ଓଡ଼ିଆ ଭାଷାକୁ ନେଇ ସାଂଘାତିକ ଖେଳ, ଲୋକଙ୍କ ଭା‌ବାବେଗ ସହ ଖେଳୁଛନ୍ତି ମନ୍ତ୍ରୀ, ଅଧିକାରୀ

ଭାଷାର ବ୍ୟବହାର ନେଇ ବହୁ ଘୋଷଣା ପ୍ରହସନ ପାଲଟିଛି

ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ସବୁ ସରକାରୀ ଓ ବେସରକାରୀ ସଂସ୍ଥା ଓଡ଼ିଆରେ ନାମଫଳକ ଲେଖିବାକୁ ବାଧ୍ୟ। ନ ହେଲେ ଜରିମାନା ଆଦାୟ ହେବ। ଏଥିପାଇଁ ଅଭିଯୋଗ ଗ୍ରହଣ କରିବାକୁ ଶ୍ରମ ବିଭାଗ ‘ଓଡ଼ିଆ ଫଳକ’ ନାମରେ ଏକ ପୋର୍ଟାଲ୍‌ କରିଛି। ୧୪ ମାସ ଭିତରେ ଏହି ପୋର୍ଟାଲ୍‌ରେ ଅଭିଯୋଗ ଆସିଛି ମାତ୍ର ୭ଟି। ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କ’ଣ ହୋଇଛି, ତାହାର ଉତ୍ତର ସରକାରଙ୍କ ପାଖରେ ନାହିଁ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବା ନିମନ୍ତେ କର୍ମଚାରୀଙ୍କ ପାଇଁ ପୁରସ୍କାର ଓ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଓଡ଼ିଆ ସରକାରୀ ଭାଷା ଆଇନ୍‌ର ନିୟମାବଳୀରେ ଏହା ସ୍ପଷ୍ଟ କରାଯାଇଛି। ୨୦୧୬ ମସିହା ଅଗଷ୍ଟ ମାସରେ ରାଜ୍ୟ କ୍ୟାବିନେଟ୍‌ରେ ଏହି ନିୟମାବଳୀରେ ମୋହର ବାଜିସାରିଛି। କିନ୍ତୁ ୫ ବର୍ଷ ପରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଏ ଯାଏ ଓଡ଼ିଆ ଭାଷାର ବ୍ୟବହାର ପାଇଁ କେହି ପୁରସ୍କୃତ ହୋଇ ନାହାନ୍ତି କି କାହାକୁ ଦଣ୍ଡିତ କରାଯାଇ ନାହିଁ।

ଓଡ଼ିଶା ସରକାରଙ୍କ ପୋର୍ଟାଲ୍‌ରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସବୁ ବିଭାଗର ସମସ୍ତ ତଥ୍ୟ ରହିବ। ୬ ବର୍ଷ ତଳେ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟିରେ ଏହି ଘୋଷଣା କରାଯାଇଥିଲା। ସରକାରଙ୍କ ପୋର୍ଟାଲ୍‌କୁ ଓଡ଼ିଆ ଭାଷାରେ ମଧ୍ୟ କରାଗଲା। କିନ୍ତୁ ଏତେ ଦିନ ଭିତରେ ସବୁ ବିଭାଗ ନିଜ ନିଜର ତଥ୍ୟ ଓଡ଼ିଆ ଭାଷାରେ ଦେଇପାରିଲେ ନାହିଁ। ‌ମନ୍ତ୍ରୀସ୍ତରୀୟ କମିଟିର ଘୋଷଣାକୁ ବାଏଁ ବା‌ଏଁ ଉଡ଼ାଇ ଦେଇଛନ୍ତି କିଛି ବିଭାଗ। ତାଗିଦ୍ କରିବାକୁ ବି କେହି ନାହାନ୍ତି। ଓଡ଼ିଆ ଭାଷାକୁ ନେଇ ସରକାରୀ ସ୍ତରରେ କେତେ ନିଷ୍ଠା ଓ ଆନ୍ତରିକତା ରହିଛି, ଏହି ତିନିଟି ଘଟଣା ଧରା ପକାଇ ଦେଉଛି। ତାଲିକା ହିସାବ କଲେ ତ ଆହୁରି ଲମ୍ବିବ। ଭାଷାକୁ ନେଇ ବିଭିନ୍ନ ସମୟରେ ହୋଇଥିବା ଆନ୍ଦୋଳନ ଓ ପ୍ରତିକ୍ରିୟାକୁ ସାମୟିକ ଭାବେ ଟାଳି ଦେବା ପାଇଁ ସରକାର ଯେ ବହୁ ଚାଲ୍‌ ଖେଳିଛନ୍ତି, ତାହା ଜଳ ଜଳ ହୋଇ ଦେଖାଯାଉଛି। ଭାଷାର ବ୍ୟବହାର କ୍ଷେତ୍ରରେ କ୍ୟାବିନେଟ୍‌, ମନ୍ତ୍ରୀସ୍ତରୀୟ କମିଟି, ଆଇନ୍‌ର ବ୍ୟବସ୍ଥା କିଛି କାମ ଦେଇନି। ‌ସବୁ ଯେପରି ମୂଲ୍ୟହୀନ। ମାତୃଭାଷା ସହିତ ଲୋକଙ୍କ ଭାବାବେଗ ଜଡ଼ିତ ଥିଲେ ବି ତାହା ଦାୟିତ୍ବରେ ଥିବା ମନ୍ତ୍ରୀ, ଅଧିକାରୀମାନେ ବୁଝିବାକୁ ନାରାଜ। ଲୋକଙ୍କ ଭାବାବେଗ ସହିତ ସେମାନେ ଲଗାତର ଖେଳି ଚାଲିଛନ୍ତି। ଓଡ଼ିଆ ଭାଷାକୁ ନେଇ ସରକାରୀ ସ୍ତରରେ ଯେ ଲମ୍ବା ଷଡ଼ଯନ୍ତ୍ର ଚାଲିଛି, ତାହା ଆଉ ବୁଝିବାକୁ ବାକି ନାହିଁ।

୨୦୧୮ ମସିହା ଏପ୍ରିଲ୍‌ ମାସରେ ରାଜ୍ୟ ବିଧାନସଭାରେ ‘ଓଡ଼ିଶା ସପ୍ସ ଆଣ୍ଡ୍‌ କମର୍ସିଆଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ (ଆମେଣ୍ଡ୍‌ମେଣ୍ଟ୍‌) ବିଲ୍‌-୨୦୧୮’ ବିଧାନସଭାରେ ଗୃହୀତ ହେଲା। ଓଡ଼ିଶା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ୩୦.୦୫.୨୦୧୮ରେ ଗେଜେଟ୍‌ ବିଜ୍ଞପ୍ତି ଜାରି ହେଲା। ସବୁ ପ୍ରତିଷ୍ଠାନ, ବ୍ୟବସାୟିକ ସଂସ୍ଥା ଓଡ଼ିଆରେ ନାମଫଳକ ଲେଖିବାକୁ ବାଧ୍ୟତାମୂଳକ କରାଗଲା। ଆଇନ୍‌ରେ ଖିଲାପ କଲେ ଦଣ୍ଡର ବ୍ୟବସ୍ଥା‌ ରହିଲା। ଆଇନ୍ କାର୍ଯ୍ୟକାରୀ ହେଲା ପରେ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନ ବେଶ୍‌ ହୋହଲ୍ଲା କଲେ, ଚଢ଼ାଉ କଲେ। ଶ୍ରମ ବିଭାଗ ପକ୍ଷରୁ ମଧ୍ୟ ସଚେତନନତା ସୃଷ୍ଟି କରାଗଲା। ସଚେତନତା ପାଇଁ ପାଖାପାଖି ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ଏହି ଅଭିଯାନକୁ ଗତିଶୀଳ କରିବା ପାଇଁ ୨୦୧୯ ନଭେମ୍ବର ମାସରେ ଶ୍ରମ ବିଭାଗ ପକ୍ଷରୁ ‘ଓଡ଼ିଆ ଫଳକ’ ନାମରେ ଏକ ‌ସ୍ବତନ୍ତ୍ର ପୋର୍ଟାଲ୍‌ କରାଗଲା। ଓଡ଼ିଆରେ ନାମଫଳକ ଲେଖୁ ନ ଥିବା ବ୍ୟବସାୟିକ ସଂସ୍ଥା ବିରୋଧରେ ଏଥିରେ ଅଭିଯୋଗ କରିବାକୁ ବ୍ୟବସ୍ଥା ରହିଲା। ଏଥି ପାଇଁ ସରକାର ବେଶ୍‌ ବାହାଦୁରୀ ବି ମାରିଲେ। କିନ୍ତୁ ଗେଜେଟ୍‌ ବିଜ୍ଞପ୍ତିର ତିନି ବର୍ଷ ଓ ପୋର୍ଟାଲ୍‌ ଆରମ୍ଭ ହେବାର ୧୪ ମାସ ପରେ ସ୍ଥିତି ବିଚିତ୍ର। ପୋର୍ଟାଲ୍‌ରେ ମାତ୍ର ସାତଟି ଅଭିଯୋଗ ଅାସିଛି। ତାହା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା‌େର ୬ଟି ଓ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ। ଏହି ସାତଟି ଅଭିଯୋଗ ଉପରେ ନିର୍ଦ୍ଦିଷ୍ଟ ଭାବେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହାର ତଥ୍ୟ ମଧ୍ୟ ଶ୍ରମ ବିଭାଗ ପାଖରେ ନାହିଁ। ସେହିପରି ଓଡ଼ିଆରେ ନାମଫଳକ ଲେଖି ନ ଥିବା ଦୋକାନୀ ଓ ବ୍ୟବସାୟୀଙ୍କ ଠାରୁ ରାଜ୍ୟରେ କେତେ ଜରିମାନା ଆଦାୟ ହୋଇଛି, ତାହାର ହିସାବ ବି କାହା ପାଖ‌େର ନାହିଁ। ଖୋଦ୍ ରାଜଧାନୀରେ ମାଳ ମାଳ ବ୍ୟବସାୟିକ ପ୍ରତିଷ୍ଠାନର ନାମଫଳକରେ ଓଡ଼ିଆର ଚିହ୍ନବର୍ଣ୍ଣ ନ ଥିଲେ ବି ତାହା ବାବୁମାନଙ୍କ ଆଖିରେ ପଡ଼ୁ ନାହିଁ। ଏହି ଆଇନ୍‌ ଯେ ଏବେ ମୂଲ୍ୟହୀନ ହୋଇପଡ଼ିଛି ଓ ସରକାରୀ ସ୍ତରରେ ସେଥି ପ୍ରତି ସାମାନ୍ୟ ଆଗ୍ରହ ନାହିଁ, ତାହା ସ୍ପଷ୍ଟ ଜଣାପଡ଼ୁଛି।

ଭାଷାକୁ ନେଇ ସରକାରୀ ଚକ୍ରାନ୍ତ ସମସ୍ତଙ୍କୁ ଚକିତ କଲା ପରି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭା‌ଷାର ବ୍ୟବହାର ପାଇଁ ସରକାର ବାରମ୍ବାର ଘୋଷଣା କରିଛନ୍ତି। ଓଡ଼ିଆ ସରକାରୀ ଭାଷା ଆଇନ୍‌ର ନିୟମାବଳୀରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ତଥା ବିଭାଗଗୁଡ଼ିକୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲା କଲେ ଖିଲାପକାରୀ କର୍ମଚାରୀଙ୍କ ବିରୋଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଏ ଯାଏ କେହି ପୁରସ୍କାର ଓ ଦଣ୍ଡିତ ହୋଇ ନାହାନ୍ତି ବୋଲି ସଂସ୍କୃତି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ଏହାର ଅର୍ଥ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନେଇ କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିନି। ମାତୃଭାଷା ବ୍ୟବହାର କରିବା ପାଇଁ କର୍ମଚାରୀ ଓ ଅଧିକାରୀମାନେ ନିଜ ହୃଦୟରୁ ଚାହିଁବା କଥା। ତାହା ତ ବର୍ଷ ବର୍ଷ ଧରି ହୋଇପାରିଲା ନାହିଁ। ‌େଶଷରେ ଆଇନ୍‌ର ନାଲି ଆଖି ବି କିଛି କାମ ଦେଲାନି। ସରକାର ମଧ୍ୟ ଓଡ଼ିଆ ଭ‌ାଷାର ବ୍ୟବହାର ପାଇଁ କର୍ମଚାରୀଙ୍କୁ ତାଲିମ୍ ଦିଆଯିବ ବୋଲି ଘୋଷଣା କଲେ। କିନ୍ତୁ ଭାଷା ଆଇନ୍‌ର ନିୟମାବଳୀ ପ୍ରସ୍ତୁତ ହେଲା ପରେ ୨୦୧୯ ମସିହାରେ ୩୬ ଜଣ କର୍ମଚାରୀଙ୍କୁ ଭାଷା ପ୍ରତିଷ୍ଠାନରେ ତାଲିମ୍ ଦିଆଗଲା। ସେତିକିରେ ତାଲିମ୍ କାର୍ଯ୍ୟକ୍ରମ ଅଟକିଗଲା। ଏବେ ବି ସରକାରୀ କାର୍ଯ୍ୟ ଧାରା ଦେଖିଲେ ଲାଗେ ‌େଯପରି ଓଡ଼ିଶାରେ ଓଡ଼ିଆ ଏକ ଅଦରକାରୀ ଭାଷା।

ସେହିପରି ଓଡ଼ିଆ ଭାଷାକୁ ଇଣ୍ଟର୍‌ନେଟ୍‌ରେ ଯେତେ ବ୍ୟବହାର କରାଯିବ, ଯୁବପିଢ଼ି ମଧ୍ୟରେ ତାହାର ଲୋକପ୍ରିୟତା ସେତେ ବଢ଼ିବ। କିନ୍ତୁ ଖୋଦ୍ ସରକାରୀ ସ୍ତରରେ ହିଁ ଏହି ଦିଗଟିକୁ ଚରମ ଅବହେଳା ପ୍ରଦର୍ଶନ କରାଯାଉଛି। ରାଜ୍ୟ ସରକାରଙ୍କ ପୋର୍ଟାଲ୍‌ରେ ସବୁ ବିଭାଗ ଏ ଯାଏ ନିଜର ସମସ୍ତ ତଥ୍ୟ ଓଡ଼ିଆରେ ଦେଇ ନାହାନ୍ତି। ଓଡ଼ିଆ ଭାଷା ପ୍ରତି ବିଭାଗଗୁଡ଼ିକର ଏପରି ହେୟଜ୍ଞାନ କାହିଁକି, ତାହା ବୁଝା ପଡ଼ୁ ନାହିଁ। କେରଳ, କର୍ଣ୍ଣାଟକ, ଗୁଜୁରାଟ ଆଦି ବିକଶିତ ରାଜ୍ୟରେ ରାଜ୍ୟ ସରକାରଙ୍କ ୱେବ୍‌ସାଇଟ୍‌ରେ ସବୁ ତଥ୍ୟ ଇଂରାଜୀ ସହିତ ନିଜ ନିଜ ଆଞ୍ଚଳିକ ଭାଷାରେ ଦିଆଯାଇଛି। କିନ୍ତୁ ଓଡ଼ିଶା ସରକାର ଏ ଦିଗଟିକୁ ଆଦୌ ଗୁରୁତ୍ବ ଦେଉ ନାହାନ୍ତି। ଏପରିକି ସାଧାରଣ ଲୋକଙ୍କ କାମ ପଡ଼ୁଥିବା ବିଭାଗରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାର ହେଉ ନାହିଁ। ସରକାର ଏମିତି କରି କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ତାହା ବୁଝାପଡ଼ୁନି।

ସମ୍ବନ୍ଧିତ ଖବର