ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପୁନରୁଦ୍ଧାର ହେଉଥିବା ମଠ, ମନ୍ଦିରର ପ୍ରାଚୀନ କାରୁକାର୍ଯ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏ ନେଇ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଆଜି ସଂଧ୍ୟାରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଜରୁରୀ ବୈଠକ ଡାକି ଏକ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଯେଉଁଥିରେ ତାଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ, ଓବିସିସିର ଅଧିକାରୀମାନେ ରହିବେ ବୋଲି ନିଷ୍ପତ୍ତି ହୋଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ ଅଭିଯୋଗରେ ଦର୍ଶାଇଛନ୍ତି, ମୁଖ୍ୟମନ୍ତ୍ରୀ ପୁରୀକୁ ଐତିହ୍ୟ ସହରରେ ପରିଣତ କରିବାର ସ୍ବପ୍ନ ଦେଖୁଛନ୍ତି, ଯାହା ଆମ ପାଇଁ ଗର୍ବର କଥା। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ପୁରୀର ଅନେକ ବିକାଶମୂଳକ କାର୍ଯ୍ୟ ହେଉଛି, ଯେଉଁଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ପ୍ରମୁଖ ଉନ୍ନୟନ ପ୍ରକଳ୍ପ। କିନ୍ତୁ ଜଣେ ଶିଳ୍ପୀ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ପୁନରୁଦ୍ଧାର ଚାଲିଥିବା ପୁରାତନ ମଠ ଓ ମନ୍ଦିରଗୁଡ଼ିକ କାନ୍ଥଗୁଡ଼ିକ ଶୂନ୍ୟ ଦିଶୁଥିବା ଅନୁଭବ କରୁଛି।

ନିର୍ମାଣକାରୀ ସଂସ୍ଥାମାନେ ପୁରାତନ କାରୁକାର୍ଯ୍ୟକୁ ନଷ୍ଟ କରି ମଠ, ମନ୍ଦିର କାନ୍ଥରେ ସାଦା ଓ କାରୁକାର୍ଯ୍ୟବିହୀନ ଖାଣ୍ଡେଲାଇଟ୍‌ ପଥର ଲଗାଉଛନ୍ତି। ପୁରାତନ କାରୁକାର୍ଯ୍ୟକୁ ନଷ୍ଟ କରି ଶୀଘ୍ର କାମ ସାରିଦେବାକୁ ଠିକାସଂସ୍ଥାମାନେ ଉଦ୍ୟମ କରୁଛନ୍ତି। ଆମ ରାଜ୍ୟ କଳିଙ୍ଗ କଳା ଓ ସ୍ଥାପତ୍ୟ ପାଇଁ ବିଶ୍ବବିଦିତ। ଅନ୍ତତଃ ମଠ, ମନ୍ଦିର କାନ୍ଥରେ ଥିବା କଳିଙ୍ଗର କଳା ଓ ସ୍ଥାପତ୍ୟକୁ ଯଥେଷ୍ଟ ଯତ୍ନ ସହକାରେ ସଂରକ୍ଷିତ ରଖିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଥିଲେ। ଏହି ଚିଠି ପରେ ଜିଲ୍ଲାପାଳ ଶ୍ରୀ ବର୍ମା ଆଜି ସଂଧ୍ୟାରେ ବୈଠକ ଡାକିଥିଲେ। ଶ୍ରୀ ପଟ୍ଟନାୟକ କହିଛନ୍ତି, ମଠ, ମନ୍ଦିର ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ ପାଇଁ ଗଠନ ହୋଇଥିବା କମିଟି ପ୍ରତିଦିନ କାମର ଅନୁଧ୍ୟାନ କରିବା ସହ ଆବଶ୍ୟକ ପରାମର୍ଶ ଦେବ। ଚିଠି ପରେ ତତ୍କାଳ ବୈଠକ କରାଯାଇ ମଠ, ମନ୍ଦିର ସୁରକ୍ଷା ପାଇଁ କମିଟି ଗଠନ କରାଯାଇଥିବାରୁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।