ରୂପାନ୍ତର‌ ନାଁରେ ତିଆରି ଚାଲିଛି ବିପଦସଂକୁଳ ବିଦ୍ୟାଳୟ ଗୃହ

ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଅଭିଭାବକ

ବାଲେଶ୍ବର: ୫-ଟି ଅଧୀନରେ ସରକାରୀ ସ୍କୁଲ୍‌ଗୁଡ଼ିକରେ ଭିତ୍ତିଭୂମିର ବିକାଶ ସହ ଶିକ୍ଷାର ନବକଳେବର କରାଯାଉଛି। ମାତ୍ର ବାଲେଶ୍ବର ସଦର ବ୍ଲକ୍‌ ବଇଁଚା ପଞ୍ଚାୟତରେ ଥିବା କନକଦୁର୍ଗା ଉଚ୍ଚବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍କୁଲ୍‌ଟି ୫-ଟି ଅଧୀନରେ ଯୋଡ଼ି ହୋଇଥିବା ବେଳେ ଅତ୍ୟନ୍ତ ନିମ୍ନମାନର କାମ କରାଯାଉଛି। ଫଳରେ ଭବିଷ୍ୟତରେ ସ୍କୁଲ୍‌ଗୃହର ସ୍ଥାୟୀତ୍ବ ତଥା ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି। ପଞ୍ଚାୟତବାସୀ ତଥା ଛାତ୍ରଛାତ୍ରୀଙ୍କ ଅଭିଭାବକ ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି।

ପଞ୍ଚାୟତ ଅନ୍ତର୍ଗତ ପାଖରାବାଡ଼, ରଘୁନାଥପୁର, ଚକସିନ୍ଧିଆ ଓ ନିଶ୍ଚିନ୍ତା ଗ୍ରାମର ଗ୍ରାମବାସୀ ଓ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ ୧୯୮୭ ମସିହାରେ କନକଦୁର୍ଗା ହାଇସ୍କୁଲ୍‌ ବଇଁଚା ପଞ୍ଚାୟତର ନିଶ୍ଚିନ୍ତା ଗ୍ରାମରେ ପ୍ରତିଷ୍ଠା କରାଯାଇଥିଲା। ତେବେ ନିକଟରେ ବୁଢ଼ାବଳଙ୍ଗ ନଦୀ ଥିବାରୁ ପ୍ରତିବର୍ଷ ବନ୍ୟାପାଣି ଦ୍ବାରା ଏହି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥାଏ। ଉକ୍ତ ହାଇସ୍କୁଲ୍‌ରେ ମଧ୍ୟ ୩/୪ ଫୁଟ୍‌ ଉଚ୍ଚର ବନ୍ୟାପାଣି ପଶୁଥିବା ଯୋଗୁ ଦୀର୍ଘଦିନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହୋଇଥା’ନ୍ତି। ତେଣୁ ଦୀର୍ଘବର୍ଷ ଧରି ଶିକ୍ଷାନୁଷ୍ଠାନ ଅନୁନ୍ନତ ଅବସ୍ଥାରେ ରହିଥିବା ବେଳେ ଚଳିତ ବର୍ଷ ସରକାରଙ୍କ ସୁଦୃଷ୍ଟି ଏହା ଉପରେ ପଡ଼ିଥିଲା। ତୃତୀୟ ପର୍ଯ୍ୟାୟରେ ଏହି ସ୍କୁଲ୍‌ ୫-ଟି ସ୍କୁଲ୍‌ର ମାନ୍ୟତା ଲାଭ କରି ଏବେ ସ୍କୁଲ୍‌ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଚାଲିଛି। ହେଲେ ଦୁଭାର୍ଗ୍ୟର ବିଷୟ ବିକାଶ ନାଁରେ ଏଠାରେ ସ୍କୁଲ୍‌ଗୃହ ନୁହେଁ, ମୃତ୍ୟୁର ଗୃହ ଗଢ଼ାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅଭିଭାବକ ଓ ଗ୍ରାମବାସୀମାନେ ଆହୁରି କହିଛନ୍ତି ଯେ ଉକ୍ତ ବିଦ୍ୟାଳୟଟି ମଫସଲ ଓ ବନ୍ୟାପ୍ଲାବିତ ଅଞ୍ଚଳରେ ଗଢ଼ିଉଠିଥିବାରୁ ବେସ୍‌ ବା ଆଧାର ଉଚ୍ଚା କରାଯାଇଥିଲେ ବନ୍ୟା ସମୟରେ ଏହା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ହୋଇପାରନ୍ତା ଏବଂ ସ୍କୁଲ୍‌ର କାଗଜପତ୍ର ମଧ୍ୟ ସୁରକ୍ଷିତ ରହିପାରନ୍ତା। ତେବେ ବର୍ତ୍ତମାନ ଏହି ବିଦ୍ୟାଳୟ ଗୃହକୁ ଦୁଇମହଲା ବିଶିଷ୍ଟ କରାଯାଉଥିବା ବେଳେ ‌କାମ ଅତ୍ୟନ୍ତ ନିମ୍ନମାନର ହେଉଛି। ନିର୍ମାଣ କାମରେ ଲାଗୁଥିବା କଳାଇଟା ହାତ ଲଗାଇଲେ ଭାଙ୍ଗିଯାଉଛି। ଦୁଇମହଲା ଘର ପାଇଁ ଗ୍ରେଡ୍‌ବିମ୍‌ ମଧ୍ୟ  ଠିକ୍‌ ଭାବେ ହୋଇନାହିଁ। ନିମ୍ନମାନର ସିମେଣ୍ଟ ରଡ୍‌, ବାଲି ଓ ଚିପ୍‌ସ ବ୍ୟବହାର କରାଯାଉଛି। ଗ୍ରାମବାସୀ ଏହି କାମକୁ ବିରୋଧ କରି ହାଇସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରୁଥିଲେ ହେଁ ସେ ଏ ବାବଦରେ ମୁଣ୍ଡ ପୂରାଉ ନାହାନ୍ତି। ସେହିପରି ସ୍ଥାନୀୟ ସରପଞ୍ଚଙ୍କୁ ଏନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ୫-ଟିରେ ସରକାର ବିଦ୍ୟାଳୟ ଭିତ୍ତିଭୂମିକୁ ସଜାଡ଼ୁଥିବା ବେଳେ ବଇଁଚା ପଞ୍ଚାୟତ କନକଦୁର୍ଗା ହାଇସ୍କୁଲ୍‌ରେ ସରକାରୀ ଅର୍ଥକୁ କିଛି ମୁଷ୍ଟିମେୟ ବ୍ୟକ୍ତି ରୂପାନ୍ତରଣ ନାଁ’ରେ ଆତ୍ମସାତ୍‌ କରୁଛନ୍ତି। ଯେହେତୁ ଏହି ଅଞ୍ଚଳ ଲୁଣି ତଥା ବନ୍ୟାପ୍ଲାବିତ ଅଞ୍ଚଳ, ସେଥିପାଇଁ ବିଦ୍ୟାଳୟର ବିଲ୍‌ଡିଂ କାମ ମଜବୁତ ହେବାର ଆବଶ୍ୟକତା ରହିିଛି। କାମ ସମ୍ପୂର୍ଣ୍ଣ ହୋଇ ଏହି ବିଲ୍‌ଡିଂ  କାର୍ଯ୍ୟକ୍ଷମ ହେଲେ କେତେବେଳେ ଯେ ଏହା ଭୁଶୁଡ଼ିବ, ତାହା କହିହେବ ନାହିଁ। ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ହେଉଛି ଯେ ତଳମହଲା ଘର ଭିତର ଅଂଶକୁ ବାଲି ଦ୍ବାରା ଭରା ନଯାଇ ମାଟିରେ ଭରାଯାଇଛି।

ତେଣୁ ଏଭଳି ସଙ୍ଗିନ ଅଭିଯୋଗ ଥିବା ବିଦ୍ୟାଳୟର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ହେବା ସହ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ସ୍ଥାନୀୟ ୱାର୍ଡସଭ୍ୟ ଗୌରୀ ବେହେରା, ଭରତ ବେହେରା, ଶିବ ବେହେରା, ଗୋବିନ୍ଦ ଗିରି, ରବୀନ୍ଦ୍ର ତରେଇ, ରଂଜନ ବେହେରା, ନରିଆ ବେହେରା, ବିଶ୍ବଜିତ ବେହେରା, ପରମେଶ୍ବର ମହାଳିକ, ମଧୁସୂଦନ ବେହେରା, କରୁଣାକର ବେହେରା, ଚିତ୍ତରଂଜନ ମହାଳିକ ପ୍ରମୁଖ ଶତାଧିକ ଗ୍ରାମବାସୀ ସ୍ବାକ୍ଷର କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର