ଧାମରା: ବର୍ଷ ବର୍ଷ ଧରି ଚାଲିଛି ନଦୀବନ୍ଧ କାମ ଆଉ ଠିକାଦାର ହେଉଛନ୍ତି ମାଲେମାଲ। ସେପଟେ ନଦୀରୁ ବାରମ୍ବାର ଅତଡ଼ା ଧସିବା ଫଳରେ ଧାମରାରୁ ବାଂଶଡ଼ା ପର୍ଯ୍ୟନ୍ତ ୨୦ରୁ ଅଧିକ ଗାଁରେ ଦେଖାଦେଇଛି ବିପଦ। ଏମିତି ସମୟରେ ଜୁଆରିଆ ମନ୍ତେଇ ନଦୀବନ୍ଧର ସୁରକ୍ଷା ଓ ପଥରପ୍ୟାକିଂ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ରକଳ୍ପ ଅନୁମୋଦିତ ହୋଇଛି। ୨୦୨୨ ମସିହା ଅକ୍ଟୋବର ମାସରେ ଟେଣ୍ତର ହୋଇଥିବା ଏହି ନଦୀବନ୍ଧରେ ପଥରପ୍ୟାକିଂ ଓ ସ୍ପର୍ ନିର୍ମାଣ ବାବଦରେ ପୁଣି ୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୨ ଡିସେମ୍ବରରୁ କାମ ଆରମ୍ଭ ହୋଇଥିବା ବେଳେ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା କାମ ସାରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ଧାମରା ପଞ୍ଚାୟତର ହବାଳି ଘାଟରୁ ନଦୀବନ୍ଧର ୭୦୦ ମିଟର ଉତ୍ତର ପାର୍ଶ୍ବରେ ପଥର ପ୍ୟାକିଂ, ପଥର ଡମ୍ପିଂ ଓ ୩ଟି ସ୍ପର୍ର କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ନଦୀର ବିପରୀତ ପାର୍ଶ୍ବରେ ସାଳନ୍ଦୀ ଡିଭିଜନ୍ ପକ୍ଷରୁ ପ୍ରତିବର୍ଷ ମରାମତି ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଜୁଆରିଆ ସ୍ରୋତ କବଳରୁ ବନ୍ଧକୁ ସୁରକ୍ଷା ଦିଆଯାଇପାରୁନି। ବରଂ ନଦୀ ଗତିପଥ ବଦଳାଇ ଧାମରାରୁ ବାଂଶଡ଼ା ପର୍ଯ୍ୟନ୍ତ ଲୁଣାବନ୍ଧକୁ ଖାଇବାରେ ଲାଗିଛି। ପ୍ରକାଶଥାଉକି, ନଦୀର ଗୋଟିଏ ପାର୍ଶ୍ବ ଭଦ୍ରକ ସାଳନ୍ଦୀ ଡିଭିଜନ୍ ଅଧୀନରେ ଥିବା ବେଳେ ଅନ୍ୟ ପାର୍ଶ୍ବଟି ବାଲେଶ୍ବର ଡିଭିଜନ୍ ଅଧୀନରେ ରହିଛି। ମନ୍ତେଇ ନଦୀବନ୍ଧର ସୁରକ୍ଷା ପାଇଁ ୨୦୨୨ ମସିହାରେ ସାଳନ୍ଦୀ ଡିଭିଜନ୍ ପକ୍ଷରୁ ୯ କୋଟି ଖର୍ଚ୍ଚ ହୋଇଥିବା ବେଳେ ବାଲେଶ୍ବର ଡିଭିଜନ୍ ପକ୍ଷରୁ ୧୧ କୋଟି ବ୍ୟୟବରାଦ ହୋଇଥିଲା। ସେହିପରି ଧାମରା ପଞ୍ଚାୟତ ଝାଡକଟା ଗ୍ରାମର ବାତ୍ୟା ଆଶ୍ରୟସ୍ଥଳଠାରେ ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଥିବାରୁ ଏହାର ମରାମତି ପାଇଁ ଆଉ ୧୧ କୋଟି ବ୍ୟୟ ଅଟକଳ କରାଯାଇଛି। ପ୍ରତିବର୍ଷ ଏହି ଲୁଣାବନ୍ଧର ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଧାମରାରୁ ବାଂଶଡ଼ା ପର୍ଯ୍ୟନ୍ତ ୭ କିମି ଲୁଣାବନ୍ଧ ପାଇଁ ଏଯାବତ ପ୍ରାୟ ୫୦ କୋଟିରୁ ଅଧିକ ଅର୍ଥ ବ୍ୟୟ ହୋଇଛି। ତେବେ ବାରମ୍ବାର ଦାବି ପରେ ନଦୀବନ୍ଧରେ ପଥର ପ୍ୟାକିଂ ଓ ସ୍ପର୍ ନିର୍ମାଣ ଆରମ୍ଭ ହୋଇଥିବାରୁ ନଦୀ ତଟବର୍ତ୍ତୀ ଗ୍ରାମବାସୀ ଆଶ୍ବସ୍ତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/31-4.jpg)