ଭୁବନେଶ୍ବର : ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଲୋକସେବା ଭବନ ପରିସରରେ ଏକ କ୍ରେଚ୍ ଖୋଲିବେ। ଏଥିରେ କର୍ମଚାରୀଙ୍କ ୬ମାସରୁ ୬ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସକାଳ ସାଢ଼େ ୯ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କ୍ରେଚ୍ରେ ରଖିହେବ। ଏଥିପାଇଁ ରାଜ୍ୟ ସରକାର ଏକ ଘରୋଇ ସଂସ୍ଥାକୁ ନିୟୋଜିତ କରିବେ।
ମିଳିଥିବା ସୂଚନା ଅନୁଯାୟୀ, କ୍ରେଚ୍ରେ ପିଲାଙ୍କୁ ଛାଡ଼ିବାକୁ ହେଲେ ଉକ୍ତ କର୍ମଚାରୀଙ୍କୁ ପ୍ରଥମେ ୨ହଜାର ଟଙ୍କା ଦେଇ ପଞ୍ଜୀକରଣ କରିବାକୁ ପଡ଼ିବ। ଏହାପରେ ମାସିକ ୧୫୦୦ଟଙ୍କା ଦେବେ। ଏବେ ୧୦ରୁ ୧୫ଜଣ ପିଲାଙ୍କ ପାଇଁ କ୍ରେଚ୍ ଖୋଲାଯିବ। ଚାହିଦା ଦେଖି ଏହାର କ୍ଷମତା ବଢ଼ାଯିବ। ଘରୋଇ କ୍ରେଚ୍ ଭଳି ଏଠାରେ ସମସ୍ତ ସୁବିଧା ଉପଲବ୍ଧ ହେବ।
ସୂଚନାଯୋଗ୍ୟ ଯେ, ଗତବର୍ଷ ରାଜ୍ୟ ମାନବାଧିକାର କମିସନ ସରକାରୀ କାର୍ଯ୍ୟାଳୟର ମହିଳା କର୍ମଚାରୀଙ୍କ ପାଇଁ କ୍ରେଚ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ କାର୍ଯ୍ୟାଳୟରେ ୫୦ରୁ ଅଧିକ ମହିଳା କର୍ମଚାରୀ ଥିବେ ସେଠାରେ କ୍ରେଚ୍ ଖୋଲିବାକୁ କମିସନ କହିଥିଲେ। ଏହାପରେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।