ରାଉରକେଲା/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା ଖଣି ଅଞ୍ଚଳ କୋଇଡାରେ ଅସ୍ତିତ୍ବ ହରାଉଛନ୍ତି ଅନେକ ଛୋଟ ନଦୀ ଓ ଝରଣା। ପ୍ରଦୂଷଣକାରୀ ଖଣିଗୁଡ଼ିକର ଲୁହାପଥର ଗୁଣ୍ଡ ଓ ନିର୍ଗତ ଅନ୍ୟ ଆବର୍ଜନାପୂର୍ଣ୍ଣ ପାଣି ଯୋଗୁ ଦିନକୁ ଦିନକୁ ଅଧିକରୁ ଅଧିକ ପ୍ରଦୂଷିତ ହୋଇ ଚାଲିଛନ୍ତି ଏହି ନଦୀ ଓ ଝରଣା। ଅନେକ ପ୍ରାକୃତିକ ଝରଣା ତ ଲୁହାପଥର ଗୁଣ୍ଡ ଓ ଖଣି ଆବର୍ଜନାରେ ପୋତି ହୋଇଗଲେଣି। ଯେଉଁ ଝରଣାରେ ବର୍ଷସାରା ଅଣ୍ଟାଏ ପାଣି ରହୁଥିଲା, ସେଠି ଏବେ ପାଦ ବୁଡୁନି। ତେବେ ନିୟମ ଭାଙ୍ଗୁଥିବା ଏହି ଖଣିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପ୍ରଦୂଷଣ ବିଭାଗ ଓଲଟା ସେମାନଙ୍କୁ କ୍ଲିନ୍‌ ଚିଟ୍‌ ଦେଉଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏକ ତଥ୍ୟ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ବିଭାଗର ଏହି ଅନୈତିକ କାର୍ଯ୍ୟକୁ ସାମ୍‌ନାକୁ ଆଣିଛି। ଗତ ସପ୍ତାହରେ ପ୍ରଦତ୍ତ ଏହି ସୂଚନାରେ କୋଇଡ଼ା ଅଞ୍ଚଳରେ ଥିବା ନାଳ ଓ ଝରଣା ତଥା ତାହା ଯେଉଁ ଖଣିଗୁଡ଼ିକର ପରିସର ମଧ୍ୟଦେଇ ପ୍ରବାହିତ ହେଉଛନ୍ତି, ତା’ର ଏକ ବିବରଣୀ ଦିଆ ଯାଇଛି।

Advertisment

ନୀତି ନିୟମ ମାନୁନାହାନ୍ତି ଖଣି
ଅସ୍ତିତ୍ବ ହରାଉଛି ନଦୀ ଓ ଝରଣା

କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଖଣି ଯୋଗୁଁ କୌଣସି ନାଳ ବା ଝରଣା ପ୍ରଦୂଷିତ ବା ଅବରୋଧ ହେଉନାହିଁ ବୋଲି ଯୋର୍‌ ଦେଇ କୁହା ଯାଇଛି। କିନ୍ତୁ ଏହା ପ୍ରକୃତ ସତ୍ୟର ବିପରୀତ ବୋଲି ସ୍ଥାନୀୟ ଅଞ୍ଚଳର ସମସ୍ତେ ଜାଣନ୍ତି। ପ୍ରଦୂଷଣ ବିଭାଗର ଅଧିକାରୀମାନେ ପରିବେଶ ସୁରକ୍ଷା ପାଇଁ ସରକାରଙ୍କଠାରୁ ଦରମା ପାଉଛନ୍ତି ନା ଖଣିଗୁଡ଼ିକର ସୁରକ୍ଷା ପାଇଁ ବୋଲି ପ୍ରଶ୍ନ ଉଠୁଛି। ଉଦାହରଣ ଭାବେ ସମିଜ୍‌ ନାଳାକୁ ନିଆ ଯାଇପାରେ। ଏହି ନାଳା ଉପରେ ଦୁଇକୂଳରେ ଥିବା ଲୋକେ ନିତ୍ୟ ବ୍ୟବହାରର ଜଳ ସମେତ ଚାଷ ପାଇଁ ନିର୍ଭର କରି ଆସୁଛନ୍ତି। ଅନ୍ୟପକ୍ଷରେ ଟେନସା ପଞ୍ଚାୟତ ତନ୍ତରାସ୍ଥ କର୍ପ ରିସୋସେର୍ସ ଲୁହା ଖଣିରୁ ବାହାରିଥିବା ଝରଣାର ପାଣି ଜିନ୍ଦଲ ଖଣି ବାଟ ଦେଇ ଦୈନନ୍ଦିନ ଏହି ସମିଜ୍‌ ନାଳାରେ ମିଶୁଛି। ଫଳରେ ତାହା ଆଉ ବ୍ୟବହାର ଉପଯୋଗୀ ହେଉନାହିଁ। ନାଳା ଉପରେ ନିର୍ଭରଶୀଳ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଅନେକ ଥର ଏ ପ୍ରସଙ୍ଗରେ ରାଉରକେଲାସ୍ଥ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ପ୍ରଦୂଷଣକାରୀ ଖଣି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛି।

ପ୍ରଦୂଷଣ ବିଭାଗର ନିରବତା ତଥା ‌ସ୍ଥାନୀୟ ଲୋକଙ୍କ ସ୍ବାର୍ଥ ପ୍ରତି ଖଣି ମାଲିକଙ୍କ ବେଖାତିର ଭାବ ଭିତରେ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକେ ଦହଗଞ୍ଜ ହେଉଛନ୍ତି। ଉଲ୍ଲେଖନୀୟ ସେ କିଛି ବର୍ଷ ତଳେ କର୍ପ ଖଣିରୁ ବାହାରୁଥିବା ମାଟି ଓ ପଥରରେ ଉକ୍ତ ଝରଣାର ଝର ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ତେଣୁ ଝରଣା ପାଣି ସମିଜ୍‌ ନାଳାରେ ପହଞ୍ଚି ପାରିଲା ନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ ଖରାଦିନରେ ଭୀଷଣ ଜଳ ସଙ୍କଟ ଦେଖାଦେଇଥିଲା। ସ୍ଥିତି ସଙ୍ଗିନ ହେବାରୁ ଲୋକ କୋଇଡା ଖଣି ବିଭାଗର କାର୍ଯ୍ୟାଳୟ ଘେରାଉ କରିଥିଲେ। ଖଣି ବିଭାଗର ଅଧିକାରୀ ସତ୍ୟତା ଜାଣିବାକୁ ସ୍ଥିତି ଅନୁଧ୍ୟାନ କରି ପ୍ରାକୃତିକ ଝରଣାକୁ ପୁନଃ ଉଦ୍ଧାର କରିବାକୁ ଖଣି କର୍ତ୍ତୃପକ୍ଷଙ୍କୁ ଦାଗିଦ୍‌ କରିଥିଲେ। ତେବେ ଉକ୍ତ ଅଧିକାରୀ ବଦଳି ହୋଇ ଚାଲିଯିବା ପରେ ଖଣି କର୍ତ୍ତୃପକ୍ଷ ସେହି ଆଦେଶକୁ ଫୁଃ କରି ଉଡାଇ ଦେଇଥିଲେ।

କେବଳ ଏହି ନାଳା ନୁହେଁ, କୋଇଡ଼ା ଅଞ୍ଚଳରେ ଆହୁରି ଅନେକ ଛୋଟ ବଡ଼ ନାଳ ଓ ଝରଣା ଦିନକୁ ଦିନ ଖଣି ଲୁହାପଥର ଗୁଣ୍ଡ ଓ ଆବର୍ଜନା ପାଣିରେ ପ୍ରଦୂଷିତ ହେବା ସହିତ ପୋତି ହୋଇ ଯାଉଛି। ଏହାର ସିଧାସଳଖ ପ୍ରଭାବ ପଡୁଛି ଏହାର ଚତୁଃପାର୍ଶ୍ବରେ ବସବାସ କରୁଥିବା ଆଦିବାସୀ ଲୋକ ତଥା ପରିବେଶ ଉପରେ। କେବଳ ନାଳା ପାଣି ପ୍ରଦୂଷିତ ହେଉଛି ତା’ନୁହେଁ, ସ୍ଥାନୀୟ ଅଞ୍ଚଳର ଗଛପତ୍ର, ରାସ୍ତାଘାଟ ଓ ଘରଦ୍ବାର ମଧ୍ୟ ଲୁହାଗୁଣ୍ଡ ଓ ଧୂଳିରେ ଲାଲ୍ ଅସ୍ତରଣ ତଳେ ରହୁଛି ବର୍ଷ ସାରା। ନିମୟ ଭଙ୍ଗକାରୀ ଖଣିଗୁଡ଼ିକ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ କୋଇଡା ଅଞ୍ଚଳର ସ୍ଥିତି ଭୟଙ୍କର ହେବା ନିଶ୍ଚିତ।