ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପରେ ଆରମ୍ଭ ହେବାକୁ ଥିବା ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ବ୍ୟବସ୍ଥାରେ ସାଧାରଣ ଭକ୍ତଙ୍କ ପାଇଁ ତିଳେମାତ୍ର ସମ୍ବେଦନଶୀଳତା ନାହିଁ। ବରଂ ଟିକେଟ୍ ଦର୍ଶନରେ ବଡ଼ବଡ଼ିଆଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଯୋଜନା ରହିଥିବା ସ୍ପଷ୍ଟ ହୋଇଛି। ଏଥିପାଇଁ ୨୦୧୮ ମସିହାରୁ ଯୋଜନା ଚାଲିଥିବା ଜଣାପଡ଼ିଛି। ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ମାମଲା ସୁପ୍ରିମ୍କୋର୍ଟରେ ପହଞ୍ଚିବା ପରେ ସରକାର ତତ୍ପର ହୋଇଥିଲେ। କିଭଳି ବ୍ୟବସ୍ଥା ଶୃଙ୍ଖଳିତ ହୋଇପାରିବ ସେ ନେଇ ମାନସମନ୍ଥନ କରିବା ସହ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ଏହି କମିଟିରେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ମହୀମୋହନ ତ୍ରିପାଠୀ, ତତ୍କାଳୀନ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ତତ୍କାଳୀନ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ରହିଥିଲେ। କମିଟି ରିପୋର୍ଟ ଆଧାରରେ ଗୋଟିଏ ପରେ ଗୋଟିଏ ସୁପାରିସ କାର୍ଯ୍ୟକ୍ଷମ ହେଉଛି। କମିଟି ସୁପାରିସ କରିଥିବା ସବୁଠାରୁ ମୁଖ୍ୟ ବିନ୍ଦୁ ହେଉଛି ଟିକେଟ୍ ଦର୍ଶନ। ତିରୁପତି ଓ ମାତା ବୈଷ୍ଣୋଦେବୀ ମନ୍ଦିରରେ ଯେଭଳି ପଞ୍ଜୀକରଣ ବ୍ୟବସ୍ଥା ହୋଇଛି ସେଭଳି କରି ସୀମିତ ସଂଖ୍ୟକ ଭକ୍ତଙ୍କୁ ସୁଯୋଗ ଦେବାକୁ ସୁପାରିସ କରାଯାଇଛି। ସଚେତନ ନାଗରିକ ମଞ୍ଚ ଆବାହକ ଦେବାଶିଷ ଦାସ କହିଛନ୍ତି, ଧାଡ଼ି ଦର୍ଶନ ହେଲେ ବା ଭକ୍ତ ପଞ୍ଜୀକରଣ ବ୍ୟବସ୍ଥା ହେଲେ ଦିନକୁ ଦୁଇ ବେଳା ଆସୁଥିବା ସ୍ଥାନୀୟ ଭକ୍ତଙ୍କ ଅବସ୍ଥା କଣ ହେବ? ଟିକେଟ୍ ଦର୍ଶନ କରାଇ, ସାଧାରଣ ଭକ୍ତଙ୍କ ସଂଖ୍ୟା ହ୍ରାସ କରି କି ପ୍ରକାରର ଶୃଙ୍ଖଳା ଆଣିବାକୁ ଚାହୁଛି ପ୍ରଶାସନ?
୨୦୧୯ ମସିହା ପରିଚାଳନା କମିଟି ନିଷ୍ପତ୍ତି କୋମାରେ
ଟିକେଟ୍ ଦର୍ଶନ ପାଇଁ ବାଟ ତିଆରି ହେଉଛି
ଅନ୍ୟପଟେ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ସାଧାରଣ ଭକ୍ତମାନେ ଯେଉଁଠୁ(ବାହାରକାଠ) ଦର୍ଶନ କରିବେ, ତାହା ରତ୍ନ ସିଂହାସନରୁ ଶହେ ଫୁଟ୍ରୁ ଅଧିକ ଦୂର। ସେଥିରେ ପୁଣି ଏକ ସମୟରେ ଚତୁର୍ଦ୍ଧାମୂରତିକୁ ଦର୍ଶନ କରିହେବ ନାହିଁ। ଟିକେଟ୍ ଦର୍ଶନ ଆରମ୍ଭ ହେଲେ ସେମାନେ ଯେଉଁଠୁ(ଭିତରକାଠ) ଦର୍ଶନ କରିବେ ତାହା ପ୍ରାୟ ୪୦ ଫୁଟ ଦୂର ଏବଂ ଏକ ସମୟରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିହେବ। ଭକ୍ତ ଓ ଭଗବାନଙ୍କ ପାଖରେ ଏଭଳି ପାତରଅନ୍ତର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଧାଡ଼ି ଦର୍ଶନ ବିରୋଧରେ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଥିବା ମାଟିମଣ୍ଡପ ସାହିର ଉମାଶଙ୍କର ମହାନ୍ତି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ଦିଲିପ ବରାଳ। ସେ କହିଛନ୍ତି, ୨୦୧୯ ମସିହା ଜାନୁଆରି ୨୯ ତାରିଖରେ ବସିଥିବା ପରିଚାଳନା କମିଟି ବୈଠକର ନିଷ୍ପତ୍ତି କୋମାରେ ପଡ଼ିଛି। ନୀତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ଇତିହାସରେ ବୋଧହୁଏ ଏଭଳି ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟି ନିଷ୍ପତ୍ତି ହୋଇଥିଲା। ସକାଳ ସାଢ଼େ ୪ଟାରେ ଦ୍ବାରଫିଟା ହେବ। ଏହା ପରେ ଧାର୍ଯ୍ୟ ସମୟ ଅନୁସାରେ ସବୁ ନୀତି ହେବ। ଯଦି ଏଭଳି ସମୟରେ ନୀତି ହୁଏ ତେବେ ଦର୍ଶନ ଶୃଙ୍ଖଳିତ ହେବ। ଏଣୁ ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଯଦି ନୀତିରେ ୧୫ ମିନିଟ୍ ବିଳମ୍ବ ହୁଏ ତେବେ ସମ୍ପୃକ୍ତ ସେବକଙ୍କର ଦୈନନ୍ଦିନ ନଗଦ ପାଉଣାରୁ ୨୫ ପ୍ରତିଶତ କାଟି ଦିଆଯିବ। ୩୦ ମିନିଟ୍ ବିଳମ୍ବ ହେଲେ ୫୦%, ୧ଘଣ୍ଟା ବିଳମ୍ବ ହେଲେ ୧୦୦% କଟାଯିବ। ଜଣେ ସେବକଙ୍କ କ୍ଷେତ୍ରରେ ଏଭଳି ଘଟଣା ତିନିଥର ଘଟିଲେ ସେ ସେବାରୁ ନିଲମ୍ବିତ ହେବେ। ଯଦି କୌଣସି ସେବକ ଉଦ୍ଦେଶ୍ୟମୂଳକ ଭାବରେ ବିଳମ୍ବ କରିଥିବା ପ୍ରମାଣ ହୁଏ ତେବେ ସେ ସେବାରୁ ବହିଷ୍କାର ହେବେ। କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ନୀତି ଧାର୍ଯ୍ୟ ସମୟରେ ହେଉନି କିମ୍ବା ଜଣକ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ପରିଚାଳନା କମିଟିର ଏହି ନିଷ୍ପତ୍ତିକୁ ଆଗ କାର୍ଯ୍ୟକାରୀ କରନ୍ତୁ, ପରେ ଧାଡ଼ି ଦର୍ଶନ କରାଇବେ।