କଟକ : ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଡିଗ୍ରି ବାଣିଜ୍ୟ ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସମାନ ବୋଲି ଗ୍ରହଣ କରାଯିବ। ପୂର୍ବରୁ ଚାର୍ଟାର୍ଡ ଆକଉଣ୍ଟାଣ୍ଟ ଡିଗ୍ରିକୁ ବାଣିଜ୍ୟ ସ୍ନାତକୋତ୍ତର ସହିତ ସମାନ ଡିଗ୍ରି ଭାବେ ୟୁଜିସି ଗ୍ରହଣ କରୁ ନଥିଲା। କିନ୍ତୁ ୨୦୨୧, ଏପ୍ରିଲ ୧୫ର ୟୁଜିସି ବିଜ୍ଞପ୍ତି ଅନୁସାରେ ସିଏ/ସିଏସ/ଆଇସିଡବ୍ଲୁ ଯୋଗ୍ୟତା ସ୍ନାତକୋତ୍ତର ଡିଗ୍ରି ସହିତ ସମାନ ବୋଲି ଆଜି ହାଇକୋର୍ଟ ଏକ ମାମଲାର ବିଚାର କରି ସ୍ପଷ୍ଟ କରିଛନ୍ତି। ଏହି ଆଧାରରେ ସିଏ ପାସ୍ କରିଥିବା ଆବେଦନକାରୀଙ୍କୁ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ଏନଇଟି) ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ବାଣିଜ୍ୟ ସହକାରୀ ପ୍ରଫେସର ପଦ ପାଇଁ ଆବେଦନକାରୀଙ୍କ ଆବଶ୍ୟକ ଯୋଗ୍ୟତା ରହିଛି ଓ ଏହି ପଦରେ ଆବେଦନକାରୀଙ୍କୁ ନିଯୁକ୍ତି ପ୍ରଦାନ ପ୍ରସଂଗରେ କର୍ତ୍ତୃପକ୍ଷ ବିଚାର କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏମ.ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ ଇଣ୍ଡିଆରୁ ସିଏ ଯୋଗ୍ୟତା ହାସଲ କରିବା ପରେ ଆବେଦନକାରୀ ୨୦୧୩ରେ ବାଣିଜ୍ୟ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ ଅନୁଷ୍ଠିତ ୟୁଜିସି ଏନଇଟି ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ଆବେଦନକାରୀ ପାସ୍ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆବେଦନକାରୀଙ୍କ ଆବଶ୍ୟକ ବାଣିଜ୍ୟ ସ୍ନାତକୋତ୍ତର ଡିଗ୍ରି ଯୋଗ୍ୟତା ନଥିବା ଦର୍ଶାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ସିଏ ଡିଗ୍ରି ବାଣିଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସମାନ ନୁହେଁ ବୋଲି ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ବାଣିଜ୍ୟ ସ୍ନାତକୋତ୍ତର ପାଠ୍ୟକ୍ରମ ଓ ସିଏ ପାଠ୍ୟକ୍ରମ ସମାନ ବୋଲି ଆବେଦନକାରୀ ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।