ପୁରୀ: ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦିକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ପରେ ଅଣସର ପିଣ୍ଡିକୁ ବିଜେ କରିବାସହ ସେଠାରେ ଦଇତାପତି ସେବକଙ୍କ ଦ୍ବାରା ଗୋପନନୀତି ଚାଲିବ। ଏହାପୂର୍ବରୁ ଅଧରପୋଛା ନୀତି ଅନୁଷ୍ଠିତ ହେବ। ଅଣସରକାଳୀନ ନୀତି ସଂପନ୍ନ ପରେ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହେବ। ଶ୍ରୀମୁଖ ହୋତା ପଡ଼ିବା ସହ ସବୁଠୁ ବଡ଼ ବନକଲାଗି ନୀତି ଅନୁଷ୍ଠିତ ହେବ। କିନ୍ତୁ ଅଦ୍ୟାବଧି ଏହି ସେବା ତୁଲାଉଥିବା ଦତ୍ତ ମହାପାତ୍ର ସେବକଙ୍କ ସହ ବୈଠକ କରିନି ଶ୍ରୀମନ୍ଦିର ପ୍ରଶାସନ। ଯେଉଁ ଚକାଆଖିକୁ ଦେଖିବାକୁ ସାରାବିଶ୍ବର ଭକ୍ତ ଆତୁର, ସେହି କଳାଠାକୁରଙ୍କ ଅଧରପୋଛା ଓ ଶ୍ରୀମୁଖ ଶୃଙ୍ଗାର କିଭଳି ଶୃଙ୍ଖଳିତ ସମ୍ପନ୍ନ ହେବ ସେଉପରେ ଅଦ୍ୟାବଧି ଆଲୋଚନା ହୋଇନି। ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦତ୍ତ ମହାପାତ୍ର ସେବକ। ଏହା ମହାପ୍ରଭୁଙ୍କ ସେବା ପ୍ରତି ଚରମ ଅବହେଳା ଓ ଅଣଦେଖା ବୋଲି ଅଭିଯୋଗ କରିଛନ୍ତି। ମହାପ୍ରଭୁଙ୍କ ଏହି ପ୍ରମୁଖ ସେବା ପ୍ରତି ପ୍ରଶାସନର ଅବହେଳା ଦୁଃଖ ଓ ପରିତାପର ବିଷୟ ବୋଲି କହିଛନ୍ତି। ଦତ୍ତ ମହାପାତ୍ର ସେବକଙ୍କ ଏଭଳି କ୍ଷୋଭ ପରେ ସ୍ନାନଯାତ୍ରା, ରଥଯାତ୍ରାରେ ବିଶୃଙ୍ଖଳା ଦେଖାଦେବା ଆଶଙ୍କା ଦେଖାଦେଇଛି।
ଜୁନ୍ ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁଙ୍କ ଅଧରପୋଛା ନୀତି ଅନୁଷ୍ଠିତ ହେବ। ପରେ ଠାକୁର ଗଜବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଅଧରପୋଛା ନୀତି ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ସଂପନ୍ନ ହେବ। ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ବର୍ଷକର ସବୁଠୁ ବଡ଼ ବନକଲାଗି ନୀତି ଅନୁଷ୍ଠିତ ହେବ। ଦୁଇଦିନ ଧରି ଏହି ବନକଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ହୋତା ନୀତି ଆରମ୍ଭ ହେବ। ଦତ୍ତ ମହାପାତ୍ର ସେବକଙ୍କ ଘରୁ ଖଡ଼ି ଅଣାଯାଇ ଅଣସର ଘରେ ବିଜେ ହେବାପରେ ଶ୍ରୀମୁଖ ଶୃଙ୍ଗାରର ଶୁଭାରମ୍ଭ ହେବ। ଦତ୍ତ ପ୍ରବେଶ ନୀତି ସହ ବନକଲାଗି ନୀତି ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ପ୍ରଥମ ପର୍ଯ୍ୟାୟରେ ଦତ୍ତ ମହାପାତ୍ର ସେବକ ଖଡ଼ି ଲେପ ଦେବେ। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଙ୍ଗୁଳ ଆଦି ସାମଗ୍ରୀର ମିଶ୍ରଣକୁ ଲାଗି କରାଯିବ। ଏହି ମିଶ୍ରଣ କେବଳ ଦତ୍ତ ମହାପାତ୍ର ସେବକ ଜାଣିଛନ୍ତି। ବନକଲାଗି ଶ୍ରୀବିଗ୍ରହମାନେ ନବଯୌବନ ପ୍ରାପ୍ତି ହୋଇ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ। କିନ୍ତୁ ଏହି ନୀତିକାନ୍ତି କିଭଳି ହେବ, କେଉଁମାନେ କରିବେ, ଆବଶ୍ୟକ ସାମଗ୍ରୀ କେଉଁଠୁ ଆସିବ, ସେ ଉପରେ ଅଦ୍ୟାବଧି କୌଣସି ଆଲୋଚନା ହୋଇନଥିବା ବରିଷ୍ଠ ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତ ମହାପାତ୍ର କହିଛନ୍ତି।
ଶ୍ରୀ ଦତ୍ତ ମହାପାତ୍ର କହିଛନ୍ତି, ଭକ୍ତ ମହାପ୍ରଭୁଙ୍କ ଚକାନୟନକୁ ଦର୍ଶନ ପାଇଁ ଆସେ। ଚକା ନୟନ ଓ ଶ୍ରୀମୁଖ ଶୃଙ୍ଗାର ଦାୟିତ୍ବ ଦତ୍ତ ମହାପାତ୍ର ସେବକଙ୍କର। ଯଦି ଶୃଙ୍ଗାର ନ ହେବ ଶ୍ରୀମୁଖ ମଳିନ ପଡ଼ିଯିବ। ଦିନକ ପରେ ସ୍ନାନଯାତ୍ରା। ପରେ ରଥଯାତ୍ରା। କିନ୍ତୁ ଏ ଉପରେ ଆମ ସହ କୌଣସି ଆଲୋଚନା ହୋଇନାହିଁ। କେମିତି ବନକଲାଗି ହେବ, କିଏ କରିବ, ବନକଲାଗି ସେ ଉପରେ ପ୍ରଶାସନ ଆମକୁ ପଚାରି ନାହିଁ। ଏମିତି ହେଲେ ନିଶ୍ଚିତ ବିଶୃଙ୍ଖଳା ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/dgjgjddgdgj.jpg)