ନିରକ୍ଷରତା ଦୂର ପାଇଁ ଐକ୍ୟବଦ୍ଧ ପ୍ରୟାସ ହେଉ: ଧର୍ମେନ୍ଦ୍ର

ଏନ୍‌ଆଇଟିର ୧୯ତମ ସମାବର୍ତ୍ତନ ଉତ୍ସବ, ଭାଷା, ଟେକ୍ନୋଲୋଜି, ଗବେଷଣାକୁ ଗୁରୁତ୍ବ

ରାଉରକେଲା: ୧୯୪୭ ମସିହାରେ ଦେଶରେ ନିରକ୍ଷରତା ହାର ପ୍ରାୟ ୮୦ ପ୍ରତିଶତ ଥିଲା। ଅର୍ଥାତ୍‌ ସେତେବେଳେ ଭାରତର ପାଖାପାଖି ୨୫ କୋଟି ଲୋକ ନିରକ୍ଷର ଥିଲେ। ଦେଶ ସ୍ବାଧୀନତା ପାଇବାର ୭୫ ବର୍ଷ ଭିତରେ ନିଶ୍ଚିତଭାବରେ ସ୍ବାକ୍ଷରତା ହାର ବୃଦ୍ଧି ପାଇଛି। ତେବେ ଏବେ ବି ଦେଶର ୨୦ ପ୍ରତିଶତ, ଅର୍ଥାତ୍‌ ପ୍ରାୟ ୨୭ କୋଟି ଜନତା ନିରକ୍ଷର। ଶତ ପ୍ରତିଶତ ଜନସଂଖ୍ୟା ସ୍ବାକ୍ଷର ନ ହେଲେ ଆମର ଲକ୍ଷ୍ୟ ୫ ଟ୍ରିଲିୟନ ଡଲାର ଅର୍ଥନୀତି, ଉତ୍ପାଦନକାରୀ ଅର୍ଥନୀତି ତଥା ସୁପରପାୱାର ହେବାରେ ବାଧକ ସାଜିବ। ଏହି ଚିତ୍ରରେ ପରିବର୍ତ୍ତନ ଆଣିବା ନିତାନ୍ତ ଜରୁରୀ। ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ସହ ନିଜ ନିଜ ସାମାଜିକ ଦାୟିତ୍ବବୋଧ ପାଳନ ପୂର୍ବକ ଏହା ସମ୍ଭବ। ପ୍ରତ୍ୟେକ ବ୍ୟକ୍ତିବିଶେଷ ଅନ୍ତତଃ ଆଗାମୀ ୨୫ ବର୍ଷ ପାଇଁ ନିଜ ଦାୟିତ୍ବ ସମ୍ପାଦନ କରନ୍ତୁ। ଆମେ ଆମ ଦାୟିତ୍ବ ନିର୍ବାହ କଲେ, ଆଉ ଜଣଙ୍କର ଅଧିକାର ସୁରକ୍ଷିତ ଓ ଅକ୍ଷୂର୍ଣ୍ଣ ରହିପାରିବ। ନିରକ୍ଷରତା ଲୋପ କରିବାକୁ ଏଭଳିଭାବେ ଆହ୍ବାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ୧୯ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କହିଲେ, ଛାତ୍ରଛାତ୍ରୀଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଏହା ଛାତ୍ରଛାତ୍ରୀଙ୍କୁ ନୂଆ ଦାୟିତ୍ୱ ନେବାକୁ ପ୍ରବର୍ତ୍ତାଇଥାଏ। ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀ ନିଜେ ସଫଳ ହୋଇ ସମାଜପ୍ରତି ଦାୟିତ୍ବକୁ ସମ୍ପାଦନ କରିବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀତା ତଥା ଦିଗ୍‌ଦର୍ଶନ ଫଳରେ ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନ ହୋଇପାରିଛି। ଏଥିରେ ମାତୃଭାଷା, ଟେକ୍ନୋଲୋଜିର ଉପଯୋଗ ତଥା ଅନେକ ଉପାଦେୟ ଦିଗକୁ ଅନ୍ତର୍ଭୁକ୍ତ କରାଯାଇଛି। ବ୍ଲକ ଚେନ୍‌ ଆଧାରିତ ଟେକ୍ନୋଲୋଜି ସାହାଯ୍ୟରେ ଏନ୍‌ଆଇଟି ସାର୍ଟିଫିକେଟ୍‌ ବଣ୍ଟନ ବ୍ୟବସ୍ଥା କରିଛି; ଯାହାକି ପ୍ରଶଂସନୀୟ। ତେବେ ଏହି ବ୍ଲକଚେନ୍‌ ଟେକ୍ନୋଲୋଜିର ବ୍ୟବହାର କରି ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଜନସାଧାରଣଙ୍କ ସହ ସଂଯୋଗ ସ୍ଥାପନ ହେଉ।

ଏହା ସମାଜ ପାଇଁ ଲାଭଦାୟକ ହେବାସହ କଲ୍ୟାଣକାରୀ ଯୋଜନାର ବିତରଣରେ ଅଧିକ ସ୍ୱଚ୍ଛତା, ଗତି ଆଣିବାସହ ସୁଦୂରପ୍ରସାରୀ ହେବ। ୨୦୨୫ ସୁଦ୍ଧା ଅଧା କାମ ହାତରେ ଓ ଅଧା କାମ ମେସିନରେ ପରିଚାଳିତ ହେବ। ଶିଳ୍ପ ବିପ୍ଳବ ୪.୦ ଓତଃପ୍ରୋତ ଭାବେ କୁତ୍ରିମ ବୁଦ୍ଧିମତା(ଏଆଇ) ଉପରେ ଗୁରୁତ୍ୱ ଦେଇ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ଏନଆଇଟି ରାଉରକେଲା ଏହାର ସୁଯୋଗ ନେଇ ସୁନ୍ଦରଗଡ଼ ଜିଲ୍ଲାକୁ ଏକ ଲାବରୋଟୋରୀ ଭାବେ ପରିଣତ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକବୋଲି କହିଥିଲେ। ଭାରତ ହେଉଛି ଗଣତନ୍ତ୍ରର ଜନକ। ଜନଜାତି ସମୁଦାୟର ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହାମହିମ ରାଷ୍ଟ୍ରପତି ପଦବୀରେ ଅଭିଷିକ୍ତ ହେବା ଆମ ଗଣତନ୍ତ୍ରର ମହାନ ପରମ୍ପରାର ନିଦର୍ଶନ। ଏନ୍‌ଆଇଟି କିଭଳି ସ୍ଥାନୀୟ ଜୀବନଶୈଳି, ସ୍ବଚ୍ଛତା, ପରିବେଶ ସୁରକ୍ଷାରେ ଅବଦାନ ଦେବ, ସେଥିପ୍ରତି ଦୃଷ୍ଟିଦେବା ଶ୍ରେୟସ୍କର। ଏହାସହ ସମାବର୍ତ୍ତନ ଉତ୍ସବ ପରିପ୍ରେକ୍ଷୀରେ ପରିବେଷିତ ପ୍ରସିଦ୍ଧ ସମ୍ବଲପୁରୀ ଡାଲଖାଇ ନୃତ୍ୟ ଓ ଛାତ୍ରଛାତ୍ରୀଙ୍କ ସମ୍ବଲପୁରୀ ବେଶଭୂଷାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ।

ଏନ୍‌ଆଇଟି ନିର୍ଦ୍ଦେଶକ ତଥା ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ‌୍ ଅଧ୍ୟକ୍ଷ ପ୍ରଫେସର କେ. ଉମ‌ାମହେଶ୍ବର ରାଓଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ, ରାଉରକେଲା ବିଧ‌ାୟକ ସାରଦା ପ୍ରସାଦ ନାୟକ ମଞ୍ଚାସୀନ ଥିଲେ। ଉତ୍ସବରେ ୮୫୯ ସ୍ନାତକୋତ୍ତର, ୬୦୮ ପୋଷ୍ଟ ଗ୍ରାଜୁଏଟ୍ ଓ ୮୮ ପିଏଚ୍‌ଡି, ମୋଟ୍‌ ୧୫୫୫ ଜଣଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଏହାସହ ୬ ଜଣଙ୍କୁ ‘ଅନୁଷ୍ଠାନ ସ୍ୱର୍ଣ୍ଣ ପଦକ’ ପ୍ରଦାନ କରାଯାଇଥିଲା। ସ୍ବର୍ଣ୍ଣ ପଦକ ପାଇଥିବା ଟପ୍ପରମାନେ ହେଉଛନ୍ତି ପ୍ରତ୍ୟୁଷା ପାଢ଼ୀ(ଶ୍ରେଷ୍ଠ ଗ୍ରାଜୁଏଟ୍‌), ନୁରୁଲ ହାସନ(ଶ୍ରେଷ୍ଠ ପୋଷ୍ଟ୍‌ଗ୍ରାଜୁଏଟ୍‌)), ଅନୁରାଗ ମିଶ୍ର( ଶ୍ରେଷ୍ଠ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଡୁଆଲ ଡିଗ୍ରୀ), ରାଜ ଶେଖର(ଶ୍ରେଷ୍ଠ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି), ଲିଜା ସାମଲ(ଶ୍ରେଷ୍ଠ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଏମ.ଏସ୍‌ସି ଓ ଏମ୍‌.ଏ) ଓ ଅନୂପମା ସାହୁ(ଶ୍ରେଷ୍ଠ ଏମ୍‌ବିଏ)। ଏତଦ୍‌ବ୍ୟତୀତ ୭୦  ଜଣ ବ୍ରାଞ୍ଚ୍‌ ଟପ୍ପର, ଏନ୍‌ଡାଓମେଣ୍ଟ୍‌ ଗୋଲ୍‌ଡ ମେଡାଲ, ୫ ଜଣଙ୍କୁ ଏନ୍‌ଡାଓମେଣ୍ଟ୍‌ ଆୱାର୍ଡ, ୭୦ ଜଣ ବ୍ରାଞ୍ଚ୍‌ ଟପ୍ପର, ଏନ୍‌ଡାଓମେଣ୍ଟ୍‌ କ୍ୟାସ ଆୱାର୍ଡ ଏବଂ ୧୧ ଜଣ ପୁରାତନ ଛାତ୍ରଙ୍କୁ ‘ବିଶିଷ୍ଟ ଆଲୁମନାସ୍ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର