବକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ଶବ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଶ୍ରୀମତୀ କୁଅଁର ସୂଚନା ଦେଇଛନ୍ତି। କୌଣସି କାରଣ ଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ନିଜ ସାର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର