ପୁରୀ: ଫେବ୍ରୁଆରି ୧ ତାରିଖ ଶନିବାର ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ଏଥର କଳାଘୋଡ଼ ସହ ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଗିନୀ ସୁଭଦ୍ରା ବି ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ବେଶ ପ୍ରସ୍ତୁତି କାମ ଜୋର୍‌ସୋର୍‌ରେ ଚାଲିଛି। ବେଶ କାରିଗରମାନେ ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ବେଶ ସାମଗ୍ରୀରେ ଏକ ମାସ ଧରି ଶୁଦ୍ଧପୁତ ଭାବେ ପଦ୍ମବେଶ ପ୍ରସ୍ତୁତିରେ ଲାଗିଛନ୍ତି। ମାସକର ଅକ୍କାନ୍ତ ପରିଶ୍ରମ ପରେ ଏବେ ଏହି ବେଶକୁ ଶେଷ ସ୍ପର୍ଶ ଦିଆଯାଉଛି। ଏ ଭିତରେ ଶ୍ରୀଜିଉଙ୍କ ଶ୍ରୀମୁଖ ପଦ୍ମ, ଡାଳି, ସିଂହାସନ ସହ ଗଛ, ଶ୍ରୀହସ୍ତ ପଦ୍ମ କଢ଼, ହଂସ, କରପଲ୍ଲବ ମାଳ, ପଦ୍ମଫୁଲ, ଚୁଳ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Advertisment

ଶହ ଶହ ବର୍ଷ ଧରି ବଡ଼ଛତା ମଠ ପକ୍ଷରୁ ନିଜସ୍ବ ଖର୍ଚ୍ଚରେ ମହାପ୍ରଭୁଙ୍କ ଏହି ବେଶ ପ୍ରସ୍ତୁତ କରାଯାଉଛି। ବେଶ ପ୍ରସ୍ତୁତି ଶେଷ ପରେ ବଡ଼ଛତା ମଠ ପକ୍ଷରୁ ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବ। ଚଳିତବର୍ଷ ୬ ଜଣ କାରିଗର ଏହି ବେଶ ପ୍ରସ୍ତୁତିରେ ଲାଗିଛନ୍ତି। ଶ୍ରୀମନ୍ଦିର ଦୟଣାମାଳି ସେବକ ବସନ୍ତ କୁମାର ରଣାଙ୍କ ନେତୃତ୍ବରେ ସୋଲ କାରିଗର, ଦର୍ଜି କାରିଗରମାନେ ଏହି ବେଶ ପ୍ରସ୍ତୁତ କରୁଛନ୍ତି। ମୁଖ୍ୟ ବେଶ କାରିଗର ଶ୍ରୀ ରଣା କହିଛନ୍ତି, ପ୍ରତିବର୍ଷ ଭଳି ଚଳିତ ବର୍ଷ ପଣ୍ଡୁ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପଦ୍ମବେଶ ପ୍ରସ୍ତୁତି କାର୍ଯ୍ୟ ଅନୁକୂଳ ହୋଇଥିଲା। ସେବେଠୁ କାରିଗରମାନେ ଶୁଭ୍ର ବସ୍ତ୍ର ପରିଧାନପୂର୍ବକ ନିଷ୍ଠାର ସହ ଏହି ବେଶ ପ୍ରସ୍ତୁତ କରୁଛନ୍ତି। ପରମ୍ପରା ଅନୁଯାୟୀ, ଆସନ୍ତା ୨ ତାରିଖ ପଦ୍ମବେଶ ଦିନ ସଂଧ୍ୟା ଆଳତି ପରେ ବଡ଼ଛତା ମଠରୁ ଏହି ବେଶ ଶ୍ରୀମନ୍ଦିରକୁ ବିଜେ କରିବ। ମଠର ସାଧୁସନ୍ଥ, ବାବାଜୀମାନେ ଅନ୍ଧାରରେ ଘଣ୍ଟି, ଦୁହୁଡ଼ି ସହ ଏହି ବେଶକୁ ଶ୍ରୀମନ୍ଦିରକୁ ନେବେ। ଶ୍ରୀମୁଖ ବଳା ପାଇଁ ମଠରୁ ତୁଳସୀ ମାଳ, ଗେଣ୍ଡୁ ଫୁଲ ମାଳ ବି ଶ୍ରୀମନ୍ଦିର ଯାଇଥାଏ। ସେହିଦିନ ରାତିରେ ଅର୍ଥାତ୍‌ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ଏହି ବେଶ ସହ ତୁଳସୀ ମାଳ, ଗେଣ୍ଡୁ ମାଳ ଆଦି ଲାଗି କରାଯିବ।

ବିଧି ଅନୁଯାୟୀ, ମାଘମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ଭିତରେ ପଡ଼ୁଥିବା ବୁଧବାର ଅବା ଶନିବାର ଦିନ ବଡ଼ସିଂହାର ବେଶରେ ଏହି ବେଶ ଲାଗି ହୋଇଥାଏ। ମାଘମାସ ଅର୍ଥାତ୍‌ ଶୀତଦିନରେ ବୁଧବାର ନୀଳଘୋଡ଼ ଓ ଶନିବାର କଳାଘୋଡ଼ ଲାଗି ସମୟରେ ଶ୍ରୀଜିଉ ପଦ୍ମବେଶ ହୋଇଥାନ୍ତି। ନୀଳ ଅବା କଳା ଘୋଡ଼ ଲାଗି ସମୟରେ ପଦ୍ମବେଶ ହେଲେ ଗଭୀର ଜଳରାଶିରେ ପଦ୍ମ ଫୁଟିଲା ଭଳି ଦିଶିବା ସହ ମହାପ୍ରଭୁ ଆହୁରି ସୁନ୍ଦର ଦେଖାଯାଆନ୍ତି। ବଡ଼ସିଂହାର ବେଶରେ କିଛି ଭକ୍ତ ଏହି ବେଶ ଦର୍ଶନ କରିଥାନ୍ତି। ସେହିଦିନ ରାତ୍ର ପହୁଡ଼ ପରେ ଭକ୍ତମାନେ ପରଦିନ ମଙ୍ଗଳ ଆଳତି ପରେ ପରେ ଏହି ବେଶ ଦର୍ଶନ କରିଥାନ୍ତି।  ଅବକାଶ ପରେ ପଦ୍ମବେଶ ଓଲାଗି କରି ଦିଆଯାଏ। ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥାଏ। ପଦ୍ମବେଶରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଅମାଲୁ, କ୍ଷୀରି ଭୋଗ କରାଯାଇଥାଏ। କୋଠ ଭୋଗରେ ଲାଗି ହେଉଥିବା ଏହି କ୍ଷୀରି, ଅମାଲୁ ପାଇଁ ବଡ଼ଛତା ମଠ ପକ୍ଷରୁ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥାଏ।

କ’ଣ ରହିଛି କିଂବଦନ୍ତି

କିଂବଦନ୍ତି ଅନୁଯାୟୀ, ମନୋହର ଦାଶ ନାମକ ଜନୈକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାଲିଚାଲି ଆସୁଥିଲେ। ବାଟରେ ଶୋଷ ହେବାରୁ ଏକ ପୋଖରୀ ପାଖରେ ଅଟକି ଯାଇଥିଲେ। ପୋଖରୀରୁ ପାଣି ପିଇବା ସମୟରେ ଗଭୀର ଜଳରାଶିରେ କିଛି ପଦ୍ମ ଫୁଟିଥିବା ଦେଖିଥିଲେ। ମହାପ୍ରଭୁଙ୍କ ପାଇଁ ବହୁ କଷ୍ଟରେ ଏହାକୁ ତୋଳି କାନ୍ଧରେ ଥିବା ଗାମୁଛାରେ ବାନ୍ଧି ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେତେବେଳକୁ ୩ରୁ ୪ ଦିନ ବିତିଯାଇଥିଲା। ଫୁଲଗୁଡ଼ିକ ମଉଳି ଯାଇଥିଲା। ଶ୍ରୀମନ୍ଦିର ସେବକଙ୍କୁ ଦେବା ପରେ ମଉଳା ଫୁଲ ଦେଖି ସେମାନେ ଏହାକୁ ଫିଙ୍ଗି ଦେଇଥିଲେ। ଶ୍ରୀମନ୍ଦିରରୁ ମନଦୁଃଖରେ ଫେରିବା ବେଳେ ଭକ୍ତ ମନୋହର ବଡ଼ଛତା ନିକଟରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହାର କିଛି ସମୟ ପରେ ମନୋହର ଆଣିଥିବା ପଦ୍ମଫୁଲକୁ ଲାଗି ପାଇଁ ଗଜପତି ମହାରାଜାଙ୍କୁ ସ୍ବପ୍ନାଦେଶ ହୋଇଥିଲା। ଗଜପତି ମହାରାଜା ତତ୍‌କ୍ଷଣାତ ମନୋହରଙ୍କ ନିକଟରେ ପହଞ୍ଚି ଆଣିଥିବା ପଦ୍ମଫୁଲକୁ ନେଇ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ଲାଗି କରିଥିଲେ। ମହାପ୍ରଭୁଙ୍କୁ ଲାଗି ପରେ ମଉଳି ଯାଇଥିବା ପଦ୍ମଫୁଲ ସତେଜ ହୋଇ ଉଠିଥିଲା। ଗଜପତି ମହାରାଜା ବି ଏହା ଦେଖି ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ସେବେଠୁ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇ ଆସୁଥିବା ବିଶ୍ବାସ ରହିଛି। ସପ୍ତଦଶ ଶତାବ୍ଦୀରେ ବଡ଼ଛତା ମଠ ମହନ୍ତ ପଦ୍ମବେଶ ପରମ୍ପରା ଆରମ୍ଭ କରିଥିବା କୁହାଯାଏ।

ପଦ୍ମବେଶରେ କ’ଣ ଲାଗେ
୧. ପଦ୍ମଫୁଲ- ଏକ ପଣ(୮୦ଟି); ୨. ଡାଳି- ଏକ ପଣ(୮୦ଟି); ୩. ଶ୍ରୀମୁଖ ପଦ୍ମ- ୩ଟି; ୪. ସିଂହାସନ ସହ ଗଛ- ୭ଟି; ୫. ଶ୍ରୀହସ୍ତ ପଦ୍ମ କଢ଼- ୪ଟି; ୬. କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ- ୨୦ଟି; ୭. ମଗର କୁଣ୍ଡଳ- ୪ଟି; ୮. ତିଳକ- ୨ଟି; ୯. ହଂସ- ୪ଟି

ବେଶ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ
ବେଶ ପ୍ରସ୍ତୁତି ପାଇଁ ସୋଲ, ବାଉଁଶ, ସନ୍ତରା ପଟ, ପଇତା, କନା, ଜରି, ଡୋରି, କଇଁଥ ଅଠା ଆଦି ଆବଶ୍ୟକ ପଡ଼ିଥାଏ। ଏଥିପାଇଁ ବହୁ ପୂର୍ବରୁ ଆବଶ୍ୟକ ସାମଗ୍ରୀ ବଡ଼ଛତା ମଠ ପକ୍ଷରୁ ଯୋଗାଡ଼ କରାଯାଇଥାଏ। ଏହି ବେଶ ସାମଗ୍ରୀ କାରିଗରଙ୍କ ଜିମାରେ ଦିଆଯିବା ପରେ ପଣ୍ଡୁ ପୂର୍ଣ୍ଣିମାରୁ ବେଶ କାମ ଆରମ୍ଭ ହୋଇଥାଏ।