ଜଣେ ମୁଖ୍ୟ ସଚିବ ସବୁ କରିପାରିବ; ଏହା ସତ ନୁହେଁ

ଆଜି ଅବସର ପୂର୍ବରୁ ମୁଖ୍ୟ ସଚିବଙ୍କ ଭାବବିହ୍ବଳ ଟୁଇଟ୍

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅବସର ନେବେ। ଏହା ପୂର୍ବରୁ ଆଜି ସେ ଟୁଇଟ୍ କରି ଆଗାମୀ ଦିନ ପାଇଁ ଲୋକଙ୍କ ଆଶୀର୍ବାଦ କାମନା କରିଛନ୍ତି। ଶ୍ରୀ ଜେନା ଏକ୍ସରେ ଲେଖିଛନ୍ତି ଯେ ମୁଁ ଜୀବନର ଏକ ନୂଆ ପର୍ଯ୍ୟାୟକୁ ପ୍ରବେଶ କରୁଥିବାରୁ ଜଣେ ସାଧାରଣ ଲୋକ ଭାବେ ଯେପରି ରାଜ୍ୟର ହିତ ପାଇଁ ସହଯୋଗ କରିପାରିବି ସେଥିପାଇଁ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି। ସର୍ବଦା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସକ୍ରିୟ ରହୁଥିବା ଏବଂ ଏଥିରେ ଆସୁଥିବା ଅଭିଯୋଗକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ‌େନଉଥିବା ଶ୍ରୀ ଜେନା କହିଛନ୍ତି, ମୁଁ ସର୍ବଦା ସୀମା ଭିତରେ ରହି ପ୍ରତ୍ୟେକଙ୍କୁ ପ୍ରତ୍ୟୁତ୍ତର ଦେଇଛି। ଅନେକଙ୍କ ପରି ମୋର କେହି ସହଯୋଗୀ କି ସଂସ୍ଥା ପ୍ରତ୍ୟୁତ୍ତର ଦିଅନ୍ତିନି। ମୁଁ ନିଜେ ହିଁ ସବୁର ଉତ୍ତର ଦିଏ। ସରକାରଙ୍କ ସୀମା ଅତିକ୍ରମ କରିପାରିବି ନାହିଁ। ଏଣୁ ମୁଁ କେତେକ ପ୍ରସଙ୍ଗରେ ପ୍ରତ୍ୟୁତ୍ତର ଦେଇପାରିନି। ଏଥିପାଇଁ ମୋତେ କ୍ଷମା କରିବେ।

ଯେଉଁଠି ମୋତେ ବ୍ୟବସ୍ଥା ସହଯୋଗ କରିଛି କିମ୍ବା ସହଯୋଗ କରିବାର ସମ୍ଭାବନା ଅଛି ‌ସେଠାରେ ସମସ୍ୟା ସମାଧାନ କରିବାକୁ ଯଥାସମ୍ଭବ ଚେଷ୍ଟା କରିଛି। ଯଦି କେତେକଙ୍କୁ ଆଶାନୁରୂପ ସହଯୋଗ କରିପାରିନି ସେଥିପାଇଁ ଦୁଃଖିତ। ସରକାର ବାହାରେ ଆପଣଙ୍କ ମଧ୍ୟରେ ମୁଁ ଜଣେ ହୋଇ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବି। ମୋତେ ବି ଆପଣଙ୍କ ମଧ୍ୟରେ ସାମିଲ୍ କରନ୍ତୁ। ଏହାସହ ସେ କହିଛନ୍ତି ଯେ ଆପଣମାନଙ୍କ କିଛି ଆଶା ମୋର କ୍ଷମତା ବାହାରେ ଥିଲା। କେତେକ ସମୟରେ ଲୋକ ଭାବନ୍ତି ଯେ ଜଣେ ମୁଖ୍ୟ ସଚିବ ସବୁ କିଛି କରିପାରିବ। ଏହା ସତ ନୁହେଁ। ମୁଁ ବ୍ୟବସ୍ଥା, ପ୍ରକ୍ରିୟା, ପଦ୍ଧତି, ନୀତି, ନିୟମରେ ବନ୍ଧା। କେତେକ କ୍ଷେତ୍ରରେ ମୁଁ ସାହାଯ୍ୟ କରିବାକୁ ଚାହିଁଥିଲେ ବି ଏହି ସବୁ ପ୍ରତିବନ୍ଧକ ଯୋଗୁ କରିପାରିନି।

ସମ୍ବନ୍ଧିତ ଖବର