ଆସୁଛି ଲଘୁଚାପ; ଓଡ଼ିଶା ଉପରେ ପଡ଼ିବ ନାହିଁ ପ୍ରଭାବ: ଆଇଏମ୍‌ଡି

ନୂଆଦିଲ୍ଲୀ/ ଭୁବନେଶ୍ୱର: ସଂପ୍ରତି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ଜାରି ଏକ ସୂଚନାରେ କୁହାଯାଇଛି।

ଜାରି ସୂଚନା ଅନୁଯାୟୀ ଲଘୁଚାପଟି ନଭେମ୍ବର ୧୬, ୨୦୨୨ରେ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ସଂଲଗ୍ନ ଅଞ୍ଚଳ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଲଘୁଚାପଟି ଧୀରେ ଧୀରେ ଦକ୍ଷିଣ- କେନ୍ଦ୍ରୀୟ ବଙ୍ଗୋପସାଗରର ଉପରେ ଗତିକରି ନଭେମ୍ବର ୧୮ ତାରିଖରେ ଏକ ଅବପାତରେ ପରିଣତ ହେବ।

ଏହାର ପ୍ରଭାବରେ ଆଣ୍ଡାମାନ ଏବଂ ନିକୋବରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଓଡ଼ିଶା ଉପରେ ଏହି ଲଘୁଚାପର କୌଣସି ପ୍ରକାର ପ୍ରଭାବ ପଡ଼ିବାର କିମ୍ବା ବର୍ଷା ହେବାର ସମ୍ଭାବନା ନଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

ସମ୍ବନ୍ଧିତ ଖବର