‘ଅନ୍ବେଷା’ରେ ପିଲାଏ ସତରେ ପଢୁଛନ୍ତି ତ!

ରାଉରକେଲା: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୭ମ ଶ୍ରେଣୀର ଛାତ୍ର ହେଉଛନ୍ତି ସୁମିତ କୁମାର କିସାନ ଓ  ଲାଲିନ୍‌ କିସାନ; ଶ୍ରୀ ଅରୋବିନ୍ଦ ସ୍କୁଲ ସପ୍ତମ ଶ୍ରେଣୀର ଛାତ୍ର ହେଲେ ଦୀପକ କଚ୍ଛପ, ୬ଷ୍ଠ ଶ୍ରେଣୀର ଶକ୍ତିମାନ କିସାନ, ୫ମ ଶ୍ରେଣୀର ଛାତ୍ର ଅନୁପ କୁମାର ସୁରିନ୍‌, ବିକ୍ରମ ଟପ୍ପୋ, ନର୍ମତା ବାର୍ଲା, ପ୍ରିନ୍ସ ଲାକ୍ରା,  ରାଜକୁମାର ମିଞ୍ଜ ଓ ସମୀର ଓରାମ। ସେମିତି କଳିଙ୍ଗ ପବ୍ଲିକ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ଆଲୋକ ଲାକ୍ରା, ଦି ଆସେମ୍ଭିଲ୍‌ ଅଫ୍‌ ଗଡ୍‌ ସ୍କୁଲର ପଞ୍ଚମ ଶ୍ରେଣୀରେ ପଢୁଛନ୍ତି ଶିସ୍‌କା କେର୍କେଟା, ଶ୍ରୁତି ମାରାଣ୍ଡି, ୬ଷ୍ଠ ଶ୍ରେଣୀର ବିଶାଳ ସନ୍ୟାସୀ। ଅତିକମ୍‌ରେ ସରକାରୀ କାଗଜପତ୍ରରେ ଏହି ନାମଧାରୀ ଛାତ୍ର ବା ଛାତ୍ରୀ ଉପରୋକ୍ତ ଇଂରାଜି ମାଧ୍ୟମ ସ୍କୁଲରେ ପଢୁଥିବାର ରେକର୍ଡ ରହିଛି। ଏହି ଛାତ୍ରଛାତ୍ରୀଙ୍କ ‌ପିଛା ମୁଣ୍ଡପିଛା କେବଳ ସ୍କୁଲ ଟ୍ୟୁସନ୍‌ ଫି’ ବାବଦରେ ସରକାର ‘ଅନ୍ବେଷା’ ଯୋଜନାରେ ବାର୍ଷିକ ଖର୍ଚ୍ଚ କରୁଛନ୍ତି ୨୦ ହଜାର। ଏହି ଅର୍ଥ ସଂପୃକ୍ତ ସ୍କୁଲଗୁଡ଼ିକୁ ଦିଆ ଯାଉଛି। ଏହା ବ୍ୟତୀତ ସେମାନଙ୍କର ଖାଇବା, ରହିବା, ପୋଷାପତ୍ର ଓ ଯାତାୟତ ଖର୍ଚ୍ଚ ବାବଦରେ ବାର୍ଷିକ ଆହୁରି ୧୮ ହଜାର ଟଙ୍କା ସରକାର ଦେଉଛନ୍ତି।

ସେହି ଅର୍ଥ ଦିଆ ଯାଉଛି ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ତିଆରି ହୋଇଥିବା ସ୍ବତନ୍ତ୍ର ହଷ୍ଟେଲଗୁଡ଼ିକୁ। ଏମିତି ଭା‌ବେ ବାର୍ଷିକ ଜଣେ ଆଦିବାସୀ ଛାତ୍ର ବା ଛାତ୍ରୀଙ୍କ ପିଛା ସରକାର ୩୮ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଗତ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଉପରୋକ୍ତ ସମସ୍ତ ଛାତ୍ର ଛାତ୍ରୀ ମାର୍କ ଶୂନ୍‌ ରହିଛି। ପାସ୍‌ କରିବା ତ ଦୂରର କଥା, ସବୁ ବିଷୟକୁ ମିଶାଇ ଏମାନେ ୧ ନମ୍ବର ମଧ୍ୟ ରଖି ନପାରିବା ବିଶ୍ବାସଯୋଗ୍ୟ ନୁହେଁ। ଏଥିରୁ ସ୍ପଷ୍ଟ ଅନୁମାନ କରା ଯାଇପାରେ ଯେ ଉପରୋକ୍ତ ଘରୋଇ ଇଂରାଜୀ ସ୍କୁଲଗୁଡ଼ିକର ରେଜିଷ୍ଟରରେ ସେମାନଙ୍କ ନାଁ ନାମକୁ ମାତ୍ର ଲେଖା ହୋଇଛି। ସେଭଳି କେବଳ କାଗଜପତ୍ରରେ ହିଁ ସେମାନେ ହଷ୍ଟେଲରେ ରହି ବସ୍‌ରେ ପାଠ ପଢ଼ିବାକୁ ଯାଉଛନ୍ତି, ଖାଉଛନ୍ତି ଓ ତାଙ୍କ ପାଇଁ ବହି ଖାତା କଲମ କିଣା ଯାଉଛି। ଅସ​ଲରେ ସେମାନେ ପାଠ ପଢ଼ିବାକୁ ଆସି ହିଁ ନାହାନ୍ତି। କାରଣ ପାଠରେ ଯେତେ ଦୁର୍ବଳ ହେଲେ ହେଁ, ଅନ୍ତତଃ ଗୋଟିଏ ବିଷୟର ପରୀକ୍ଷା ଖାତାରେ ସେମାନେ ଧାଡ଼ିଏ ବା ଦୁଇଧାଡ଼ି ତ ନିଶ୍ଚୟ ଲେଖିଥିବେ! ସେମାନେ ସାତ ଆଠଟି ବିଷୟରେ ମୋଟ୍ ଶୂନ୍ ରଖିବା ଆଦୌ ସମ୍ଭବ ନୁହେଁ। ସରକାରୀ ଅର୍ଥ ହରିଲୁଟ୍‌ କରିବାକୁ ଘରୋଇ ସ୍କୁଲ ତଥା ହଷ୍ଟେଲ ପରିଚାଳନା ଓ ଯୋଜନାର ଦାୟିତ୍ବରେ ଥିବା ସରକାରୀ ବାବୁମାନେ ଏଭଳି  ଅଭିବନ ପନ୍ଥା ଆପଣାଇଥିବା ଏଥିରୁ ସ୍ପଷ୍ଟ ହୋଇ ଯାଉଛି।

କେବଳ ୨/୩ ଟି ଘରୋଇ ସ୍କୁଲ ନୁହେଁ, ଅନ୍ୟ ଅନେକ ଘରୋଇ ସ୍କୁଲରେ ମଧ୍ୟ ସେହି ସମାନ ସ୍ଥିତି। ସୁନ୍ଦରଗଡ଼ ଜିଲ୍ଲାରେ ‘ଅନ୍ବେଷା’ ଯୋଜନା ନାଁରେ ଆଦିବାସୀ ଅଭିଭାବକଙ୍କୁ ଭଣ୍ଡାଇ କିପରି ସେମାନଙ୍କ ପିଲାଙ୍କ ଟଙ୍କାକୁ  ହଡ଼ପ କରାଯାଉଛି, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି। ‘ଅନ୍ବେଷା’ ଯୋଜନାରେ  ସୁନ୍ଦରଗଡ଼ ଜିଲ୍ଲାରେ ୨ଟି କେନ୍ଦ୍ର ରହିଛି। ପ୍ରଥମ କେନ୍ଦ୍ର ସୁନ୍ଦରଗଡ଼ରେ ଓ ଦ୍ବିତୀୟ କେନ୍ଦ୍ର ରାଉରକେଲାରେ। ସୁନ୍ଦରଗଡ଼ କେନ୍ଦ୍ର ଅଧୀନରେ ଥିବା ଗୋଟିଏ ହଷ୍ଟେଲରେ ୧୧୩୪ ଓ ରାଉରକେଲା କେନ୍ଦ୍ର ଅଧୀନରେ ଥିବାର ୩ଟି ହଷ୍ଟେଲରେ ୧୧୨୧, ଏମିତି ମୋଟ୍ ୨,୨୬୪ ପିଲା ୧୭ଟି ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକରେ ପଢ଼ୁଥିବା କଥା ଦାବି କରା ଯାଉଛି ଓ ସେହି ଅନୁସାରେ ସରକାର ଅର୍ଥ ମଞ୍ଜୁର କରୁଛନ୍ତି।

ମୋଟ ୧୭ ଘରୋଇ ସ୍କୁଲରେ ପଢ଼ୁଥିବା ୨,୨୬୪ ପିଲାଙ୍କ ବାବଦରେ କେବଳ ବାର୍ଷିକ ଟ୍ୟୁସନ୍‌ ବାବଦରେ ୪ କୋଟି ୧୯ ଲକ୍ଷ ୩୧ହଜାର ସରକାର ଖର୍ଚ୍ଚ କରୁଛନ୍ତି। ଗତ ଶିକ୍ଷାବର୍ଷରେ ସୁନ୍ଦରଗଡ଼ର ଦର୍ଶନ ଏକାଡେମୀକୁ ବାର୍ଷିକ ସର୍ବାଧିକ ୫୧ ଲକ୍ଷ,  ରାଉରକେଲାର କଳିଙ୍ଗ ପବ୍ଳିକ ସ୍କୁଲକୁ  ୩୮ ଲକ୍ଷ ୪୦ ହଜାର, ଚିନ୍ମୟ ପବ୍ଲିକ ସ୍କୁଲକୁ ୩୪ ଲକ୍ଷ ୫୪ ହଜାର ୨୫୦ ଟଙ୍କା, ସୁନ୍ଦରଗଡ଼ ପବ୍ଲିକ ସ୍କୁଲକୁ ବାର୍ଷିକ ୩୨ ଲକ୍ଷ ୮୦ ହଜାର, ଓଡ଼ିଶା ପବ୍ଲିକ ସ୍କୁଲକୁ  ୩୦ ଲକ୍ଷ , ଶ୍ରୀ ଅରୋବିନ୍ଦ ସ୍କୁଲକୁ ୩୩ ଲକ୍ଷ ୧୯ ହଜାର ୬୦୦ ଟଙ୍କା,  ସିଟି ଇଂରାଜୀ ମାଧ୍ୟମ ସ୍କୁଲକୁ ୨୭ ଲକ୍ଷ ୪୩ ହଜାର ୨୦୦ ଟଙ୍କା ଦିଆଯାଇଛି। ଅନୁରୂପ ଭାବେ ସତ୍ୟସାଇ ବିଦ୍ୟାମନ୍ଦିରକୁ ୧୩ ଲକ୍ଷ ୩୩ ହଜାର ୭୦୦ ଟଙ୍କା, ଇଣ୍ଡୋ ଇଂରାଜୀ ମାଧ୍ୟମ ସ୍କୁଲକୁ  ୩୦ ଲକ୍ଷ ୨୦ ହଜାର,  ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲକୁ ୧୫ ଲକ୍ଷ ୪୦ ହଜାର,  ସାଇଭେଲି ୱାଲ୍‌ର୍ଡ ସ୍କୁଲକୁ ୧୮ ଲକ୍ଷ ୧୧ ହଜାର ଟଙ୍କା ଓ  ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲକୁ ୧୧ ଲକ୍ଷ ୬୦ ହଜାର ଟଙ୍କା ଦିଆଯାଇଛି। କିଛି ଦାୟିତ୍ବବାନ ଅନୁଷ୍ଠାନକୁ ବାଦ୍‌ଦେଲେ ବାସ୍ତବରେ ବାକି ସ୍କୁଲକୁ ଦିଆଯାଉଥିବା ବାର୍ଷିକ ଟ୍ୟୁସନ୍‌ ଫି’ ଅନୁଯାୟୀ ଆଦିବାସୀ ଛାତ୍ର ଛାତ୍ରୀ ସେଠାରେ ପାଠପଢ଼ୁଛନ୍ତି କି ନାହିଁ ସନ୍ଦେହ। ଅନେକ ପିଲା ପରୀକ୍ଷାରେ ମୋଟ୍‌ ଶୂନ୍‌ ରଖିବା ମାମଲା ଏ ସନ୍ଦେହକୁ ଆହୁରି ଗାଢ଼ କରୁଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନ୍ବେଷା ଯୋଜନାର ବାସ୍ତବ ଚିତ୍ର ପ୍ରକାଶ ପାଆନ୍ତା।

ସମ୍ବନ୍ଧିତ ଖବର