ବିରଳ ମୁଦ୍ରା  ଓ ଡାକଟିକଟ ସଂଗ୍ରହ ନିଶା, ଓଏମଜି ବୁକ୍‌ ଅଫ୍‌ ରେକର୍ଡ଼ସରେ ସ୍ଥାନିତ ହେଲେ ଏ.ଚନ୍ଦ୍ରଶେଖର

ବ୍ରହ୍ମପୁର : ପେସାରେ ଜଣେ ସରକାରୀ କର୍ମଚାରୀ। ହେଲେ ଦେଶବିଦେଶର ମୁଦ୍ରା ଓ ବିରଳ ଡାକଟିକଟ ସଂଗ୍ରହ ତାଙ୍କର ନିଶା। ଗଞ୍ଜାମ ଜିଲ୍ଲା ଶେରଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ ଏ.ଚନ୍ଦ୍ରଶେଖର ସରାବଙ୍କ ଏଭଳି ସଉକ ପାଇଁ ସେ ‘ଓଏମ୍‌ଜି ବୁକ୍‌ ଅଫ ରେକର୍ଡ଼ସ’ରେ ଦେଶର ସର୍ବାଧିକ ସଂଗ୍ରହକାରୀ ରେକର୍ଡ଼ର ଅଧିକାରୀ ହୋଇଛନ୍ତି।  ଓଏମ୍‌ଜି ବୁକ୍‌ ଅଫ ରେକର୍ଡ଼ସରେ ସେ ବିଦେଶୀ ମୁଦ୍ରା ସଂଗ୍ରହରେ ପ୍ରଥମ ଓଡ଼ିଆ ଭାବେ ସ୍ଥାନିତ ହୋଇଛନ୍ତି। ସେ ବିଭିନ୍ନ ୩୦୦ ଦେଶର ମୁଦ୍ରା ସଂଗ୍ରହ କରି ଏହି ସଫଳତା ପାଇଛନ୍ତି। ଏହାସହ ୫୦ରୁ ଅଧିକ ଦେଶର ଡାକଟିକେଟ୍, ସ୍ବାଧୀନ ଭାରତର ପାଖାପାଖି ସମସ୍ତ ମୁଦ୍ରା ଓ ନୋଟ୍, ଇଂରେଜ ଓ ପର୍ତ୍ତୁଗୀଜ୍ ଅମଳ ଭାରତର ବହୁ ମୁଦ୍ରା ଓ ଡାକଟିକେଟ୍, ସ୍ବାଧୀନ ଭାରତ ଓ ଗଡ଼ଜାତ ରାଜାଙ୍କ ଡାକଟିକଟ, ରେଭେନ୍ୟୁ ଷ୍ଟାମ୍ପ୍, କୋର୍ଟ ଫି’ ଷ୍ଟାମ୍ପ୍ ସଂଗ୍ରହ କରି ସାଇତି ରଖିଛନ୍ତି। ଏସବୁ ସଂଗୃହୀତ ମୁଦ୍ରା ଓ ଡାକଟିକଟକୁ ଏକ ଘରୋଇ ସଂଗ୍ରହାଳୟର ରୂପ ଦେଇ ‘ଦି କଏନ ୱାଲର୍ଡ଼’ ନାମରେ ନାମିତ କରିଛନ୍ତି।
ହିଞ୍ଜିଳିକାଟୁ ସହରର ଗାୟତ୍ରୀନଗର ବାସିନ୍ଦା ଏ.ଚନ୍ଦ୍ରଶେଖରଙ୍କ ଏହି ନିଶା ପଞ୍ଚମ ଶ୍ରେଣୀରେ ପଢ଼ିବା ଦିନଠୁ ଆରମ୍ଭ ହୋଇଥିବା କୁହନ୍ତି। ବର୍ତ୍ତମାନ ମଧ୍ୟ ସେ କାର୍ଯ୍ୟାଳୟରୁ ଫେରି ଫୁରସତ୍ ପାଇବା ମାତ୍ରେ ମୁଦ୍ରା ସଂଗ୍ରହ କାମରେ ଲାଗିଥାନ୍ତି। ରାତିରେ ଏହାକୁ ସାଇତି ଓ ସଜାଇ ରଖନ୍ତି।  ଆଗକୁ ସେ ସର୍ବସାଧାରଣଙ୍କ ପାଇଁ ଏକ ମୁଦ୍ରା ସଂଗ୍ରହାଳୟ କରିବା ଲକ୍ଷ୍ୟ ରଖିଛନ୍ତି। ଜନସାଧାରଣ ଯେପରି ଦେଶବିଦେଶର ମୁଦ୍ରା ଓ ଡାକଟିକଟ ଉପରେ ଜ୍ଞାନଆହରଣ ସହ ବାହାର ଦେଶ ବିଷୟରେ ସବିଶେଷ ତଥ୍ୟ ପାଇପାରିବେ ସେ ନେଇ ଉଦ୍ୟମ କରିବେ ବୋଲି  କହିଛନ୍ତି। ଏହାସହ ତାଙ୍କ ବିରଳ ସଂଗ୍ରହକୁ ସେ ଇନ୍‌ଷ୍ଟାଗ୍ରାମ ଓ ଫେସବୁକ୍‌ରେ ମଧ୍ୟ ଜନସାଧାରଣଙ୍କୁ ସେୟାର କରୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର