କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରକାଶିତ ମାଟ୍ରିକ୍ ପରୀକ୍ଷା ଫଳାଫଳର ଗୁଣାତ୍ମକ ମାନ ହ୍ରାସ ରାଜ୍ୟର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍ଙ୍କୁ ଚିନ୍ତାରେ ପକାଇଛି। ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ରାଜ୍ୟର ଏହି ସର୍ବବୃହତ୍ ସାଧାରଣ ପରୀକ୍ଷାର ଏଭଳି ସ୍ଥିତି ପାଇଁ କିଏ ଦାୟୀ? ତାହା ଏବେ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଓଡ଼ିଆ ମାଧ୍ୟମ ଛାତ୍ରୀଛାତ୍ରୀ ପଢ଼ାପଢ଼ି ବା ପ୍ରସ୍ତୁତି କମ୍ କରୁଛନ୍ତି, ନା ପାଠ୍ୟକ୍ରମ, ଶିକ୍ଷାଦାନ, ପ୍ରଶ୍ନପତ୍ର ପ୍ରସ୍ତୁତି, ପରୀକ୍ଷା ପରିଚାଳନା, ମୂଲ୍ୟାୟନ ଆଦିରେ କେଉଁଠି ସମସ୍ୟା ରହିଛି, ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି।
ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ୯୦ ପ୍ରତିଶତ ବା ତଦୁର୍ଦ୍ଧ୍ବ ନମ୍ବର ରଖିଥିବା (ଏ-୧ଗ୍ରେଡ୍) ଛାତ୍ରଛାତ୍ରୀଙ୍କ ସଂଖ୍ୟା ପାଖାପାଖି ୭୫ ପ୍ରତିଶତ ହ୍ରାସ ପାଇବା ଓଡ଼ିଆ ମାଧ୍ୟମ
ଛାତ୍ରୀଛାତ୍ରୀଙ୍କ ପାଇଁ ଭଲ ଶିକ୍ଷାନୁଷ୍ଠାନରେ ପଢ଼ିବା କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ହେବାକୁ ଯାଉଛି। ବୋର୍ଡ ସୂଚନା ଅନୁସାରେ, ୨୦୨୨ମସିହାରେ ଏ-୧ ଗ୍ରେଡ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୧୧୯ ରହିଥିବା ବେଳେ ୨୦୨୩ରେ ସେହି ସଂଖ୍ୟା ପାଖାପାଖି ଅଧା ହୋଇଥିଲା। ୨୦୨୩ ମସିହାରେ ଏ-୧ ଗ୍ରେଡ୍ ୪୧୫୮ଜଣ ପାଇଥିଲେ। ଯଦିଓ ଚଳିତ ବର୍ଷ ବୋର୍ଡ କର୍ତ୍ତୃପକ୍ଷ ଏ-୧ ଗ୍ରେଡ୍ ତାଲିକା ସାର୍ବଜନୀନ କରିନାହାନ୍ତି, ତେବେ ଏହି ଏ-୧ ଗ୍ରେଡ୍ ସଂଖ୍ୟା ପୂର୍ବବର୍ଷ ତୁଳନାରେ ଏକ ଚତୁର୍ଥାଂଶ ରହିଛି।
ଜଣେ ବରିଷ୍ଠ ଶିକ୍ଷକ ତଥା ବୋର୍ଡର ବିଷୟ ବିଶେଷଜ୍ଞ କହିବା ଅନୁସାରେ, ବୋର୍ଡ ପକ୍ଷରୁ ପ୍ରଦତ୍ତ ପାଠ୍ୟକ୍ରମ ବା ପାଠ୍ୟପୁସ୍ତକରେ ରହିଥିବା ପାଠ ଓ ମାଟ୍ରିକ୍ ପରୀକ୍ଷାରେ ପଡୁଥିବା ପ୍ରଶ୍ନପତ୍ରରେ ଅନେକ ତାରତମ୍ୟ ବା ଅନ୍ତର ରହୁଛି। ୨୦୧୪ରୁ ଏଭଳି ତାରତମ୍ୟ ରହି ଆସୁଥିବା ବେଳେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏହା ଅଧିକ ପରିଲକ୍ଷିତ ହୋଇଛି। ଚଳିତ ବର୍ଷ ଗଣିତ ପ୍ରଶ୍ନପତ୍ରର ଉଭୟ ସବ୍ଜେକ୍ଟିଭ୍ ଓ ଅବ୍ଜେକ୍ଟିଭ୍ ପ୍ରଶ୍ନପତ୍ରରେ ଅନେକ ସମସ୍ୟା ରହିଥିଲା। ଗଣିତ ସବ୍ଜେକ୍ଟିଭ ବିଭାଗରେ ତ୍ରିକୋଣମିତି ଓ ସ୍ଥାନାଙ୍କ ଜ୍ୟାମିତିରେ ପୂର୍ବଭଳି ପ୍ରୟୋଗାତ୍ମକ ପ୍ରଶ୍ନ ବଦଳରେ କିଛିଟା ଥିଓରିଟିକାଲ ପ୍ରଶ୍ନ(ବର୍ଣ୍ଣନାତ୍ମକ) ପ୍ରଶ୍ନ ଆସିଥିଲା। ଏଥିରେ ଅଧିକାଂଶ ଛାତ୍ରଛାତ୍ରୀ ପୂରା ନମ୍ବର ରଖିପାରିନାହାନ୍ତି। ସେହିପରି ଗଣିତ ଅବ୍ଜେକ୍ଟିଭ୍ ପ୍ରଶ୍ନପତ୍ରରେ ଯେଉଁ ୧୦ ପ୍ରତିଶତ ଟ୍ରିକି(ପରୋକ୍ଷ) ପ୍ରଶ୍ନପତ୍ର ଆସିଥିଲା, ତାହା ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲିଷ୍ଟ ହୋଇଥିଲା। ଏହା ସହିତ ଭୌତିକ ବିଜ୍ଞାନର ଅବ୍ଜେକ୍ଟିଭ୍ ପାର୍ଟରେ ଯେଉଁ ୧୦ ପ୍ରତିଶତ କ୍ଲିଷ୍ଟ ପ୍ରଶ୍ନ ଆସିଥିଲା, ପିଲାଙ୍କୁ ସେଭଳି ପ୍ରସ୍ତୁ୍ତ କରାଯାଇ ନାହିଁ କିମ୍ବା ପ୍ରଶ୍ନ ବହିରେ ନାହିଁ।
ଭୂଗୋଳ ବିଷୟର ମଧ୍ୟ ଅନୁରୂପ ପ୍ରଶ୍ନ ଛାତ୍ରଛାତ୍ରୀଙ୍କୁ ସମସ୍ୟାରେ ପକାଇଛି। ଏସବୁ ବିଷୟରେ ଅଧିକାଂଶ ମେଧାବୀ ଛାତ୍ରଛାତ୍ରୀ ଶତପ୍ରତିଶତ ନମ୍ବର ରଖିଥାନ୍ତି, ତାହା ସେମାନଙ୍କୁ ହାରାହାରି ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବାରେ ସହାୟକ ହୋଇଥାଏ। କିନ୍ତୁ ଚଳିତବର୍ଷ ଏହି ସମସ୍ୟା ପାଇଁ ଅଧିକାଂଶ ମେଧାବୀ ପିଲା ଏ-୧ ଗ୍ରେଡ୍ରୁ ବଞ୍ଚିତ ହୋଇଛନ୍ତି ବୋଲି ସଂପୃକ୍ତ ଗଣିତ ବିଷୟ ବିଶାରଦ ମତପୋଷଣ କରିଛନ୍ତି। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ ମାଟ୍ରିକ୍ ପରୀକ୍ଷାରେ ପିଲାମାନେ ଯାହା କରିଛନ୍ତି, ସେହି ଅନୁସାରେ ବୋର୍ଡ ପକ୍ଷରୁ ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ସୁବିଧା ଦୃ୍ଷ୍ଟିରୁ ଆମେ ସେମାନଙ୍କ ସାର୍ଟିଫିକେଟ୍ ଅନ୍ଲାଇନରେ ପ୍ରଦାନ ବ୍ୟବସ୍ଥା କରାଯାଇଛି। ପିଲାଙ୍କ ମଧ୍ୟରେ ତାରତମ୍ୟ ସୃଷ୍ଟି ନ କରିବା ପାଇଁ ଏ-୧ ଲିଷ୍ଟ୍ ଆମେ ତ ତିଆରି କରିନୁ ବୋଲି ସଭାପତି ଶ୍ରୀ ତରାଇ କହିଛନ୍ତି।