ନୂଆଗଡ଼: ମୃତ୍ୟୁ ପୂର୍ବରୁ ନିଜ ପାଇଁ ନିଜେ ସମାଧି ତିଆରି କରିଛନ୍ତି ଦମ୍ପତି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ନିରାଟ ସତ ଓ ଏଥିପାଇଁ ସେମାନେ ଏବେ ଚର୍ଚ୍ଚାରେ। ଦୁହେଁ ହେଲେ, ଗଜପତି ଜିଲ୍ଲା ନୁଆଗଡ଼ ବ୍ଳକ୍‌ ସୌରୀ ଗ୍ରାମର ଲକ୍ଷ୍ମଣ ଭୂୟାଁ ଓ ଜେଙ୍ଗି ଭୁୟାଁ।

Advertisment

ଲକ୍ଷ୍ମଣ ଜଣେ ଆଦିବାସୀ ଖ୍ରୀଷ୍ଟିଆନ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ  ସମସ୍ତେ ବାହା ହୋଇ କର୍ମସଂସ୍ଥାନ ପାଇ ବାହାରେ ରହୁଛନ୍ତି। ଗାଁରେ ରହନ୍ତି କେବଳ ଲକ୍ଷ୍ମଣ ଓ ପତ୍ନୀ ଜେଙ୍ଗି। ଉଭୟେ ବୟସର ଅପରାହ୍‌ଣରେ। ମଲା ପରେ କାଳେ କିଏ ସାହା ହେବେ କି ନାହିଁ, ସେ ନେଇ ନିଜେ ତିଆରି କରିଛନ୍ତି ସମାଧି। ଘର ପାଖରୁ କିଛି ଦୂରରେ ତିନୋଟି କବର ରହିଛି। ସେ ପାଖରେ ତୋଳାଇଛନ୍ତି ଏକ ଘର ସଦୃଶ ସମାଧି। ପାଖରେ ଦୁଇଟି ସିମେଣ୍ଟ ପ୍ଲେଟ୍ ପଡ଼ିଛି। ଏହି ପ୍ଲେଟ୍ ଦୁଇଟିକୁ ସେମାନଙ୍କୁ କବର ଦେଲା ପରେ ଏହା ଉପରେ ଢାଙ୍କିବା ପାଇଁ ରଖାଯାଇଛି। ଦୁହେଁ ତାହାକୁ ନିର୍ମାଣ କରିଛନ୍ତି ।

ଲକ୍ଷ୍ମଣଙ୍କ କହିବାନୁଯାୟୀ, କରୋନା ମହାମାରୀ ଅନେକ ଜୀବନ ନେଇଥିଲା। ସେ ସମୟରେ ତାଙ୍କ ମନରେ ଏକ ବିଚାର ଆସିଲା ଯେ ମୃତ୍ୟୁ ପରେ ବୃଦ୍ଧ ଦମ୍ପତିଙ୍କୁ କେହି କବର ଦେବେ କି ନାହିଁ, କବର ଦେଲେ ବି ତାଙ୍କ ପାଇଁ ଭଲ ସମାଧିଟିଏ ନିର୍ମାଣ କରିବେ କି ନାହିଁ। ଏହି ଚିନ୍ତାରେ ସେ ଗ୍ରାମବାସୀଙ୍କ ସହ ବିଚାରବିମର୍ଶ କରି ସମାଧି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ବଞ୍ଚିଥିବା ବେଳେ ଯେଉଁ ଭଳି ଖଟରେ ଶୁଅନ୍ତି, ସେମିତି  ସମାଧି ମଧ୍ୟରେ ସିମେଣ୍ଟ ତିଆରି ଖଟ ହୋଇଛି। ସେଥିରେ ଟାଇଲ୍‌ ଲାଗିଛି।

publive-image

ନିର୍ମାଣ ପାଇଁ ପ୍ରାୟ ୬ ମାସ ଲାଗିଥିବା ବେଳେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଧାନ ଓ କାଜୁ ବିକ୍ରି କରି ସଞ୍ଚିତ ଅର୍ଥରେ ସେମାନେ ଏହାକୁ ନିର୍ମାଣ କରିଛନ୍ତି। ଟଙ୍କା ନିଅଣ୍ଟ ପଡ଼ିବାରୁ ଘରେ ଥିବା ଏକ ଗାଈ ବିକ୍ରି କରି ଦେଇଥିବା କହିଛନ୍ତି। କବର ନିର୍ମାଣ ବେଳେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା। ଟଙ୍କାର ଅଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ସରିବା ପରେ ଇଚ୍ଛା ଥିଲେ ମଧ୍ୟ ପ୍ରତିଷ୍ଠା କରିପାରି ନାହାନ୍ତି। କାହିଁକିନା, ପ୍ରତିଷ୍ଠା ଭୋଜି ଦେବାକୁ ହେଲେ ଆବଶ୍ୟକ ୨୦୦ କିଲୋ ଚାଉଳ ସାଙ୍ଗକୁ ତରକାରୀ ଓ ଖିରି ପାଇଁ ସମଗ୍ରୀ ଦରକାର। ପୁଣି କାଜୁ ଅମଳ ଓ ବିକ୍ରି ହେଲେ, ଟଙ୍କା ପଇସାର ସୁବିଧା ହେଲେ, ପ୍ରତିଷ୍ଠା ଭୋଜି ବି ସେ ଅତିଶୀଘ୍ର କରିବେ ବୋଲି କହିଛନ୍ତି।

ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବା ପରେ ଏବେ ସେମାନେ ମୃତ୍ୟୁ ପଥର ଯାତ୍ରୀ। ତଥାପି, ନିଜ ପାଇଁ କିଛି କରିଯିବାର ଇଚ୍ଛାରେ ସେମାନଙ୍କ ଶେଷ ଇଚ୍ଛା ସ୍ବରୂପ ଏଭଳି ସମାଧି ନିର୍ମାଣ କରିବା ସତରେ ବିରଳ ‌‌ବୋଲି ମତପ୍ରକାଶ ପାଇଛି।